ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆମ ଦେଶ ଭାରତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସାମ୍ରାଜ୍ୟବାଦ ଶକ୍ତି ଦେଶରେ ଗଣତନ୍ତ୍ର, ସମ୍ବିଧାନ, ସଂସଦ, ରିଜର୍ଭ ବ୍ୟାଙ୍କ, ଇଡି ଉପରେ ବିପଦ ସୃଷ୍ଟି କରିଛି । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସରକାରୀ କଳ କାରଖାନା, ଅଫିସ୍, ଶିଳ୍ପ, ବନ୍ଦର, ବ୍ୟାଙ୍କ, ରେଳ, ବୀମା ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଛନ୍ତି ବହୁଜାତିକ କଂପାନୀ ଆଦାନୀ ଓ ଅମ୍ବାନୀ । ସେମାନଙ୍କୁ ଏହା ଶାଗ ମାଛ ଦରରେ ବିକ୍ରି କରାଯାଉଛି । ଚାଷୀମୂଲିଆ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି । ତାହା ବିରୁଦ୍ଧରେ ଆନ୍ଦୋଳନ ତେଜିଲା ବେଳେ ମୋଦି ସରକାର ଆଇଟି ଆକ୍ଟ କରି ସେମାନଙ୍କୁ ଗିରଫ କରିବାରେ ଲାଗିଛନ୍ତି । ଏହି ପରିସ୍ଥିତିକୁ ସୀମିତ କରିବା ପାଇଁ ୟୁନିଫର୍ମ ସିଭିଲ୍ କୋର୍ଡ ବ୍ୟବହାର କରିବା ପାଇଁ ଉଦ୍ୟମ ହେଉଛି । ପ୍ରତିଦିନ ମହିଳାମାନଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ତେଣୁ ଆଜିର ଏଭଳି ଗମ୍ଭୀର ପରିସ୍ଥିତିରେ ମାର୍କ୍ସବାଦ ଦର୍ଶନ ଓ ତତ୍ତ୍ୱର ଆବଶ୍ୟକତା ରହିଛି ଏବଂ ପୁଂଜିବାଦୀ ଶକ୍ତି ବିରୁଦ୍ଧରେ ଆନ୍ଦୋଳନ ବ୍ୟାପକ ଗଢି ତୋଳିବା ପାଇଁ ଆଜି ଭଦ୍ରକ ସଂସ୍କୃତି ଭବନରେ ସିପିଆଇଏମ୍ ଦଳର ସାଥୀମାନଙ୍କ ମଧ୍ୟରେ ଆୟୋଜିତ ଏକ ଶିକ୍ଷା ଶିବିରରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ ଆହ୍ୱାନ ଦେଇଛନ୍ତି । ସେ ଉପସ୍ଥିତ ସମସ୍ତ ସାଥୀଙ୍କୁ ମାର୍କ୍ସବାଦ ଦର୍ଶନର ପ୍ରାସଙ୍ଗିକତା ଓ ଅବଗତ କରାଇବା ସହ ପାର୍ଟି ଗଠନ ଓ କର୍ମସୂଚୀ ବାବଦରେ ଜଣାଇ ଦୁର୍ନୀତିଗ୍ରସ୍ତ ରାଜନୈତିକ ଦଳର ନେତା କିଭଳି ଦେଶରେ ଜାତି ଜାତି ମଧ୍ୟରେ ଧର୍ମ ଧର୍ମ ମଧ୍ୟରେ ଅରାଜକତା ସୃଷ୍ଟି କରି ବିବାଦ ଲଗାଉଛନ୍ତି, ତାହା ସୂଚାଇ ଏହାର ପ୍ରତିରୋଧ କରିବାକୁ ହେଲେ ବାମପନ୍ଥୀ ଦଳଗୁଡିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି କହିଛନ୍ତି । ଚନ୍ଦ୍ରଶେଖର ନାୟକଙ୍କ ଅଧ୍ୟକ୍ଷତାରେ ଏହି ଦୁଇଦିନିଆ ଶିକ୍ଷା ଶିବିରଟିର ପ୍ରଥମ ଦିନରେ ସଂପାଦକ ଦିବ୍ୟସିଂହ ନାୟକ, ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର ଓ ରାଧା ଦାସ ପରିଚାଳନା କରିଥିଲେ ।