Home ଅନୁଗୁଳ ସାଂସଦଙ୍କ ଦ୍ୱାରା ପ୍ରତିଷ୍ଠିତ ଦୁଇ ଅନୁଷ୍ଠାନର ନୂତନ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟିତ

ସାଂସଦଙ୍କ ଦ୍ୱାରା ପ୍ରତିଷ୍ଠିତ ଦୁଇ ଅନୁଷ୍ଠାନର ନୂତନ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟିତ

29

ତାଳଚେର,୨୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ଓ ସାପ୍ତାହିକ ପତ୍ରିକା ‘ଆଗେଇବା’ର ନୂତନ କାର୍ଯ୍ୟାଳୟ ଦେଉଳବେଡ଼ାଠାରେ ଉଦ୍‌ଘାଟିତ ହୋଇଛି । ଏହି ଦୁଇ ଅନୁଷ୍ଠାନର ପ୍ରତିଷ୍ଠାତା ଢ଼େଙ୍କାନାଳ ସାଂସଦ ମହେଶ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଏମ୍‌ସିଏଲ୍ ଜଗନ୍ନାଥ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଅରୁଣ କୁମାର ସ୍ୱର୍ଣ୍ଣକାର, ଲିଙ୍ଗରାଜ କୋଇଲା କ୍ଷେତ୍ର ମହାପ୍ରବନ୍ଧକ ଆର.କେ. ରାଜୁ ଓ ଭରତପୁର କୋଇଲାକ୍ଷେତ୍ର ମହାପ୍ରବନ୍ଧକ ମୁରାରୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଲକ୍ଷ୍ୟ ନେଇ ‘ଆମ ପ୍ରତିଭା ଆମ ପରିଚୟ’ ଅନୁଷ୍ଠାନ ଗଠିତ ହୋଇଥିଲା ବେଳେ ବିଭିନ୍ନ ସମୟରେ ମହାପୁରୁଷ, ଅସହାୟ ଓ ଗରିବ ଲୋକଙ୍କୁ ସାହାଯ୍ୟ କରି ଏହି ଅନୁଷ୍ଠାନ ତାର କାର୍ଯ୍ୟକ୍ରମ ଜାରି ରଖିଥିବାରୁ ସାଂସଦ ଶ୍ରୀ ସାହୁ ଅନୁଷ୍ଠାନର ସଦସ୍ୟମାନଙ୍କୁ ସାଧୁବାଦ ଜଣାଇବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସେହିପରି ‘ଆଗେଇବା’ ଖବରକାଗଜ ସମ୍ପର୍କରେ ଉଲ୍ଲେଖ କରି ସାଂସଦ ତଥା ଉକ୍ତ ଖବରକାଗଜର ସମ୍ପାଦକ ଶ୍ରୀ ସାହୁ ଅପହଂଚ ଇଲାକାର ଖବର କିପରି ଲୋକଲୋଚନକୁ ଆସିପାରିବ ସେଥିପାଇଁ ଏହି ପତ୍ରିକାର ଖବରଦାତାମାନେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ଦୁଇଜଣ ପ୍ରତିଭାବାନ୍ ବ୍ୟକ୍ତି ସମାଜସେବୀ ବାନାମ୍ବର ଭୂତିଆ ଓ ବିଶିଷ୍ଟ ବ୍ୟବସାୟୀ ହିମାଂଶୁ ଶେଖର ଗଡ଼ନାୟକଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୋଳ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ,ଅନୁଗୋଳ ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡ଼ନାୟକ,ଢ଼େଙ୍କାନାଳ ଜିଲ୍ଳାପରିଷଦ ଉପାଧ୍ୟକ୍ଷ ଦଣ୍ଡଧର ସାହୁ,ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନର ସଭାପତି ରମେଶ ବେହେରା, ସାଧାରଣ ସମ୍ପାଦକ ଡକ୍ଟର ନିମାଇଁ ଚରଣ ପ୍ରଧାନ, ଶ୍ରମିକ ନେତା ମନୋଜ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲା ବେଳେ ଗୋବର୍ଦ୍ଧନ ପୀଠର ସମ୍ପାଦକ ମାତୃପ୍ରସାଦ ମିଶ୍ର ସଭାପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଂଚଳରୁ ଶତାଧିକ ଶୁଭେଚ୍ଛୁ ଓ ସମର୍ଥକ ଯୋଗ ଦେଇଥିଲେ । କୋଭିଡ୍ କଟକଣା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.