Home ଜିଲ୍ଲା ପରିକ୍ରମା ସାଂସଦ ଓ ବିଧାୟକଙ୍କ ଘର ସମ୍ମୁଖରେ ଆଶାକର୍ମୀ ଓ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନଙ୍କ ବିକ୍ଷୋଭ

ସାଂସଦ ଓ ବିଧାୟକଙ୍କ ଘର ସମ୍ମୁଖରେ ଆଶାକର୍ମୀ ଓ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନଙ୍କ ବିକ୍ଷୋଭ

84

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୧ ଦଫା ଦାବି ଉପସ୍ଥାପନା କରି ଆଶାକର୍ମୀ ଓ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଭଦ୍ରକ ବିଧାୟକ, ସାଂସଦ ଓ ଭଣ୍ଡାରିପୋଖରୀ ବିଧାୟକଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବସ୍‌ଷ୍ଟାଣ୍ଡ ଠାରେ ସିଟୁ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଷ୍ଣୁ ଦାଶ, ସୀତା ଦାସ, ବାସନ୍ତୀ ବେହେରା, ମମତା ଜେନା, ରାଧା ଦାସ, ମଳୟ ଭୋଇ ମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏମ୍‌ପି ଓ ଏମ୍‌ଏଲ୍‌ଏ ମାନେ ଦରମା ଓ ପେନସନ ପାଉଥିବାବେଳେ ଆଶାକର୍ମୀ ଓ ପାଚିକା ସହାୟିକା ମାନଙ୍କୁ ଗୋତି ଶ୍ରମିକ ଭାବେ ଖଟାଇ କମ୍ ଦରମା ଦେବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। କରୋନାରେ ମୃତ୍ୟୁବରଣ କରିଥିବା ଆଶାକର୍ମୀମାନଙ୍କୁ ଅଦ୍ୟାବଧି କ୍ଷତିପୂରଣ ମିଳିନଥିବା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଦରଦାମ ବୃଦ୍ଧି କରି ସାଧାରଣ ଜନତାଙ୍କ ଉପରେ ଜିଏସ୍‌ଟି ଲାଗୁ କରୁଥିବାବେଳେ ଆଦାନୀ, ଆମ୍ବାନୀ, ଟାଟା କଂପାନୀକୁ ଟିକସ ଛାଡ କରୁଛନ୍ତି ଓ ଋଣ ଛାଡ କରୁଛନ୍ତି। ଆଶାକର୍ମୀମାନଙ୍କୁ ଓ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ କରିବା, ମାସକୁ ୨୬ ହଜାର ଟଙ୍କା ବେତନ, ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମାସିକ ୧୦ ହଜାର ପେନସନ ଦେବା, ସମସ୍ତଙ୍କର ସ୍ୱାସ୍ଥ୍ୟବୀମା ଯୋଗାଇବା, ମୋବାଇଲ୍ ଦେବା, କରୋନା ସମୟରେ ମୃତ୍ୟୁବରଣ କରିଥିବା ଆଶାକର୍ମୀଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦାବି କରାଯାଇଥିଲା। ଏହି ସଭାରେ ଶ୍ରମିକ ନେତା ଦିବ୍ୟସିଂହ ନାୟକ କହିଲେ ଯେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। ବିଧାନସଭା ନିର୍ବାଚନ ବେଳେ ବିଧାୟକ ଓ ସାଂସଦଙ୍କ ନିର୍ବାଚନ ମଣ୍ଡଳୀରେ ସମସ୍ତଙ୍କୁ ଜବାବ ଦେବାକୁ ସେ କର୍ମୀମାନଙ୍କୁ ନିବେଦନ କରିଥିଲେ। ସିଟୁ ନେତୃତ୍ୱରେ ଏକ ବିରାଟ ପଟୁଆର ବସ୍‌ଷ୍ଟାଣ୍ଡରୁ ବାହାରିଥିଲା। ଏଥିରେ ରାଧା ଦାସ, କାଳନ୍ଦୀ ପାତ୍ର, ମମତା ଜେନା, ମହେଶ୍ୱର ନାୟକ, ବିଷ୍ଣୁ ଦାଶ, ଶାନ୍ତିଲତା ନାୟକ, ପଦ୍ମିନୀ ପଣ୍ଡା, ନାରାୟଣ ପାତ୍ର, ସରସ୍ୱତୀ ହାତୀ, ପ୍ରତିମା ସାମଲ, ବାସନ୍ତୀ ବେହେରା ପ୍ରମୁଖ ଶତାଧିକ କର୍ମୀ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.