
ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୬ ତାରିଖ ରବିବାର ଦିନ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ‘ବଡ଼ ଖବର’ର ସ୍ଥାନୀୟ ପ୍ରତିନିଧି ଲିନୁ ନାୟକ ଏବଂ ତାଙ୍କ କ୍ୟାମେରାମ୍ୟାନ୍ ଶିବ କିଶୋର ପଲେଇ ଖବର ସଂଗ୍ରହ କରୁଥିବା ବେଳେ ନିଜକୁ ସେବାୟତ କହୁଥିବା କେତେକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଲିନୁଙ୍କୁ ଟଣାଘୋଷରା କରିବା ସହିତ ମାଡ଼ ମାରିଥିଲେ। ଏଥି ସହିତ କ୍ୟାମେରାମ୍ୟାନ୍ ଶ୍ରୀ ପଲେଇଙ୍କୁ ତଳେ ପକେଇ ତାଙ୍କ ଉପରେ କେତେକ ସେବାୟତ ଚଢ଼ି ଯାଇଥିଲେ। କେବଳ ସେତିକି ନୁହେଁ ସୁଟିଂ କରାଯାଉଥିବା କ୍ୟାମେରା, ଉଭୟଙ୍କ ମୋବାଇଲ ଫୋନକୁ ମଧ୍ୟ ଆକ୍ରମଣକାରୀ ସେବାୟତ ଛଡ଼ାଇ ନେଇଛନ୍ତି। ଜଣେ ମହିଳା ସାମ୍ବାଦିକଙ୍କୁ ଏକାଧିକ ପୁରୁଷ ସେବାୟତ ମିଳିମିଶି ମାଡ଼ ମାରିବା, ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ଏବଂ ଫଟୋ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ଆଜି ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ୍ସ୍ ଓଡ଼ିଶା, ଭଦ୍ରକ ଶାଖା ପକ୍ଷରୁ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ନିଷ୍ଠାର ସହିତ ନିଜର କର୍ତବ୍ୟ ସମ୍ପାଦନ କରୁଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ରାଜ୍ୟର ବିଭିନ୍ନ ଅଂଚଳରେ ନିୟମିତ ଭାବେ ଆକ୍ରମଣ ହେଉଥିବା ଯୋଗୁଁ ସାମ୍ବାଦିକ ମାନେ ସ୍ୱାଧୀନ ଭାବେ କାମ କରିବା କଷ୍ଟକର ହୋଇପଡିଛି। ଏପରି ସ୍ଥଳେ ସରକାର ଯଥାଶୀଘ୍ର “ସାମ୍ବାଦିକ ସୁରକ୍ଷା ଆଇନ୍” ପ୍ରଣୟନ କରିବାକୁ ସଂଘ ପକ୍ଷରୁ ଦାବି କରି ଜିଲ୍ଲା ସଭାପତି ପ୍ରତାପ କୁମାର ଦସ, ସାଧାରଣ ସମ୍ପାଦକ ତପନ କୁମାର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତପନ କୁମାର ସ୍ୱାଇଁ, ମୁଖ୍ୟ ଉପଦେଷ୍ଟା ନିହାର କୁମାର ଦାସ, ସଂଗଠନ ସମ୍ପାଦକ ପ୍ରମୋଦ ରାୟ, ଉପଦେଷ୍ଟା ରାଜେନ୍ଦ୍ର କମାର ଯେନା ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ।