ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସରକାରୀ ସହାୟତା ଓ ଦୃଢ଼ ଇଚ୍ଛାଶକ୍ତି ସାଙ୍ଗକୁ ଯଦି ପରିବାରର ସହଯୋଗ ମିଳେ, ତେବେ ଜଣେ ମହିଳା କିଭଳି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରେ, ତାହାର ଏକ ଶ୍ରେଷ୍ଠ ଉଦାହରଣ ସାଜିଛନ୍ତି ଧାମନଗର ବ୍ଲକର ତପସ୍ୱିନୀ ସାମଲ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ସରକାରଙ୍କ ଦ୍ୱାରା ପ୍ରଚଳିତ ‘ସୁଭଦ୍ରା ଯୋଜନା’ ଆଜି ତାଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ତିନିଟି କିସ୍ତିରେ ମିଳିଥିବା ୧୫ ହଜାର ଟଙ୍କାକୁ ପୁଞ୍ଜି କରି ସେ ଆଜି ଜଣେ ସଫଳ ବ୍ୟବସାୟୀ ଭାବେ ନିଜକୁ ଗଢ଼ି ତୋଳିଛନ୍ତି। ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ଛତ୍ରପଦାର ବାସିନ୍ଦା ଗଦାଧର ସାମଲଙ୍କ ସ୍ତ୍ରୀ ତପସ୍ୱିନୀଙ୍କ ପରିବାର ଅତ୍ୟନ୍ତ ଗରିବ। ଜମିବାଡ଼ି କହିଲେ ୧୦ ଗୁଣ୍ଠ ପାଖାପାଖି ସେଥିରେ ଘର କରି ରହୁଛନ୍ତି। ତାଙ୍କ ସ୍ୱାମୀ ଗ୍ୟାରେଜରେ କାଠ ମିସ୍ତ୍ରୀ ଭାବେ ଟ୍ରକ ଡାଲା ତିଆରି କରିଥାନ୍ତି। ବଡ଼ପୁଅ ଗ୍ରାଜୁଏସନ କରି ପରିବାର ପ୍ରତିପୋଷଣ ପାଇଁ ୪ରୁ ୫ ମାସ ହେବ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ସାନ ପୁଅ ଭଣ୍ଡାରିପୋଖରୀରେ ଆଇଟିଆଇ ପଢୁଛନ୍ତି। ପରିବାରର ଏହି ଆର୍ôଥକ ବୋଝ ସମ୍ଭାଳିବାରେ ସାହାଯ୍ୟ କରିବା ପାଇଁ ତପସ୍ୱିନୀ ସୁଭଦ୍ରା ଯୋଜନାର ଟଙ୍କାରେ ରାଧାବଲ୍ଲଭପୁର ଗଣେଶ ପଡ଼ିଆ ଘର ନିକଟରେ ଏକ ଛୋଟ ଦୋକାନ ଆରମ୍ଭ କରିଛନ୍ତି। ଏହି ଦୋକାନଟିକୁ ଗଢ଼ିବାରେ ତପସ୍ୱିନୀ କୌଣସି ବାହାର ଋଣ ନେଇନାହାନ୍ତି। ସ୍ୱାମୀ ଗ୍ୟାରେଜରୁ ବଳକା କାଠ ଆଣି ନିଜ ହାତରେ ଏକ ସୁନ୍ଦର କ୍ୟାବିନଟିଏ ତିଆରି କରିଦେଇଥିବା ବେଳେ, ସୁଭଦ୍ରା ଯୋଜନାରୁ ମିଳିଥିବା ୧୫ ହଜାର ଟଙ୍କାରେ ସେ ଦୋକାନ ପାଇଁ ସାମଗ୍ରୀ କିଣିଛନ୍ତି। ଦୋକାନରେ ପାନ, ସିଗାରେଟ୍, ଅଣ୍ଡା, ପେଷ୍ଟ ଓ ପିଲାଙ୍କ ପାଇଁ ସ୍ନାକ୍ସ ସାଙ୍ଗକୁ ସନ୍ଧ୍ୟା ସମୟରେ ଅଣ୍ଡା ସିଝା ଓ ଆମଲେଟ୍ ମଧ୍ୟ ବିକ୍ରି କରୁଛନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ସାନ ପୁଅ ଧାମନଗରରୁ ମାଲପତ୍ର ଆଣି ଯୋଗାଇ ଦିଅନ୍ତି। ଯେଉଁ ମହିଳାଙ୍କ ପାଇଁ ଘରର ଚାରିକାନ୍ଥରୁ ବାହାରିବା ଏକ କଷ୍ଟକର ବ୍ୟାପାର ଥିଲା, ସେ ଆଜି ଦୈନିକ ୨ ରୁ ୩ ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଏ ସମ୍ପର୍କରେ ତପସ୍ୱିନୀ କହନ୍ତି, ସରକାରଙ୍କ ଏହି ସହାୟତା ମୋ ପାଇଁ ଅନ୍ଧକାରରେ ଆଲୋକ ଆଣିଦେଇଛି। ଏବେ ମୁଁ ଘର ଚଳାଇବାରେ ସ୍ୱାମୀଙ୍କୁ ସହଯୋଗ କରିପାରୁଛି। ରାଜ୍ୟ ସରକାରଙ୍କ ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ଲକ୍ଷ୍ୟ ଆଜି ନିପଟ ମଫସଲ ଅଂଚଳରେ ସାକାର ହେଉଥିବାର ଏହା ଏକ ଉଦାହରଣ। ତପସ୍ୱିନୀଙ୍କ ଏହି ସଫଳତା ଆଜି ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।








