Home ଓଡ଼ିଶା ସାମାଜିକ ଦୂରତା ଏବଂ ଲକ୍ଡାଉନ୍ କଟକଣାକୁ ଗୁରୁତ୍ୱ ଦେଇ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ତରଫରୁ...

ସାମାଜିକ ଦୂରତା ଏବଂ ଲକ୍ଡାଉନ୍ କଟକଣାକୁ ଗୁରୁତ୍ୱ ଦେଇ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ତରଫରୁ ପବିତ୍ର ଅକ୍ଷୀ ତୃତୀୟା ପାଳନ

1247

– ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ମୁହଁରେ ମାସ୍କ ପିନ୍ଧି ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଅକ୍ଷୀମୁଠି ଅନୁକୁଳ କରିଛନ୍ତି

ଭୁବନେଶ୍ୱର, ତା.୨୬/୦୪ (ଓଡ଼ିଆ ପୁଅ) : ପବିତ୍ର ଅକ୍ଷୟ ତୃତୀୟା ଓଡିଶାର ପାରମ୍ପାରିକ କୃଷିଭିତିକ ପର୍ବ ଏବଂ କୃଷକର ଆଦ୍ୟ ଅନୁକୁଳ ପର୍ବ ଭାବେ ପରିଚିତ। କୃଷକ ନିଜ ପରିବାର ସହ ବର୍ଷ ତମାମ୍ ନିଜ ତୁଣ୍ଡ ଝାଳ ମୁଣ୍ଡରେ ମାରି ଲହୁଲୁହାଣ ହୋଇ ବର୍ଷା ଓ ଖରାକୁ ଖାତିର ନକରି ଖାଦ୍ୟ ଶସ୍ୟ ସଂଗ୍ରହ ପାଇଁ ମାଟି ସହିତ ମାଟି ହୋଇ ଲାଗିଥାଏ। ଆଜିର ପବିତ୍ର ତିଥି ପ୍ରତ୍ୟେକ ଚାଷୀ ପରିବାର ପାଇଁ ଆନନ୍ଦ ଓ ଉଲ୍ଲାସର ଦିନ। ଆଜିର ଦିନରେ ଯେତେବେଳେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକାଠର ଅନୁକୁଳ କରାଯାଏ ଏବଂ ପୁରପଲ୍ଲୀରେ ବିଭିନ୍ନ ଶୁଭ ଅନୁକୁଳ କାର୍ଯ୍ୟ କରାଯାଏ, ସେତିକିବେଳେ କୃଷକଟିଏ ନିଜ କ୍ଷେତରେ ଅକ୍ଷୀମୁଠି ଅନୁକୁଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଏହି ଦିନ ସକାଳୁ ସକାଳୁ ଚାଷୀ ପରିବାରରେ ଲିପା ପୋଛା ହୋଇ ଝୋଟି ମୁରୁଜରେ ଘର ସଜା ଯିବା ସହ ବଳଦ, ଲଙ୍ଗଳ, ଧାନଗଉଣୀ ଇତ୍ୟାଦିରେ ମଧ୍ୟ ଚିତା ପଡିଥାଏ। କୃଷକ ଶଂଖନାଦ ସହିତ ଅନୁକୁଳ ବୋଝ ମୁଣ୍ଡରେ ଧରି ନବବସ୍ତ୍ର ପରିଧାନ କରି ନିଜ କ୍ଷେତରେ ଅଖୀମୁଠି ଅନୁକୁଳ କରିଥାଏ। ସଂପ୍ରତି କରୋନା ଭୂତାଣୁ ପ୍ରଭାବରେ ରାଜ୍ୟରେ ଲକ୍ଡାଉନ୍ କଟକଣା ଲାଗୁ ହୋଇଥିବା ସତ୍ୱେ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ମୁହଁରେ ମାସ୍କ ପିନ୍ଧି ଅକ୍ଷୀମୁଠି ଅନୁକୁଳ କରିଛନ୍ତି।



ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ମହେଶ୍ୱର ସାହୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅନ୍ତର୍ଗତ ପଦ୍ମପୁରଠାରେ, ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ ନିଜ କ୍ଷେତରେ ଅକ୍ଷିମୁଠି ଅନୁକୁଳ କରିଛନ୍ତି। ସେହିପରି ମୋର୍ଚ୍ଚାର ରାଜ୍ୟଉପସଭାପତି ଶ୍ରୀରଂଜନ ମଙ୍ଗରାଜ ଖୋର୍ଦ୍ଦା ବ୍ଲକ ଗୋଳବାଇ ଶାସନରେ, ଶ୍ରୀ ପ୍ରଦୀପ୍ତ ସାହୁ ଭଂଜନଗରର ହରିଗଡଠାରେ, ଶଙ୍କର୍ଷଣ ଜେନା ଭଦ୍ରକ ଜିଲ୍ଲା ଖଳାଗଡିଆଠାରେ, ରାଜ୍ୟ ସଂଯୋଜକ କ୍ଷୀରୋଦ ସ୍ୱାଇଁ ଓ ଜିଲ୍ଲା ସଭାପତି କିଶୋର ମହାନ୍ତି କଟକ ସଦରରେ, ନୟାଗଡ ଜିଲ୍ଲା କୋମଣ୍ଡଠାରେ ମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀନିବାସ ପ୍ରଧାନ, ପୁରୀର ପିପିଲିଠାରେ ମୋର୍ଚ୍ଚାର ଜିଲ୍ଲା ସଭାପତି ଅଜୟ ପ୍ରଧାନ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ମୋର୍ଚ୍ଚାର ଜିଲ୍ଲା ସଭାପତି ପ୍ରଶାନ୍ତ ପାଲ୍ଙ୍କ ସମେତ ସମସ୍ତ ଜିଲ୍ଲାରେ ଦଳୀୟ କାର୍ଯ୍ୟକର୍ତାମାନେ ନିଜ ନିଜ କ୍ଷେତରେ ଅକ୍ଷିମୁଠି ଅନୁକୁଳ କରିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.