Home ଜିଲ୍ଲା ପରିକ୍ରମା ସାନ ଭଉଣୀର ପ୍ରେମିକକୁ ଡାକି ଆକ୍ରମଣ

ସାନ ଭଉଣୀର ପ୍ରେମିକକୁ ଡାକି ଆକ୍ରମଣ

20

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଦିହୁଡ଼ି ଆନନ୍ଦପୁର ପଂଚାୟତ ଉତେଇପୁର ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି। ବିବାହିତା ସାନ ଭଉଣୀର ପ୍ରେମିକ କୁ ଡାକି ଘରେ ପୂରେଇ ନିସ୍ତୁକ ମାଡ଼ ମାରିଛନ୍ତି ମହିଳା ଓ ଭଉଣୀ ଜ୍ୱାଇଁଙ୍କ ପରିବାର ଲୋକେ। ଆକ୍ରମଣରେ ସଂପୃକ୍ତ ପ୍ରେମିକ ଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ଦୁଇ ଗୋଡ଼ ଭାଙ୍ଗି ଯାଇଛି। ଗଣ୍ଡଗୋଳ ସଂପର୍କରେ ଖବର ପାଇ ଧାମନଗର ଥାନା ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଂଚି ଆହତ ଯୁବକଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛି। ଏହାସହ ଆକ୍ରମଣରେ ସଂପୃକ୍ତ ଅଭିଯୋଗରେ ଉତେଇପୁରର ମଦନ ପାତ୍ରଙ୍କ ସ୍ତ୍ରୀ ମଧୁସ୍ମିତା ପାତ୍ର, ମଧୁସ୍ମିତାଙ୍କ ସାନ ଭଉଣୀଙ୍କ ସ୍ୱାମୀ ରମାକାନ୍ତ ବେହେରା, ରମାକାନ୍ତଙ୍କ ସାନ ଭାଇ ପ୍ରଶାନ୍ତ ବେହେରା, ପ୍ରିୟବ୍ରତ ବେହେରା ଓ ସେମାନଙ୍କର ଜଣେ ସାଙ୍ଗ ଙ୍କୁ ଥାନାକୁ ନେଇ ଅଟକ ରଖିଛି ପୋଲିସ। ଉତେଇପୁରର ମଦନ ପାତ୍ରଙ୍କ ଶାଳୀ ତଥା ଅଭିଯୁକ୍ତା ମଧୁସ୍ମିତାଙ୍କ ସାନ ଭଉଣୀଙ୍କ ଘର ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ଅଂଚଳରେ। ସେ କିଛି ମାସ ହେଲା ବିବାହ ମଧ୍ୟ କରି ସାରିଛନ୍ତି। ତେବେ ମଧୁସ୍ମିତାଙ୍କ ସାନ ଭଉଣୀଙ୍କୁ ତାଙ୍କର ପୂର୍ବତନ ପ୍ରେମିକା ସେହି ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ପଂଚାୟତ ବଇଁଚା ଗାଁର ଯୁବକ ସଞ୍ଜୟ ରାଉତ ଦୀର୍ଘ ବର୍ଷ ଧରି ପ୍ରେମ କରି ଆସୁଥିଲେ। ଏପରିକି ସେ ବିବାହ କରିଲା ପରେ ବି ସଞ୍ଜୟ ତାଙ୍କ ପିଛା ଛାଡ଼ି ନଥିଲେ। ବାରମ୍ବାର ଫୋନ୍ କରିବା ସହ ହଇରାଣ ହରକତ କରୁଥିଲେ। ଏଥିରେ ଅସହ୍ୟ ହୋଇ ସେ ନିଜର ବଡ଼ ଭଉଣୀ ମଧୁସ୍ମିତାଙ୍କୁ ଜଣାଇଥିଲେ। ଏବେ ଉତେଇପୁର ନିକଟ ମାନଲାପୁରରେ ରାସ ପୂର୍ଣ୍ଣିମା ଅବସରରେ ମେଳା ଚାଲିଥିବାରୁ ମଧୁସ୍ମିତାଙ୍କ ଶାଶୂ ଘରକୁ ମହିଳା ଜଣକ ଆସିଥିଲେ। ଆଉ ସଞ୍ଜୟକୁ ପାନେ ଦେବା ଲାଗି ଦୁଇ ଭଉଣୀ ଯୋଜନା କରିଥିଲେ। ଏହାପରେ ମଧୁସ୍ମିତା ତାଙ୍କ ସାନ ଭଉଣୀଙ୍କ ସ୍ୱାମୀ ଓ ଦିଅରଙ୍କୁ ଡକେଇଥିଲେ। ତା ପରେ ସଞ୍ଜୟଙ୍କୁ ବିଭିନ୍ନ ବାହାନା କରି ଡାକି ଆଣିଥିଲେ। ଆଜି ଅପରାହଣରେ ସଞ୍ଜୟ ପହଂଚିବା ପରେ ତାଙ୍କୁ ଗୋଟେ ଘର ଭିତରେ ପୂରେଇ ମଧୁସ୍ମିତା, ସାନ ଭଉଣୀଙ୍କ ସ୍ୱାମୀ ରମାକାନ୍ତ, ତାଙ୍କ ଭାଇ ପ୍ରଶାନ୍ତ, ପ୍ରିୟବ୍ରତ ଓ ସାଙ୍ଗ ମିଶିକି ଅମାନୁଷିକ ଭାବେ ବାଡ଼େଇ ଚାଲିଥିଲେ। ଏଥିରେ ସଞ୍ଜୟ ଗୁରୁତର ଆହତ ହୋଇଥିଲେ। ସଞ୍ଜୟଙ୍କ ଚିତ୍କାର ଓ ହୋ ହଲ୍ଲା ଶବ୍ଗ ଶୁଣି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.