Home ଜିଲ୍ଲା ପରିକ୍ରମା ସାର୍ଥକ ବ୍ୟକ୍ତିତ୍ୱ ରବିନାରାୟଣ, ‘ଅସ୍ତମିତ ରବି’ ଲୋକାର୍ପିତ

ସାର୍ଥକ ବ୍ୟକ୍ତିତ୍ୱ ରବିନାରାୟଣ, ‘ଅସ୍ତମିତ ରବି’ ଲୋକାର୍ପିତ

98

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରବିନାରାୟଣ ନାୟକ ଥିଲେ ଏକାଧାରରେ ଜଣେ ଭଲ ବାପା, ଭାଇ, ମାମୁଁ, ବନ୍ଧୁ ଭାବେ କର୍ତବ୍ୟ ଭଲଭାବରେ ତୁଲାଇଥିବା ମଣିଷଟେ । ଭଦ୍ରକରେ ସୁପରିଚିତ ନାଁ ଭାସୁ ବାବୁ ନାମରେ ଜଣେ ନିର୍ଭିକ, ନିସ୍ୱାର୍ଥପର, ଭଲ ମାନସିକତା, ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲୁଥିବା ଲୋକଟିଏ । ଦୀର୍ଘଦିନ ଧରି ରୋଗଶଯ୍ୟାରେ ଥାଇ ବି କାହାରି ସହିତ ସଂପର୍କକୁ ଭୁଲି ଯାଇନଥିଲେ । ଭଦ୍ରକ ବ୍ଲକ୍‌ର ରାମନବମୀ ବେତରା ଗ୍ରାମପଂଚାୟତର ଭାଲିଆଗଡିଆ ଗ୍ରାମରେ ପିତା ଗଣେଶ ପ୍ରସାଦ ନାୟକ ଓ ମାତା ଦୁର୍ଗାଦେବୀ ନାୟକଙ୍କ ଏକମାତ୍ର ପୁତ୍ର ଭାବେ କୋଳ ମଣ୍ଡନ କରି ସେ ଜନ୍ମଗ୍ରହର କରିଥିଲେ । ବରବର୍ତୀ ପର୍ଯ୍ୟାୟରେ କୃତିତ୍ୱ ସହ ଶିକ୍ଷା ସମାପ୍ତ କରି ସମାଜସେବା ସହ ଠିକାଦାରୀ ବ୍ୟବସାୟରେ ନିଜକୁ ନିୟୋଜିତ କରିଥିଲେ । ଜଣେ ସଫଳ ଠିକାଦାର ଭାବେ ନିଜର ଅନନ୍ୟ ପରିଚୟ ସୃଷ୍ଟିକରି ନିଜର ପରିବାର ଓ ପରିଜନଙ୍କୁ ଭରଣ, ପୋଷଣ କରି ମଣିଷ ପରି ମଣିଷ କରି ଗଢି ତୋଳିଥିଲେ ବି ଜନସେବା ଓ ପରୋପକାର ଥିଲା ତାଙ୍କର ବ୍ୟକ୍ତିତ୍ୱର ବଳିଷ୍ଠ ଦିଗ । ଜଣେ ପରୋପକାରୀ, ସ୍ପଷ୍ଟଭାଷୀ ତଥା ଧର୍ମପରାୟଣ ମଣିଷ ଥିଲେ ସେ । ଅଧିକାଂଶ ସମୟରେ ରୋକଠୋକ କଥା କହୁଥିଲେ ବି ସେ ଥିଲେ ନ୍ୟାୟବାଦୀ ସଚ୍ଚା ମଣିଷ । ଉପରକୁ ପଥର ଭଳି ଟାଣ ଜଣାପଡୁଥିଲେ ବି ହୃଦୟ ଥିଲା ଫୁଲଠାରୁ କୋମଳ । କାହାର ଅମଙ୍ଗଳ କରିବା ବା କ୍ଷତି କରିବା ତାଙ୍କ ଜୀବନ ସମ୍ବିଧାନରେ ନଥିଲା । କାହାର ଦୁଃଖ କଥା ଶୁଣିଲେ ସେ ତାଙ୍କ ପାଖରେ ଠିଆ ହୋଇଯାଇଥିଲେ । ଏଭଳି ମଣିଷ ବାସ୍ତବିକ ସଂସାରରେ ବିରଳ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଡାକ୍ତର ପ୍ରଦୀପ ନାୟକ, ପ୍ରାକ୍ତନ ଜିଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ଆଇନ୍‌ଜୀବୀ ମନୋଜ ରାୟ, ପ୍ରାକ୍ତନ ସରପଂଚ ବିମ୍ବାଧର ଦାସ, ସଚି ମହାନ୍ତି, ବୈଲୋଚନ ବେହୁରିଆ, ଅଶୋକ ପଲେଇ, ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ବିଜୟ ନାୟକ, ଅନିଲ ନାୟକ, ଅଶୋକ ନାୟକ, ଦିଲ୍ଲୀପ ଲେଙ୍କା, କାଉନ୍‌ସିଲର ସ୍ୱାଗତିକା ନାୟକ, ଅନିମା ନାୟକ ପ୍ରମୁଖ ସ୍ମୃତିଚାରଣ କରିଥିବାବେଳେ ପ୍ରଫୁଲ୍ଲ ନାୟକ, ମିନତୀ ଦାସ, କୁନି ମହାନ୍ତି, ତପନ ନାୟକ, ଶାନ୍ତନୁ ଗୁହ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁଅ ଅରୂପ ନାୟକ ଓ ଅନୁପ ନାୟକ ସମସ୍ତଙ୍କୁ ଶେଷରେ କୃତଜ୍ଞତା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.