ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବରୁ ଭଲ ଉପନ୍ୟାସ ଲେଖା ହେଉଥିଲା, ଏବେ ହେଉନି- ଏପରି ମତ ଏକ ଆବେଗିକ ଭ୍ରମ। ହୁଏତ ସାର୍ବଜନୀନ ପାଠକୀୟ ଉତ୍ସାହ ଊଣା ହୋଇଥିବା ଯୋଗୁଁ ଆମକୁ ଏପରି ଅନୁଭବ ହେଉଛି। ସମ୍ପ୍ରତି ଓଡ଼ିଆ ଉପନ୍ୟାସ ସାହିତ୍ୟ ଏକ ବୃହତର ରୂପାନ୍ତରଣ ଦେଇ ଗତିକରୁଛି। ଦିନ ଥିଲା, ଯେତେବେଳେ ଉପନ୍ୟାସ କେବଳ ପାରିବାରିକ କଳହ, ମଧ୍ୟବିତ ଶ୍ରେଣୀର ସାମାଜିକ ଦ୍ୱନ୍ଦ୍ୱ ଏବଂ ପ୍ରେମ-ପ୍ରତାରଣାର ସୀମିତ ପରିଧି ମଧ୍ୟରେ ଆବଦ୍ଧ ରହୁଥିଲା। ମାତ୍ର ସାମ୍ପ୍ରତିକ କାଳରେ ଏହି ଧାରା ସମ୍ପୂର୍ଣ୍ଣ ବଦଳିଯାଇଛି। ଉପନ୍ୟାସ ଏବେ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ରହିନାହିଁ; ଏହା ପ୍ରକୃତି ଓ ପୃଥିବୀକୁ ରକ୍ଷାକରିବା ପାଇଁ ଏକ ଶାଣିତ ବୌଦ୍ଧିକ ଆନ୍ଦୋଳନରେ ପରିଣତ। ବିଶ୍ୱସ୍ତରୀୟ ପରିବେଶ ସଙ୍କଟକୁ ସ୍ଥାନୀୟ ଜୀବନ ସହ ଯୋଡ଼ିବା ଏବଂ ପାଠକୀୟ ଚେତନାକୁ ଜାଗ୍ରତ କରିବା ହିଁ ଆଜିର ଉପନ୍ୟାସ ସାହିତ୍ୟର ନବଦିଗନ୍ତ ବୋଲି ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ଅଭୟ କୁମାର ଦାସଙ୍କ ପୋରୋହିତ୍ୟରେ ବୁଧବାର ଅନୁଷ୍ଠିତ ‘ସାମ୍ପ୍ରତିକ ଓଡ଼ିଆ ଉପନ୍ୟାସର ନବଦିଗନ୍ତ’ ଶୀର୍ଷକ ସମ୍ପାନକୁ ମହାବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ଲେଙ୍କା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କଥାକାର ପବିତ୍ର ପାଣିଗ୍ରାହୀ ଯୋଗଦେଇ ଆଜିର ଉପନ୍ୟାସ କେବଳ ଏକ ସାହିତ୍ୟିକ ସୃଷ୍ଟି ନୁହେଁ, ବରଂ ବଦଳୁଥିବା ସମୟର ସ୍ପଷ୍ଟ ପ୍ରତିବିମ୍ବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଜୟନ୍ତ କୁମାର ଦାସ ଯୋଗଦେଇ ଆଜିର ଉପନ୍ୟାସ ନିଜର ଶୈଳୀଗତ ପରୀକ୍ଷା ନିରୀକ୍ଷା ମାଧ୍ୟମରେ ବିଶ୍ୱସାହିତ୍ୟ ସହ ସମତାଳରେ ଗତି କରିବାର କ୍ଷମତା ରଖୁଛି ବୋଲି କହିଥିଲେ। ବିଶିଷ୍ଟ ଅତିଥି ଓ ଭାବେ ପାଳିଆବିନ୍ଧା କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ତଥା ସମାଲୋଚକ ଡକ୍ଟର ବିଶ୍ୱରଂଜନ ଦାସ ଯୋଗଦେଇ ସାମ୍ପ୍ରତିକ ଉପନ୍ୟାସରେ ମେଟା-ଫିକ୍ସନ, କଳ୍ପ ବିଜ୍ଞାନ, ପରିବେଶ ଚେତନା ଓ ମନସ୍ତାତ୍ୱିକ ଦିଗ ଉପରେ ଗଭୀର ଆଲୋକପାତ କରିଥିଲେ। ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ବେହେରା, ସୀମାରାଣୀ ମିଶ୍ର, ଗୀତାଞ୍ଜଳି ସାହୁ, ଶ୍ରୁତି ସାହୁ, ପ୍ରଶାନ୍ତି ପତି, ବର୍ଷା ନାୟକ, ଚନ୍ଦ୍ରିକା ମଲ୍ଲିକ, ରୋଜାଲିନ ଦାସ, ବିଶ୍ୱଲକ୍ଷ୍ମୀ ବିଶ୍ୱାଳ ପ୍ରମୁଖ ‘ବନ୍ଦେ ଉତ୍କଳ ଜନନୀ’ ଗାନ ଓ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ବିଭାଗର ଅଧ୍ୟାପିକା ଅନୀତାରାଣୀ ବାରିକ୍ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଅଧ୍ୟାପିକା ପ୍ରମିଳା ଜେନା ବିଷୟ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷା ତଥା କବି ସୁଚିତ୍ରା ପାଣିଗ୍ରାହୀ, ଡକ୍ଟର ମନୋଜ କୁମାର ସାହୁ, ରାଜେଶ ପାହାରୀ, ଅନୀଲ ବେହେରା, ଡକ୍ଟର ସଂଗୀତା ଦାସ, ଈପ୍ସିତା ବିଶ୍ୱାଳ, ଗୀତାଞ୍ଜଳି ସାହୁ ତଥା ଓଡ଼ିଆ ବିଭାଗର ସମସ୍ତ ଛାତ୍ରୀ ଉତ୍ସାହର ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଛାତ୍ରୀ ପାର୍ବତୀ ବେହେରା, ଦୀପ୍ତିମୟୀ ବେହେରା, ଜୟଶ୍ରୀ ସାହୁ, ଲକ୍ଷ୍ମୀ ପାଣ୍ଡବ, ଆରତୀ ପଣ୍ଡା ପାଠଚକ୍ର ପରିଚାଳନାରେ ସହାୟତା କରିଥିଲେ। ଏହି ଅବସରରେ ବିଭାଗ ତରଫରୁ ଅତିଥିମାନଙ୍କୁ ପାଠଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ପ୍ରମିଳା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ସାମ୍ପ୍ରତିକ ଓଡ଼ିଆ ଉପନ୍ୟାସ ବୃହତର ରୂପାନ୍ତରଣ ପଥରେ ଗତିଶୀଳ, ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗର...








