Home ଓଡ଼ିଶା ସହସ୍ରାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ

ସହସ୍ରାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ

859

ଭୁବନେଶ୍ୱର, ୧୬/୪ (ଓଡ଼ିଆ ପୁଅ) : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୁରୀ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସତ୍ୟବ୍ରତ ପାତ୍ର, ନିମାପଡ଼ାର ସ୍ମୃତି ପ୍ରକାଶ ନନ୍ଦ ଓ ପ୍ରତାପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୨୦୦ କଂଗ୍ରେସ କର୍ମୀ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା କଂଗ୍ରେସର ଉପ-ସଭାପତି ଅଶ୍ୱିନୀ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ପୂର୍ଣ୍ଣେଶ ସେନାପତି, ନିମାପଡ଼ା ଏନ୍‌ଏସି ପୂର୍ବତନ ସଭାପତି ବିଭୂତି ଭୂଷଣ ସ୍ୱାଇଁ, ବ୍ଲକ ପୂର୍ବତନ ସଭାପତି ଶ୍ରୀମତୀ ଅମିତା ସ୍ୱାଇଁ, ଜିଲ୍ଲା ସାଧାରଣ ସଂପାଦକ ଧର୍ମେନ୍ଦ୍ର ସାହୁ, କୃଷକ ସେଲ୍‌ଅଧ୍ୟକ୍ଷ ପ୍ରଦୀପ୍ତ ସାମନ୍ତରାୟ, ବ୍ଲକ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ସେଠୀ, ଜିଲ୍ଲା କଂଗ୍ରେସ ସଂପାଦକ ଅସମତ ବକ୍ସ, ରମେଶ ପ୍ରଧାନ, ଜିଲ୍ଲା କୃଷକ ସେଲ୍‌ଉପ-ସଭାପତି ଭୀମସେନ ପ୍ରଧାନ ପ୍ରମୁଖ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାର ବିଜେପି ଅନୁସୂଚିତ ଜନଜାତି ସେଲ୍‌ମୁଖପାତ୍ର ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଛବି ମାହାଲିଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ, କଟକ ସଦର ବିଧାନସଭା ଆସନର ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ୭୦୦ କଂଗ୍ରେସ ଓ ବିଜେପି କର୍ମୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଳାର ମୀର ମହମ୍ମଦ ଅମୀରଙ୍କ ନେତୃତ୍ୱରେ ୨୦୦ ସଂଖ୍ୟାଲଘୁ କଂଗ୍ରେସ ଓ ବିଜେପି କର୍ମୀ ନବୀନ ନିବାସରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ କଂଗ୍ରେସ ଓ ବିଜେପି ନେତା-କର୍ମୀଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ ହଜାରରୁ ଊର୍ଦ୍ଧ୍ୱ କଂଗ୍ରେସ ଓ ବିଜେପିର ନେତା-କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଏହି ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ।

ଦଳରେ ଯୋଗ ଦେବା ଅବସରରେ ସତ୍ୟବ୍ରତ ପାତ୍ର କହିଥିଲେ ଯେ ମୁଁ ଚାରି ଚାରିଜଣ ପିସିସି ସଭାପତିଙ୍କ ସହିତ କାମ କରିଛି। ସାରା ରାଜ୍ୟରେ କଂଗ୍ରେସ କିଭଳି ସଂଗଠିତ ହୋଇପାରିବ ସେଥିପାଇଁ ଦିନରାତି କାମ କରୁଥିଲି। କିନ୍ତୁ ରାଜ୍ୟ କଂଗ୍ରେସରେ ଯେଭଳି ଅଂହକାର ମନୋଭାବ ନେଇ କାର୍ଯ୍ୟ ଚାଲିଛି, ସେଥିରେ ଅତିଷ୍ଠ ହୋଇ ଆଜି ମୋ ସହିତ ୭୦୦ରୁ ଊର୍ଦ୍ଧ୍ୱ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛୁ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ଦଳର ନିମାପଡ଼ା ବିଧାୟକ ଶ୍ରୀ ସମୀର ରଞ୍ଜନ ଦାଶ, କଟକ-ସଦର ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରା, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଓ ସଭାପତିଙ୍କ ରାଜନୈତିକ ସଚିବ ଡ.ଗୋପବନ୍ଧୁ ଦାସଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.