କଟକ୨ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡ଼ିଶାର ସର୍ବବୃହତ ଗଣ ସଂଗଠନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ୩୨ତମ ସାମ୍ବିଧାନିକ ସମ୍ମିଳନୀରେ ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତାମାନଙ୍କର ପଦ ଓ ଗୋପନୀୟତାର “ଶପଥ ଗ୍ରହଣ ଉତ୍ସବ’ କଟକ ନୟାସଡ଼କ ସ୍ଥିତ ଓଷ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟାର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରାକ୍ତନ କାର୍ୟ୍ୟକାରୀ ସଭାପତି ଶ୍ରୀଯୁକ୍ତ ସତ୍ୟନାରାୟଣ ତ୍ରିପାଠୀ ଓ ପ୍ରାକ୍ତନ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ଜେନା ନୂତନ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରାଇଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟର ଅନ୍ୟ ଭ୍ରାତୃପ୍ରତିମ ଗଣସଂଗଠନମାନଙ୍କ ମଧ୍ୟରୁ ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ (ଓଲଷ୍ଟା), ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ମଦ୍ରାସା ଶିକ୍ଷକ ସଂଘ, ୬୬୨ କଲେଜ ଶିକ୍ଷକ ସଂଘ ଓ ୪୮୮ କଲେଜ ଶିକ୍ଷକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ପ୍ରକାଶଥାଉକି, ଓଷ୍ଟାର ଗଣତାନ୍ତ୍ରିକ ପରିଚାଳନାର ଅନ୍ୟ ଏକ ଦିଗ ହେଉଛି ଏହାର ସାମ୍ବିଧାନିକ ସମ୍ମିଳନୀ । ପ୍ରତି ତିନି ବର୍ଷରେ ଥରେ ବ୍ଲକ୍ ଠାରୁ ରାଜ୍ୟସ୍ତର ପର୍ୟ୍ୟନ୍ତ ଏହି ପ୍ରକ୍ରିୟାରେ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥାନ୍ତି । ଚଳିତ ବର୍ଷର ରାଜ୍ୟ ସାମ୍ବିଧାନିକ ସମ୍ମିଳନୀ କଟକ ବାରବାଟୀ ଷ୍ଟାଡ଼ିୟମ ନିକଟସ୍ଥ ସଚିନ୍ ତେନ୍ଦୁଲକର ଇନ୍ଡୋର ଷ୍ଟାଡ଼ିୟମଠାରେ ଜାନୁଆରୀ ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ଗ୍ରହଣ କରାଯିବା ସହିତ ଶିକ୍ଷକ କେବଳ ତା’ର ବୃତ୍ତିଗତ ସମସ୍ୟା ଓ ବିଦ୍ୟାଳୟ ସମସ୍ୟା ମଧ୍ୟରେ ସୀମାବଦ୍ଧ ନ ହୋଇ ଜନମାନସରେ ନିତିପ୍ରତି ଘଟୁଥିବା ସମସ୍ୟା ସହିତ ପ୍ରତ୍ୟକ୍ଷ ଭାବରେ ନିଜକୁ ସାମିଲ୍ କରି ଜନସାଧାରଣଙ୍କର ସ୍ୱାର୍ଥପାଇଁ ଲଢ଼େଇ ଜାରି ରଖିବାକୁ ପ୍ରସ୍ତାବ ପାରିତ କରିଛି । ସାମ୍ବିଧାନିକ ସମ୍ମିଳନୀ ପରେ ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ ଉତ୍ସବ ଓ ପ୍ରଥମ କାର୍ୟ୍ୟକାରୀ କମିଟି ବୈଠକ ଆଜି ଓଷ୍ଟା ନୟାସଡ଼କ ସ୍ଥିତ ରାଜ୍ୟ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ରାଜ୍ୟର ବହୁ ବୁଦ୍ଧିଜୀବୀ, ଶିକ୍ଷକ ସଂଗଠନମାନଙ୍କର ପ୍ରତିନିଧି, ଓଷ୍ଟାର ପ୍ରାକ୍ତନ ନେତୃବୃନ୍ଦ ତଥା ଉପଦେଷ୍ଟାଗଣ ଯୋଗ ଦେଇଥିଲେ । ସ୍ୱାଧୀନତା ପୂର୍ବରୁ ସୃଷ୍ଟି ହୋଇଥିବା ଏହି ସର୍ବବୃହତ ଗଣସଂଗଠନ ଆଗାମୀ ଦିନରେ ଛାତ୍ର, ଶିକ୍ଷକ, ଶିକ୍ଷାୟତନ ଓ ସାମାଜିକ ସମସ୍ୟା ଉପରେ ପ୍ରାଥମିକତା ଦେଇ କାର୍ୟ୍ୟକରିବା ପାଇଁ ନିମ୍ନୋକ୍ତ ନିଷ୍ପତ୍ତି ମାନ ଗ୍ରହଣ କରିଥିଲା । ରାଜ୍ୟର ସବୁ ଛାତ୍ରଛାତ୍ରୀଙ୍କୁ ସମାନ ସୁଯୋଗ, ଅଧିକାର ଓ ସୁରକ୍ଷା ପ୍ରଦାନ ସହିତ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା । ବର୍ଗୀକରଣର ଊର୍ଦ୍ଧ୍ୱକୁ ଯାଇ ଶିକ୍ଷକ ନିଯୁକ୍ତି, ସବୁ ଶିକ୍ଷକଙ୍କୁ ଅନୁଦାନ, ଚାକିରିସର୍ତ୍ତାବଳୀ, ଅବସରକାଳୀନ ସୁବିଧା, ସରକାରୀ ମାନ୍ୟତା ପାଇଁ ପ୍ରୟାସ ଜାରି ରଖିବା । ବିଶ୍ୱରେ ସୃଷ୍ଟି ହେଉଥିବା ତାପାୟନ, ପରିବେଶ ପ୍ରଦୂଷଣ, ଜଳକ୍ଲିଷ୍ଟତା, ଅସହିଷ୍ଣୁତା, ଧର୍ମାନ୍ଧତା, ଜାତିଆଣଭାବ ବିରୁଦ୍ଧରେ କାର୍ୟ୍ୟକରିବା ସହିତ ଐକ୍ୟ, ସଂହତି, ସମ୍ବିଧାନର ସୁରକ୍ଷା, ବୃକ୍ଷରୋପଣ ଓ ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରିବା ।ନୂତନ କର୍ମକର୍ତ୍ତାମାନଙ୍କ ମଧ୍ୟରୁ ବିନୋଦ ବିହାରୀ ପାଣିଗ୍ରାହୀ-ସଭାପତି, ଭିକାରୀ ଚରଣ ସାହୁ -କାର୍ୟ୍ୟକାରୀ ସଭାପତି, ରାମକୃଷ୍ଣ ସାବତ, ବଂଶୀଧର ଭୂୟାଁ, ସନ୍ତୋଷ କୁମାର ବିଶ୍ୱାଳ, ରବୀନ୍ଦ୍ର କୁମାର ମୁଣ୍ଡ, ଅଧିକାରୀ ରାଧାକାନ୍ତ ଦାଶ, ସନ୍ତୋଷ କୁମାର ଜେନା, ଆନନ୍ଦ ସାହୁ, ସରୋଜ କୁମାର ପାଣିଗ୍ରାହୀ, ରେବତୀ ଜେନା, ଲୀଳାବତୀ ପଟ୍ଟନାୟକ – ଉପସଭାପତି, ପ୍ରକାଶ ଚନ୍ଦ୍ର ମହାନ୍ତି-ସାଧାରଣ ସମ୍ପାଦକ, ରଞ୍ଜନ କୁମାର ଦାଶ – ଯୁଗ୍ମ ସାଧାରଣ ସମ୍ପାଦକ, ଅଶୋକ କୁମାର ମହାପାତ୍ର – କୋଷାଧ୍ୟକ୍ଷ, ନୀଳମଣି ପୁରୋହିତ, ନିର୍ମଳ କୁମାର ଜେନା, ଭରତ ଚନ୍ଦ୍ର ବରାଳ, ମଧୁସୂଦନ ଦେ, ବିଜୟ କୁମାର ଛତ୍ର, କାହ୍ନୁ ଚରଣ ସାମଲ, ଅତୁଲ ବିକ୍ରମ ପ୍ରଧାନ, ବିନାୟକ ପରିଡ଼ା, ସୁରଜିତା ନାୟକ, ଯୁଗପ୍ରଭା ସାବତ – ସମ୍ପାଦକ, ରମାକାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଦାଶ, ମୃତ୍ୟୁଞ୍ଜୟ ବେହେରା – ସହ-ସମ୍ପାଦକ, ଶଙ୍କର କୁମାର ସୁବୁଦ୍ଧି ସମ୍ପାଦକ ଶିକ୍ଷାପ୍ରଦୀପ, ଜ୍ଞାନରଞ୍ଜନ ପାଣିଗ୍ରାହୀ, ସୁରେନ୍ଦ୍ର ପ୍ରସାଦ ବେହେରା-ସହ ସମ୍ପାଦକ ଶିକ୍ଷାପ୍ରଦୀପ ଭାବେ ଏବଂ ପ୍ରତ୍ୟେକ ଜିଲ୍ଲାରୁ ନିର୍ବାଚିତ ହୋଇ ଆସିଥିବା ରାଜ୍ୟ କାର୍ୟ୍ୟକାରୀ ସଦସ୍ୟଗଣ ଶପଥ ଗ୍ରହଣ କରିଥିଲେ ।ଏହି ଉତ୍ସବରେ ଯୋଗ ଦେଇଥିବା ନେତୃବୃନ୍ଦ ସର୍ବଶ୍ରୀ ପବିତ୍ର ମହଲା, ସଭାପତି ଏବଂ ସାଧାରଣ ସମ୍ପାଦକ ଡ. ଅଟଳ ବିହାରୀ ବଳ ୪୮୮ବର୍ଗ କଲେଜ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘର ନେତ୍ରୀ ଶ୍ରୀମତୀ ସୁଷମା ରେଜ ଏବଂ ମାଦ୍ରାସା ଶିକ୍ଷକ ସଂଘ ତରଫରୁ ଏମ୍. କ୍ୱାସିମ୍ ବେଗ୍, ରାଜା ୱସିମ୍ ପ୍ରମୁଖ ଯୋଗ ଦେଇ ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ଆଗାମୀ ଦିନରେ ନିଜସ୍ୱ ଆନ୍ଦୋଳନ ସହିତ ମିଳିତ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ମତପୋଷଣ କରିଥିଲେ ।