ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀ ନଦୀ ପଠାକୁ ଜବରଦଖଲ କରି ଓ ସେଠାରେ ଘର କରି ଶ୍ରମିକଙ୍କୁ ଶୋଷଣ କରିବା ଘଟଣାରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ତଦନ୍ତ ଆରମ୍ଭ କରିଛନ୍ତି । ଅନୁରୂପ ଏ ସମ୍ପର୍କରେ ତହସିଲଦାରଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଟ୍ୟୁଟ୍ କରି ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ନୂଆବଜାର ନିକଟସ୍ଥ ସାଳନ୍ଦୀ ନଦୀର ନୂଆ ପୋଲ ତଳେ ଜନୈକ ବ୍ୟକ୍ତି ନଦୀ ପଠାକୁ ଜବରଦଖଲ କରି ୫ଇଞ୍ଚିଆ କାନ୍ଥ ଓ ଟିଣ ପକାଇ କେତେକ ଅସ୍ଥାୟୀ ଘର ନିର୍ମାଣ କରି ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ୨୨ଟି ଶ୍ରମଜୀବୀ ପରିବାରକୁ ଭଡ଼ା ଲଗାଇଛନ୍ତି । ଦିନମଜୁରିଆ, ବାସନ ମାଜିବା ପରି ବାସୀ କାମ କରୁଥିବା ମହିଳାଙ୍କ ପରି ଶ୍ରମଜୀବୀମାନେ ସେଠାରେ ରହିଥାନ୍ତି । ବିଦ୍ୟୁତ୍ ସଂଯୋଗ ଦେଇ ସେ ବାବଦରେ ମଧ୍ୟ ଭଡ଼ା ନେଇଥାନ୍ତି ଘର ମାଲିକ । କରୋନା କଟକଣା ପାଇଁ ଏହି ଶ୍ରମଜୀବୀ ଶ୍ରେଣୀର ବ୍ୟକ୍ତିବିଶେଷ କାମ ଧନ୍ଦା ହରାଇ ଏବେ ବହୁ କଷ୍ଟରେ ଜୀବନ ବିତାଉଥିବାବେଳେ, ସେମାନଙ୍କୁ ଘର ଛାଡ଼ିବାକୁ ନୋଟିସ ଜାରୀ କରିଥିଲେ ସଂପୃକ୍ତ ବ୍ୟକ୍ତି । ଏହି ଶ୍ରମଜୀବୀଙ୍କ ସମସ୍ୟା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଜନୈକ ସାମାଜିକ କର୍ମୀ ହେମନ୍ତ ମହାପାତ୍ର ଏହାକୁ ଟ୍ୟୁଟ୍ କରି ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ । ଏହା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି । ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଓ ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭଦ୍ରକ ତହସିଲଦାର ନିଜ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ôଚ ସଂପୃକ୍ତ ୨୨ ଜଣ ପରିବାରଙ୍କୁ କାହାରିକୁ ଘରଭଡା ନଦେବାକୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କୁ ବସୁନ୍ଧରା ଭଳି ଯୋଜନାରେ ଆଗାମୀ ଦିନରେ ଘର ଯୋଗାଇ ଦିଆଯିବା ପର୍ଯ୍ୟନ୍ତ ସେଠାରେ ରହିବାକୁ କହିଛନ୍ତି । ଏବଂ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିଷୟ ଗଣମାଧ୍ୟମକୁ କହିଛନ୍ତି ।