Home ଜିଲ୍ଲା ପରିକ୍ରମା ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ଚଷାଖଣ୍ଡ ଗାଁ, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମବାସୀ ଜିଲାପାଳଙ୍କୁ...

ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ଚଷାଖଣ୍ଡ ଗାଁ, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମବାସୀ ଜିଲାପାଳଙ୍କୁ ଭେଟିଲେ

5

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ପରେ ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଚଷାଖଣ୍ଡ ଗାଁର ସର୍ବନିମ୍ନ ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ। ଏହି ଗାଁରେ ରାସ୍ତାଘାଟର ଶୋଚନୀୟ ଅବସ୍ଥା ସହ ପାନୀୟ ଜଳର ଘୋର ଅଭାବ ଥିବାରୁ ଗ୍ରାମବାସୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଗୁହାରି କଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିବସିଛି। ଏହିସବୁ ମୌଳିକ ସମସ୍ୟାର ସମାଧାନ ପାଇଁ ପାଖାପାଖି ୫୦ କିମି ଦୂରରୁ ଗାଁର ସ୍ୱୟଂ ସହାୟିକା ଗୋଷ୍ଠୀର ବହୁ ମହିଳା ସହ ଗ୍ରାମବାସୀମାନେ ଆଜି ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ ଗାଁରେ ମୁଖ୍ୟ ରାସ୍ତାଟି ସ୍ୱାଧୀନତା ପରଠାରୁ କଚ୍ଚା ହୋଇ ପଡିରହିଛି। ବର୍ଷାଦିନେ କଚ୍ଚା ରାସ୍ତାଟିରେ ବର୍ଷାଜଳ ଲହଡି ମାରୁଛି। ଗାଁ ଲୋକଙ୍କ ଦୈନନ୍ଦିନ ଜୀବନ ଯାତ୍ରା ଅଚଳ ହୋଇପଡିଛି। ବାସ୍ତବ ଚିତ୍ର ହେଲା ବର୍ଷାଋତୁରେ ବର୍ଷାଜଳ ସଠିକ୍ ଭାବେ ନିଷ୍କାସିତ ହୋଇପାରୁନଥିବାରୁ ଗାଁ ରାସ୍ତା ଓ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ଜମି ରହୁଛି। ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବାଆସିବା କରିପାରୁନାହାଁନ୍ତି। ଏହାବ୍ୟତୀତ ପାନୀୟ ଜଳର ଅବ୍ୟବସ୍ଥା ଥିବାରୁ ଡାଏରିଆ ଭଳି ଅନ୍ୟାନ୍ୟ ସଂକ୍ରମଣ ଜନିତ ରୋଗ ବ୍ୟାପୁଛି। ଏହି ଦାବିପତ୍ରରେ ମିହଳା ଓ ଗ୍ରାମବାସୀମାନେ ଜିଲାପାଳଙ୍କ ନିକଟରେ ଆହୁରି ଅଭିଯୋଗ କରିଛନ୍ତି ଯେ ଗାଁର ଏହିସବୁ ମୌଳିକ ସମସ୍ୟାର ସମାଧାନ ପାଇଁ ଗତ ତା ୧୦.୦୩.୨୫ ରିଖରେ ଅବଗତ କରାଇଥିଲେ। ତହସିଲଦାର ରାଜସ୍ୱ ନିରୀକ୍ଷକଙ୍କୁ ସମସ୍ୟା ସଂପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ୱ ନିରୀକ୍ଷକ ରିପୋର୍ଟ ଦେବା ତ ଦୂରର କଥା ତହସିଲଦାରଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ସହ ଓଲଟା ମଣ୍ଡଳ ସଭ୍ୟାମାନଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରାଯାଇଛି। ସଭ୍ୟାମାନେ ପରବର୍ତୀ ସମୟରେ ଏ ସଂପର୍କରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାମଧ୍ୟରେ ୧୪ ଦିନ ବିତିଯାଇଥିଲେ ମଧ୍ୟ ତହସିଲଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ନିରବ ବସିଛନ୍ତି। ଏଭଳି ପରିସ୍ଥିତିରେ ଅସନ୍ତୁଷ୍ଟ ଗ୍ରାମବାସୀ ଓ ମହିଳାମାନେ ୭ ଦିନ ମଧ୍ୟରେ ଗାଁର ମୌଳିକ ସମସ୍ୟାର ସମାଧାନ ସହ ସଂପୃକ୍ତ ଆର.ଆଇ.ଙ୍କ ବିରୁଦ୍ଧରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଗ୍ରାମବାସୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି। ଜିଲାପାଳ ଏହିସବୁ ସମସ୍ୟାର ସମାଧାନ ପାଇଁ ଉପଜିଲାପାଳ, ଚାନ୍ଦବାଲି ତହସିଲଦାର ଓ ଡ୍ରେନେଜ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କୁ ଭେଟିବାକୁ ଆସିଥିବା ମହିଳା ମଣ୍ଡଳର ସଦସ୍ୟାମାନେ ହେଲେ ଚଂଚଳା ମହାନ୍ତି, ପୁଷ୍ପଲତା ସାମଲ, ପୁଷ୍ପାଞ୍ଜଳି ପରିଡା, ସୁଶ୍ରୀସିତା ସାମଲ, କନକଲତା ପଣ୍ଡା, ଅର୍ଣ୍ଣପୂର୍ଣ୍ଣା ମହାନ୍ତି, ମିନତୀ ସ୍ୱାଇଁ, ମଧୁସ୍ମିତା ଦାସ, ସନ୍ଧ୍ୟାରାଣୀ ଧଳ ଓ ଗାଁର ସମାଜସେବୀ କିଶୋର ବଳ, ସୁକାନ୍ତ ସାମଲ ଓ ଶଶି ସାହୁ ପ୍ରମୁଖ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.