ଭୁବନେଶ୍ୱର, ୨୪.୧୨ (ଓଡ଼ିଆ ପୁଅ) ରାଜ୍ୟର ପ୍ରଥମ ଟାଉନ ପ୍ଳାନିଂ ଯୋଜନାରେ ଆଜି ଭୁବନେଶ୍ୱର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସିଂ ଜରିଆରେ ପଟ୍ଟା ଆବଣ୍ଟନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରାଞ୍ଚଳ ବିକାଶରେ ନାଗରିକ ଓ ଗୋଷ୍ଠୀଗତ ଭାଗିଦାରୀ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା। ଲୋକଙ୍କ ସହଯୋଗରେ ସହରାଞ୍ଚଳରେ ଏହିଭଳି ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାକୁ ଦେଶର ରୋଲମଡେଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ବର କେବଳ ରାଜ୍ୟ ନୁହେଁ, ସାରା ଦେଶର ଏକ ଆକର୍ଷଣୀୟ ସହର। ଏହାର ଲୋକସଂଖ୍ୟା ଓ ପରିସୀମା କ୍ରମାଗତଭାବେ ବୃଦ୍ଧି ପାଉଛି। ଏ ଦୃଷ୍ଟିରୁ ଏହାର ସାମଗ୍ରିକ (holistic) ବିକାଶ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ ସହରର ଉପକଣ୍ଠରେ ଜନସାଧାରଣଙ୍କ ଭାଗିଦାରୀରେ ଟାଉନ ପ୍ଳାନିଂ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
କ୍ରମବର୍ଦ୍ଧିଷ୍ଣୁ ସହର ଗୁଡିକର ଯୋଜନାବଦ୍ଧ ବିକାଶ ପାଇଁ ଏହା ସଂପୂର୍ଣ୍ଣ ଭାବେ ଏକ ସ୍ୱଚ୍ଛ ଓ ବାସ୍ତବବାଦୀ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସୂଚନାଯୋଗ୍ୟ ଯେ ଟାଉନ ପ୍ଳାନିଂ କାର୍ଯ୍ୟକ୍ରମରେ ଯୋଜନା ଅଞ୍ଚଳର ୪୦ ପ୍ରତିଶତ ଜମିକୁ ରାସ୍ତାଘାଟ ଆଦି ବିଭିନ୍ନ ଭିତ୍ତିଭୂମିର ବିକାଶ ପାଇଁ ରଖାଯାଏ। ଭିତ୍ତିଭୂମି ବିକାଶ ସହିତ ଜମିର ଦର ବୃଦ୍ଧି ଯୋଗୁ ଜମି ମାଲିକମାନେ ଉପକୃତ ହୁଅନ୍ତି। ରାଜ୍ୟରେ ବର୍ତ୍ତମାନ ୫୮ଟି ରାଜସ୍ବ ଗ୍ରାମରେ ୪୫ଟି ଟାଉନ ପ୍ଳାନିଂ କରାଯାଇଛି। ପ୍ରାଥମିକ ଭାବେ ୪ଟି ଗାଁର ଯୋଜନା ଅନୁମୋଦିତ ହୋଇଛି। ଏଥିରେ ସମୁଦାୟ ୭୪୬ ଏକର ଜମିରେ ଭିତ୍ତିଭୂମିର ବିକାଶ କରାଯାଉଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଜନାବଦ୍ଧ ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବା ଏବଂ ଅନ୍ୟ ସହରମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ସେ ପୁଣି କହିଥିଲେ ଯେ ସହର ଗୁଡିକ ହେଉଛି ଅର୍ଥନୈତିକ ବିକାଶର ଇଞ୍ଜିନ। ଏହାର ନିରନ୍ତର, ସାମଗ୍ରିକ ବିକାଶ ପାଇଁ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏକ ଆର୍ଥିକ ସୁରକ୍ଷାବଳୟ ସୃଷ୍ଟି ସହିତ ବିକାଶ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ ମତ ଦେଇଥିଲେ।
ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ରାଜ୍ୟରେ ପ୍ରଥମ ଥର ପାଇଁ ବିଡିଏ ପକ୍ଷରୁ ଭୁବନେଶ୍ବରରେ ଏଭଳି ଯୋଜନା କାର୍ଯ୍ୟକାରୀ କରାଯାଇଛି। ସହରର ଭିତ୍ତିଭୂମି ବିକାଶ ପାଇଁ ଏହି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ବିଡିଏର ଉପାଧ୍ୟକ୍ଷ ଶ୍ରୀ ପ୍ରେମଚନ୍ଦ ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଯୋଜନା ସଦସ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ୍, ରାଜସ୍ବ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଓ ପୂର୍ତ୍ତ ବିଭାଗର ସଚିବ ଶ୍ରୀ କିଶନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।