ବାଲିଗୁଡା, ୨୫/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଓଡ଼ିଶା ସାହିତ୍ୟ ଏକାଡ଼େମିର ସାଧାରଣ ପରିଷଦ ପୁନର୍ଗଠିତ ହୋଇଛି। ଏଥିରେ କନ୍ଧମାଳ ଜିଲ୍ଲାର ଯୁବ ସାହିତ୍ୟିକ ଗିରିଜା ପ୍ରସାଦ ମିଶ୍ର ସଦସ୍ୟ ଭାବରେ ମନୋନିତ ହୋଇଛନ୍ତି। ନୂତନ ସାଧାରଣ ପରିଷଦର କାର୍ଯ୍ୟକାଳ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇ ୨୦୨୩ ମସିହା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ୩ ବର୍ଷ କାଳ ଚାଲିବ। ଶ୍ରୀ ମିଶ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ୧୯୭୯ ମସିହା ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ କବି, ପ୍ରାବନ୍ଧିକ, ଓ ଚିତ୍ରଶିଳ୍ପୀ ଭାବରେ ଅନେକ କୃତିତ୍ୱ ଅର୍ଜନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ମିଶ୍ର ୨୦୧୧ମସିହାରୁ ଲଗାତାର ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପୁରସ୍କାର ସହ ରାଜ୍ୟ ଲଳିତ ଏକାଡେମୀ, କଳିଙ୍ଗ ଲିଟେରାରି ପୁରସ୍କାର, କନ୍ଧମାଳ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଓଡ଼ିଶା ସାହିତ୍ୟ ଏକାଡ଼େମି ଦ୍ୱାରା ତାଙ୍କର କବିତା ପୁସ୍ତକ “ପ୍ରଥମ ପର୍ବ “ପ୍ରକାଶିତ ହୋଇଛି। ଏତଦ ବ୍ୟତୀତ ରାଜ୍ୟର ଅନେକ ଲବ୍ଧ ପ୍ରତିଷ୍ଠିତ ଖବରକାଗଜ, ଓ ପତ୍ରପତ୍ରିକା ରେ ଶ୍ରୀ ମିଶ୍ରଙ୍କ ର ଶତାଧିକ କବିତା, ଫିଚର, ଓ ପ୍ରବନ୍ଧ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡ଼େମିର କନ୍ଧମାଳ ଜିଲ୍ଲାର ସଦସ୍ୟ ଭାବେ ମନୋନୀତ ହେବା ପରେ ରାଜ୍ୟର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।