ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ନୂଆସାହି ଗ୍ରାମର ଗୌରୀ ପରିଡ଼ା (୪୩) ନାମ୍ନୀ ଜଣେ ମହିଳାଙ୍କର ସାପକାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରକାଶ ଯେ ଜୁନ୍ ୨୮ ତାରିଖରେ ନୂଆସାହି ଗ୍ରାମର ସୁଦର୍ଶନ ପରିଡ଼ାଙ୍କ ପତ୍ନୀ ଗୌରୀ ମଧ୍ୟାହ୍ନ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ଗୌରୀଙ୍କୁ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଭଦ୍ରକ ଡାକ୍ତରଖାନା ଯାଉଥିବା ବେଳେ ରାସ୍ତାରେ ଗୌରୀଙ୍କର ମୃତ୍ୟୁ ହୋଇଥିଲା । ପୀରହାଟ ପୁଲିସ ଏ ସମ୍ପର୍କରେ ୧୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।