Home ଜିଲ୍ଲା ପରିକ୍ରମା ସାହିତ୍ୟ ଜୀବନର କଥା କହେ, ଜାତୀୟ ଯୁବ ଦିବସ ଉପଲକ୍ଷେ ସାଧନା ସାହିତ୍ୟ ଏକାଡେମୀର ମାସିକ...

ସାହିତ୍ୟ ଜୀବନର କଥା କହେ, ଜାତୀୟ ଯୁବ ଦିବସ ଉପଲକ୍ଷେ ସାଧନା ସାହିତ୍ୟ ଏକାଡେମୀର ମାସିକ ସାହିତ୍ୟ ଆସର

21

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ ଜୀବନର କଥା କହେ। ସାହିତ୍ୟ ବିନା ଜୀବନ ନିରର୍ଥକ। ଗୋଟିଏ ଜାତିକୁ ଜାଣିବାକୁ ହେଲେ ପ୍ରଥମେ ସେ ଜାତିର ଭାଷାକୁ ଜାଣିବା ଉଚିତ୍‌। ସାହିତ୍ୟ ରଚନା କରୁଥିବା ପ୍ରତ୍ୟେକ କବି-କବୟିତ୍ରୀ ଭଗବାନଙ୍କ ଦ୍ୱିତୀୟ ଅବତାର। ବିଭୁ କୃପା ବିନା ସାହିତ୍ୟର ସୃଷ୍ଟି ଅସମ୍ଭବ। ଆମ ଭାରତବର୍ଷରେ ଯେତେ ଭାଷା ପ୍ରଚଳିତ ତନ୍ମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ। ଯାହା ଶାସ୍ତ୍ରୀୟ ମାନ୍ୟତା ପାଇଛି। ସେହି ଓଡ଼ିଆ ଭାଷା ସାହିତ୍ୟକୁ ପ୍ରଚାର ପ୍ରସାର କରିବା ସହିତ ପ୍ରତ୍ୟେକ ସାହିତ୍ୟ ସ୍ରଷ୍ଟାମାନଙ୍କୁ ସମ୍ମାନ ଦେବାପାଇଁ ସାରସ୍ୱତ ସାଧକ କବି ବିଷ୍ଣୁ ସେଠୀଙ୍କ ଦ୍ୱାରା ୨୦୧୮ ମସିହାରେ ଗଢି ଉଠିଥିବା ସାଧନା ସାହିତ୍ୟ ଏକାଡେମୀର ମାସିକ ସାହିତ୍ୟ ଆସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି ଏକାଡେମୀ ଦ୍ୱାରା ସାହିତ୍ୟକମାନଙ୍କର ପ୍ରକାଶିତ ପୁସ୍ତକ ଲୋକାର୍ପଣ କରାଯାଇ ସେମାନଙ୍କୁ ସମ୍ମାନ ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇଥାଏ। ୨୦୨୩ ମସିହାରେ ସୂର୍ଯ୍ୟବଂଶୀ ସୁରଜ ସଭାପତି ଆସନ ଅଳଂକୃତ କରିବା ପରେ ଏହି ସାଧନା ସାହିତ୍ୟ ଏକାଡେମୀ ସମଗ୍ର ଓଡ଼ିଶାର ପ୍ରତି ଜିଲାରେ କାର୍ଯ୍ୟ କରିବାର ଲକ୍ଷ୍ୟ ନେଇ ଆଜି ଭଦ୍ରକର ଫ୍ରଫୁଲ୍ଲ ନଗରସ୍ଥିତ ଗୁରୁଜ୍ଞାନ ଏକାଡେମୀ ପରିସରରେ ଯୁବ ଦିବସ ଉପଲକ୍ଷେ ଆୟୋଜିତ ମାସିକ ସାହିତ୍ୟ ଆସରରେ ସାହିତ୍ୟ ଏକାଡେମୀର ପ୍ରତିଷ୍ଠାତା ସଂପାଦକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ସଂଯୋଜନା ଏବଂ ଇଂ ଅଭୟ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ସାହିତ୍ୟିକ ପଣ୍ଡିତ ଭାଗବତ ପଣ୍ଡା ମୁଖ୍ୟ ଅତିଥି, ଡ. ଶୁଭଙ୍କର ସାହୁ ମୁଖ୍ୟବକ୍ତା, ସାହିତ୍ୟିକ ଡ. କିରଣ ଚନ୍ଦ୍ର ଗୁଇଁ, ଗୀତାରାଣୀ ଆଇଚ, ଏକାଡେମୀର ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକାଡେମୀର ଆଭିମୁଖ୍ୟ ଜଣାଇବା ସହିତ ଯୁବ ସମାଜକୁ ସାହିତ୍ୟର ଆବଶ୍ୟକତା ସଂପର୍କରେ ଅବଗତ କରାଇଥିଲେ। ଏଥିସହିତ ସ୍ୱାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ଏବଂ ସନାତନ ଧର୍ମ ଉପରେ ବକ୍ତବ୍ୟ ରଖିଥିଲେ। ସଭା ଆରମ୍ଭରେ ଏକାଡେମୀର ଆବାହକ ଅଧ୍ୟାପକ ମନୋରଂଜନ ବାରିକ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିବାବେଳେ ସାଂସ୍କୃତିକ ସଂପାଦିକା ରଶ୍ମିତା ଦାଶ, କଣ୍ଠଶିଳ୍ପୀ ଶୁଭ୍ରସ୍ମିତା ରାଉତ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। କଣ୍ଠଶିଳ୍ପୀ ଅରୁଣ କୁମାର ମଲ୍ଲିକ, ଲକ୍ଷ୍ମୀଧର ଦାସ, ଶ୍ରୀଧର ଜେନା ସଂଗୀତ ପରିବେଷଣ କରି ଉପସ୍ଥିତ ସାହିତ୍ୟମାନଙ୍କର ମନ ମୋହିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ନାଟ୍ୟକାର ନିର୍ମଳ ଚନ୍ଦ୍ର ସ୍ୱାଇଁ, ବ୍ରାଇଟ୍ ଶିକ୍ଷାନୁଷ୍ଠାନର ଉପନିର୍ଦ୍ଦେଶିକା ସୁଶ୍ରୀ ସଂଗୀତା ସାହୁ, ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ, ପର୍ଶୁରାମ ପଣ୍ଡା, ରଶ୍ମିତା ଦାଶ, ଲକ୍ଷ୍ମୀଧର ଦାସ, ବୈକୁଣ୍ଠନାଥ ଓଝା, କବି ରମେଶ ଚନ୍ଦ୍ର ସ୍ୱାଇଁ, ସ୍ମୃତିରଂଜନ ମହାନ୍ତି, ନିହାର ରଂଜନ ବେହେରା, ଅନିଶା ବିଶ୍ୱାଳ, ଡା. କିରଣ ଚନ୍ଦ୍ର ଗୁଇଁ, ଅରୁଣ କୁମାର ମଲ୍ଲିକ ପ୍ରମୁଖ କବିମାନେ ସ୍ୱରଚିତ କବିତା ଆବୃତି କରିଥିଲେ। ପ୍ରିୟଙ୍କା ପଲେଇ, ସ୍ନେହଲତା ମହାରଣା, ଶ୍ରୀମନ୍ଦିର ଦାସ, ଇତିଶ୍ରୀ ଦାସ, ମନିସା ବିଶ୍ୱାଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଗୁରୁଜ୍ଞାନ ଏକାଡେମୀର ନିର୍ଦ୍ଦେଶକ ଅଜୟ କୁମାର ମହାପାତ୍ର ସ୍ୱାଗତ ବକ୍ତବ୍ୟ ରଖିଥିବାବେଳେ ଆଦର୍ଶ ଶିକ୍ଷକ ଅରୁଣ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.