ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଗରଦୁଲ୍ଲଣୀ ମହାଲକ୍ଷ୍ମୀ ମହୋତ୍ସବ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶେଣୀପୁର ଠାରେ ତୃତୀୟ ସନ୍ଧ୍ୟାରେ ପଦାର୍ପଣ କରିଛି। ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ସଙ୍ଗୀତଜ୍ଞ ସର୍ବେଶ୍ୱର ପଣ୍ଡା ଓ ନୃତ୍ୟଶିଳ୍ପୀ ଦିପ୍ଶିଖା ଓଝା। ସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ଝୁମିଥିଲେ ଦର୍ଶକ। ବିଳମ୍ବିତ ରାତ୍ରି ଯାଏ ଦର୍ଶକମାନେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ଆୟୋଜିତ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ସଙ୍ଗୀତଜ୍ଞ ଗୋପିନାଥ ପାଢୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ମନୁଷ୍ୟର ପ୍ରାଣଶକ୍ତିକୁ ସୁସଞ୍ଜତ ଓ ବଳବାନ କରିବାକୁ ହେଲେ ସଙ୍ଗୀତ ଅପରିହାର୍ଯ୍ୟ। ସ୍ୱର ଓ ଲକ୍ଷ ଏକାଗ୍ରତାକୁ ବଢାଇଥାଏ। ବିଶେଷ ଭାବେ ଏହା ଛାତ୍ରଛାତ୍ରୀଙ୍କ ସ୍ମରଣଶକ୍ତି ବଢାଇବା ସହିତ ଶିକ୍ଷାପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିଥାଏ। ମୁଖ୍ୟବକ୍ତା ଭାବେ ସମାଜସେବିକା ଜ୍ୟୋତ୍ସ୍ନାରାଣୀ ଓଝା ତାଙ୍କ ବକ୍ତବ୍ୟରେ କହିଲେ, ଅନୁନ୍ନତ ପଞ୍ଚାୟତ ସାହାପୁରୁର ଶେଣୀପୁର ଭଳି ଗ୍ରାମାଞ୍ଚଳରେ ଦୀର୍ଘଦିନ ଧରି ପାଳିତ ହୋଇ ଆସୁଥିବା ଏହି ମହୋତ୍ସବ ଲୋକଲୋଚନ ଅଢୁଆଳରେ ରହି ଯାଇଛି।
ଆଧ୍ୟାତ୍ମିକ ପରିବେଶରେ ଏଭଳି କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇ ପାରିଛି। ଏଠାରେ କୁନିକୁନି ପ୍ର୍ତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ଦ୍ୱାରା ସେମାନଙ୍କ ଆତ୍ମବଳ ବୃଦ୍ଧି ହେବା ସହିତ ଆଗକୁ ବଢିବାକୁ ଉତ୍ସାହିତ ହେଉଛନ୍ତି। ଆୟୋଜିତ ପ୍ର୍ତିଭା ସମ୍ବର୍ଦ୍ଧନା ସଭାକୁ ସମ୍ବାଦିକ ହେମନ୍ତ ସିଂହ ସଭାପତିତ୍ୱ କରି କହିଲେ, ସାଗରଦୁଲ୍ଲଣୀଙ୍କ ଆଶୀର୍ବାଦରୁ ଏହି ମହୋତ୍ସବ ଧୀରେଧୀରେ କାୟା ବିସ୍ତାର କରି ଚାଲିଛି। ପୀଠ ପ୍ରତି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆକର୍ଷିତ ହୋଇ ମନୋବାଞ୍ଛା ପୂରଣ କରିପାରୁଛନ୍ତି। ଏହାଦ୍ୱାରା ସଂସାରରେ ବହୁବିଧ ଉନ୍ନତି ସାଧିତ ହୋଇ ପାରିଛି। ସେବକ ଅବିନାଶ ଦାସ ତାଙ୍କ ଅଭିଭାଷଣରେ ମା’ଙ୍କ ମହିମା ଅତୁଳନୀୟ କହିବା ସହିତ ଏଠାରେ ଯେଉଁ ଚମତ୍କାରିତା ଦେଖା ଦେଉଛି ତାହା ସବୁ ବିଭୁ କୃପାରୁ ସମ୍ଭବ ବୋଲି କହିଥିଲେ। ଈଶ୍ୱରଙ୍କ ଇଚ୍ଛା ବିନା ଗଛର ପତ୍ର ମଧ୍ୟ ହଲେ ନାହିଁ। ଆଗକୁ ଯେଉଁ ପ୍ରଳୟଙ୍କାରୀ ସମୟ ଆସୁଛି ସେଥିରୁ ପୂର୍ବଭାରତକୁ ରକ୍ଷା ନିମନ୍ତେ ମା’ ଏଠାରେ ଆବିର୍ଭାବ ହୋଇଛନ୍ତି। କୁନି ନୃତ୍ୟଶିଳ୍ପୀ ଦିପ୍ଶିଖା ଓଝା ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ ସଙ୍ଗୀତ ଶିଳ୍ପୀ ସର୍ବେଶ୍ୱର ପଣ୍ଡା, ଲକ୍ଷ୍ମୀପ୍ରିୟା ଦାସ ଓ ଅତସି ବାରିକଙ୍କ ସୁମଧୁର ସଙ୍ଗୀତକୁ ଅଞ୍ଚଳବାସୀ ଉପଭୋଗ କରିଥିଲେ। ଏହି ଅବସରରେ ପୀଠ ତରଫରୁ ସମ୍ବର୍ଦ୍ଧିତ ପ୍ର୍ତିଭା ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ମାନପତ୍ର, ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମୀପ୍ରିୟା ବାରିକ, ଅଞ୍ଜନା ବାରିକ, ପ୍ରମିଳା ବାରିକ, ରାଜୀବ ସାମଲ, କାଳନ୍ଦୀ ବାରିକ, ନିହାର ରଞ୍ଜନ ସାହୁ, ବୁଲୁ ବାରିକ, ଚନ୍ଦନ ବାରିକ, ଅମର ବାରିକ, ଅମୂଲ୍ୟ ବାରିକ ପ୍ରମୁଖ ସହଯୋଗ କରିଥିଲେ।