Home ଜିଲ୍ଲା ପରିକ୍ରମା ସହିଦ୍‌ମାନଙ୍କ ବଳିଦାନ ଉପରେ ଆମ ଦେଶର ପରିଚୟ ଦଣ୍ଡାୟମାନ – ରାଜ୍ୟପାଳ, ରକ୍ତତୀର୍ଥ ଇରମରେ ୮୧ତମ...

ସହିଦ୍‌ମାନଙ୍କ ବଳିଦାନ ଉପରେ ଆମ ଦେଶର ପରିଚୟ ଦଣ୍ଡାୟମାନ – ରାଜ୍ୟପାଳ, ରକ୍ତତୀର୍ଥ ଇରମରେ ୮୧ତମ ଶହୀଦ ଦିବସ ପାଳିତ

32

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂର୍ଯ୍ୟ ନିଜେ ଜଳି ବ୍ରହ୍ମାଣ୍ଡକୁ ଆଲୋକ ଦେଲା ଭଳି କଷଣ ଜର୍ଜରିତ ସହିଦ୍‌ମାନଙ୍କ ତ୍ୟାଗ, ତୀତିକ୍ଷା, ବଳିଦାନ ପାଇଁ ସ୍ୱାଧୀନ ଭାରତ ଆଜି ଆନ୍ତର୍ଜାତିକ କ୍ଷେତ୍ରରେ ଜଗତ ଜନନୀ ହୋଇ ଉଭା ହୋଇଛି । ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ସହିଦ୍ ମହିଳା ଇରମ୍‌ର ପରି ବେୱା ଭଳି କେତେ କେତେ ପରିବେୱା, ରକ୍ତ ରଞ୍ଜିତ ଇରମ୍ ମାଟି ପରି କେତେ କେତେ ଇରମ୍‌ର ଅଧ୍ୟାୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଲିପିବଦ୍ଧ । ସ୍ୱାଧୀନତା ପ୍ରାପ୍ତି ପାଇଁ ଏ ମାଟି ତଳେ ଯେଉଁ ରକ୍ତ ବହିଛି ତାର ଉତ୍ତର ଦାୟାଦ ହିସାବରେ ଆମ ଦେଶର ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଦେଶର ପ୍ରଗତି, ସଂହତି ଜାତୀୟତା ବୋଧରେ ଆମେ ସମସ୍ତେ ଉତ୍‌ପ୍ରେରିତ ହେବା । ସନାତନ ଧର୍ମର ମୂଳମନ୍ତ୍ର ବସୁଧୈବ କୁଟୁମ୍ବକମ୍ ଆଧାରରେ ସାରା ଦୁନିଆକୁ ମାନବିକତାର ସହରରେ ପରିଣତ କରାଇବାରେ ଆମ ଦେଶକୁ ଉଦାହରଣ ବନାଇବା । ସହୀଦ୍ ପୀଠ ରକ୍ତ ତୀର୍ଥ ଇରମ୍ ମାଟିରେ ଆୟୋଜିତ ୮୧ ତମ ସହିଦ୍ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମାନନୀୟ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ସହିଦ୍‌ମାନଙ୍କ ସ୍ମୃତି ଚାରଣା ପରିପ୍ରେକ୍ଷୀରେ ଏହିଭଳି ଆବେଗଭରା ଜାତୀୟତା ବୋଧକ ବକ୍ତବ୍ୟ ରଖିଥିଲେ ।

ଶହୀଦ ସ୍ମୃତି କମିଟି, ଇରମ୍‌ର ସଭାପତି ଭାଗିରଥୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟପାଳଙ୍କ ସହିତ ଅନ୍ୟତମ ସମ୍ମାନିତ ଅତିଥି ଭାବେ, ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ସାଂସଦ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ, ଧାମନଗର ମୁକ୍ତିକାନ୍ତ ମଣ୍ଡଳ, ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ଇରମ୍ ସରପଞ୍ଚ ସାବିତ୍ରୀ ବଳ, ସମିତି ସଭ୍ୟା ଲଗ୍ନିକା ମଲ୍ଲିକ୍ ପ୍ରମୁଖ ଯୋଗ ଦେଇଥିଲେ । ସ୍ମୃତି କମିଟିର ସମ୍ପାଦକ ସାମ୍ବାଦିକ ରଞ୍ଜନ କୁମାର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ହେବା ଅବସରରେ ଭାରତୀୟ ସ୍ୱାଧୀନତା ଇତିହାସରେ ଦ୍ୱିତୀୟ ଜାଲିୱାନାବାଗ୍ ହତ୍ୟାକାଣ୍ଡ ଭାବେ ବିବେଚିତ ଇରମ୍ ଗୁଳିକାଣ୍ଡ ଘଟଣାର ଅବତାରଣା କରିଥିଲେ । ଅନ୍ୟତମ ଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ଇରମ୍ ମାଟିର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଏବେ ୩ କୋଟି ୪୭ ଲକ୍ଷ ସହିତ ୨୦୧୨-୧୩ ରୁ ଅଦ୍ୟାବଧି ସମୁଦାୟ ୪ କୋଟି ୩୬ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯିବା ନେଇ ପ୍ରକାଶ କରିଥିଲେ । ଆମ ଚରିତ୍ର, ତ୍ୟାଗ, ସେବା ମାଧ୍ୟମରେ ସହିଦମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବା ନାହିଁ ବୋଲି ସେ ଆହ୍ୱାନ ଦେଇଥିଲେ ।

ଇରମ୍‌କୁ କେନ୍ଦ୍ରୀୟ ମାନ୍ୟତା ପ୍ରଦାନ, ସହିଦ୍‌ମାନଙ୍କ ଉଦ୍ଦେଶ୍ୟରେ ଡ଼ାକ ଟିକଟ ପ୍ରଚଳନ ଦାବୀ କରାଯାଇଥିବା ନେଇ ସାଂସଦ ଶ୍ରୀମତୀ ମଣ୍ଡଳ ପ୍ରକାଶ କରିଥିଲେ । ୧୯୪୨ ସେପ୍ଟେମ୍ବର ୨୮ରେ ଇରମ୍ ଗୁଳିକାଣ୍ଡରେ ୨୯ ଜଣଙ୍କ ସହିଦ୍ ଘଟଣା ପାଇଁ ସାରା ଦେଶରେ ଇରମ୍‌ର ସ୍ୱତନ୍ତ୍ର ପରିଚୟ ଓ ସେପ୍ଟେମ୍ବର ୨୮ ତାରିଖର ଗୁରୁତ୍ୱ ପାଇଁ ଉକ୍ତ ଦିବସକୁ ସାରା ରାଜ୍ୟରେ ଶହୀଦ୍ ଦିବସ ଭାବେ ପାଳନ କରାଯିବାକୁ ବିଧାୟକଙ୍କ ସହ ଅନ୍ୟ ଅତିଥି ଓ କମିଟି କର୍ମକର୍ତ୍ତାମାନେ ଦାବୀ ଜଣାଇବା ସହିତ ରାଜ୍ୟପାଳଙ୍କୁ ଇରମ୍‌ର ଉନ୍ନତି ନେଇ ଦାବୀପତ୍ର ପ୍ରଦାନ କରିଥିଲେ । ଇରମରେ ସେଦିନର ଭୂଗୋଳ ଓ ଇତିହାସର ସ୍ମୃତିଚାରଣା ଅବସରରେ ସହିଦ୍ ଦିବସ ପାଳନ ଜରିଆରେ ସମସ୍ତଙ୍କ ମଧ୍ୟରେ ଦେଶାତ୍ମବୋଧର ସ୍ଫୁର୍ତ୍ତି ଜାଗରିତ ହେଉ ବୋଲି ମଧ୍ୟ ଅତିଥିମାନେ ପ୍ରକାଶ କରିଥିଲେ । ରାଜ୍ୟପାଳ ଶହୀଦ୍‌ମାନଙ୍କ ସ୍ମୃତି ସମାଧିପୀଠ ଓ ସ୍ମୃତି ସ୍ତମ୍ଭରେ ପୁଷ୍ପସ୍ତବକ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପ୍ରଥମ ମହିଳା ସହିଦ୍ ଇରମ୍ ମାଟିର ଗର୍ବ ଓ ଗୌରବ ପରିବେୱାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଗବେଷକ ଅଜୟ ପଣ୍ଡାଙ୍କ ଲିଖିତ ପୁସ୍ତକ ‘ପଥେ ପଥେ ଇରମ୍‌’କୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ ।

କମିଟି ତରଫରୁ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ଛାତ୍ରୀ ଆଦ୍ୟାଶ ଦାସଙ୍କ ଦ୍ୱାରା ଅଙ୍କିତ ରାଜ୍ୟପାଳଙ୍କ ଚିତ୍ରପଟ୍ଟ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସକାଳେ ଏହି ଉତ୍ସବରେ ଯୋଗଦେଇ ସ୍ମୃତି ସମାଧିପୀଠ ଓ ସ୍ମୃତି ଶହୀଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବକ୍ତବ୍ୟ ପ୍ରସଙ୍ଗରେ ଇରମ ମାଟିର ଅନନ୍ୟ ବଳିଦାନ ର ମହତ୍ୱ କଥା ପ୍ରକାଶ କରିବା ସହିତ ଇରମ୍‌ର ବିକାଶ ନେଇ ସୂଚନା ପ୍ରଦାନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟମାନଙ୍କରୁ ଛାତ୍ରଛାତ୍ରୀମାନେ ପ୍ରଭାତ ଫେରୀ ଓ ଶୋଭାଯାତ୍ରାରେ ଆସି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସ୍ମୃତି କମିଟିର ସହଯୋଗରେ ବାସୁଦେବପୁର ବି.ଡ଼ି.ଓ. ସତ୍ୟଜିତ୍ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପାଳନରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଡ଼େପୁଟି କଲେକ୍ଟର ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଓ ଏସ୍‌.ଡ଼ି.ପି.ଓ ସୌରଭ କରଙ୍କ ତତ୍ତ୍ୱାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ସୁଚାରୁ ରୂପେ ସମ୍ପାଦିତ ହେବା ସହିତ ପୋଲିସ୍ ପ୍ରଶାସନ ପକ୍ଷରୁ ଅମର ସହିଦ୍‌ମାନଙ୍କ ଉଦ୍ଦେଶ୍ୟରେ ଗାର୍ଡ଼ଅଫ୍ ଅନର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.