Home ଓଡ଼ିଶା ସାମ୍ବାଦିକଙ୍କ ଗିରଫ ପ୍ରତିବାଦରେ ଯୋଡା ପ୍ରେସ କ୍ଲବ ପକ୍ଷରୁ ନିନ୍ଦା

ସାମ୍ବାଦିକଙ୍କ ଗିରଫ ପ୍ରତିବାଦରେ ଯୋଡା ପ୍ରେସ କ୍ଲବ ପକ୍ଷରୁ ନିନ୍ଦା

147

ଯୋଡା – ୧୦/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗତ ୭ ତାରିଖ ଚମ୍ପୁଆ ଅଞ୍ଚଳର କାର୍ଯ୍ୟରତ ଜଣେ ସାମ୍ବାଦିକ ରଞ୍ଜନ କୁମାର ପ୍ରଧାନଙ୍କୁ ଚମ୍ପୁଆ ବିଡିଓ ନୁପୁର ଚାନ୍ଦଗୋଟିଆ ଉଦ୍ଦେଶ୍ୟମୂଳକ ଭାବେ ଥାନାରେ ଅଭିଯୋଗ କରିବା ଓ ଅଭିଯୋଗକୁ ଭିତ୍ତି କରି ପୁଲିସ ତାଙ୍କୁ ଗିରଫ କରିବା ଏବଂ ପରେ ସେ ଜାମିନରେ ବାହାରିବା ଘଟଣା କେନ୍ଦୁଝର ଜିଲ୍ଲା ସମସ୍ତ ସାମ୍ବାଦିକ ମହଲରେ ଆଲୋଡନ ସୃଷ୍ଟି କରିଛି । ଏ ନେଇ ଶନିବାର ସନ୍ଧ୍ୟାରେ ଯୋଡା ପ୍ରେସ କ୍ଲବ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆକ୍ରୋଶମୂଳକ ଭାବେ ଚମ୍ପୁଆ ବିଡିଓଙ୍କ କାର୍ଯ୍ୟାନୁଷ୍ଠାନକୁ ପ୍ରେସ କ୍ଲବ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ଘଟଣାଟିରେ ବିଡିଓଙ୍କ ନାମରେ ଦିଆଯାଇଥିବା ଏତଲାକୁ ପୁଲିସ ବିଚାରକୁ ନେଇ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁବୋଲି ସଂଘ ଦାବି କରିଛି ।
ଜିଲ୍ଲା ପ୍ରଶାସନ ଏବେ ରକ୍ତ ମୁଖା ପାଲଟିଛି । ଚାରି ଆଡେ ଦୁର୍ନିତିର ଗନ୍ଧ । ଯେଉଁଠି ହାତ ମାରିଲେ ପୁୁଳା ପୁଳା ଦୁର୍ନିତିର ପ୍ରମାଣ ମିଳୁଛି । ଏଥିରେ ଅତିଷ୍ଟ ହୋଇ ଗଣମାଧ୍ୟମ ଉପରେ ପ୍ରତିଷୋଧ ପରାୟଣ ହୋଇପଡିଛି ଜିଲ୍ଲା ପ୍ରଶାସନ । କେନ୍ଦୁଝର ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇପଡିଛି । ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି । ଶିକ୍ଷାନୁଷ୍ଠାନ ଗୁଡିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଭାବ । ସରକାରୀ ଡାକ୍ତରଖାନା ଗୁଡିକରେ ଡାକ୍ତର, କର୍ମଚାରୀ ଅଭାବ । ସରକାରୀ କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀ ଅଭାବ । ଯେଉଁ ଦପ୍ତରକୁ ଗଲେ ବିନା ଲାଞ୍ଚରେ ଫାଇଲଟିଏ ମଧ୍ୟ ହଲୁନାହିଁ । ନିଜର ଅପରଗତାକୁ ଲୁଚାଇବା ପାଇଁ ପ୍ରଶାସନ ଏବେ ଗଣମାଧ୍ୟମକୁ ନିଶାଣ କରୁଛି । ଦୁର୍ନୀତି ସମ୍ପର୍କରେ ତଥ୍ୟ ମାଗିଲେ କିମ୍ବା ଏ ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କଲେ ସେମାନଙ୍କ ନାମରେ କୋଭିଡ ନିୟମର ଉଲ୍ଲଂଘନ ନେଇ ମାମଲା ଋଜୁ କରାଯାଉଛି । ବିଭିନ୍ନ ସ୍ଥାନରେ ସାଧାରଣ ଜନତା ମୌଳିକ ସୁବିଧା ନପାଇ ଆନ୍ଦୋଳନ କଲେ ମଧ୍ୟ ପୁଲିସ ମାଧ୍ୟମରେ ଆନ୍ଦୋଳନକାରୀଙ୍କୁ ବାଦ ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ମାମଲା ଋଜୁ କରାଯାଉଛି । ସତେ ଯେମିତି ବ୍ରିଟିଶ ଶାସନ ଭିତରେ ଖଣି ଅଞ୍ଚଳବାସୀ ଏବେ ମଧ୍ୟ ପରିଚାଳିତ । ଏବେ ଜନସାଧାରଣ ତଥା ଗଣମାଧ୍ୟମର ସ୍ୱରକୁ ଚପାଇଦେବା ପାଇଁ ପ୍ରଶାସନ ଅସାମାଜିକଙ୍କ ସହାୟତା ଲୋଡୁଛି । ଅସାମାଜିକ ବ୍ୟକ୍ତିମାନଙ୍କୁ ନେଇ ରାତାରାତି ଗଠନ କରାଯାଉଛି ବିକାଶ ପରିଷଦ ଓ ଡେଭେଲପ୍‌ମେଣ୍ଟ କମିଟି ଭଳି ଅନୁଷ୍ଠାନ, ଯାହାର ମୂଳ ଉଦ୍ଦେଶ୍ୟ ଗଣମାଧ୍ୟମ ତଥା ଜନସାଧାରଣଙ୍କ ସ୍ୱରକୁ ଚପାଇଦେବା । ଏହି ଅସାମାଜିକ ସଂଗଠନ ଗୁଡିକୁ ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ଏବଂ ତଦାରଖ କରିବା ଦାୟିତ୍ୱ ହସ୍ତାନ୍ତର କରାଯାଇ ବ୍ୟାପକ ଅର୍ଥ ହରିଲୁଟ କରାଯାଉଥିବା ନଜିର ରହିଛି । ଖଣି ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜିଲ୍ଲା ପ୍ରଶାସନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ରାଗ ଶୁଝାଇବାକୁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ପ୍ରେସ କ୍ଲବର ସଭାପତି ପ୍ରମୋଦ କୁମାର ମହାନ୍ତ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ବୈଠକରେ ସାମ୍ବାଦିକ ନିହାର ରଞ୍ଜନ ରାଉତ, ଗଣେଶ ଚନ୍ଦ୍ର ସାହୁ, ଦିଗାମ୍ବର ବେହେରା, ବେବି ତବସୁମ, ସତ୍ୟଜିତ୍ ଦାସ, ଶିଶିର କୁମାର ବେହେରା, ପ୍ରକାଶ ମହାନ୍ତି, ସନ୍ତୋଷ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.