Home Coronavirus Outbreak ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

193

ଭୁବନେଶ୍ୱର ୨୦/୫ (ଓଡ଼ିଆ ପୁଅ)- କରୋନା ମହାମାରୀ ପରିସ୍ଥିତିକୁ ସଫଳ ମୁକାବିଲା କରିବା ଦିଗରେ ଏକ ସର୍ବଦଳୀୟ ବୈଠକ ଅବିଳମ୍ବେ ଡାକିବାକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଶ୍ରୀ ପଟ୍ଟନାୟକ ନବୀନବାବୁଙ୍କ ଅନୁରୋଧ କରି କହିଛନ୍ତି ଯେ ବିଗତ ୧୫ମାସ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ ଚିଠି ଲେଖିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ କରୋନା ମହାମାରୀର ପ୍ରଥମ ଲହର ସରିଲା ଦ୍ୱିତୀୟ ଲହରର ପରିସ୍ଥିତି ଅଣଆୟତ ଏବଂ ସଂକଟଜନକ ସ୍ଥିତିରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ବାବଦରେ କୌଣସି ଇଛା ପ୍ରକଟ କଲେ ନାହିଁ। ତେଣୁ ଦ୍ୱିତୀୟ ଥର ପାଇଁ ରାଜ୍ୟର ଏଭଳି ସଂକଟମୟ ସ୍ଥିତିକୁ ଏବଂ ରାଜ୍ୟର ଜନସାଧାରଣଙ୍କୁ ରକ୍ଷାକରିବା ଉଦ୍ଦେଶ୍ୟରେ ଆଜି ଶ୍ରୀ ପଟ୍ଟନାୟକ ଏକ ହୃଦୟସ୍ପଶୀ ଏବଂ ଆବେଗଭରା ଚିଠି ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ସମୟ ନଷ୍ଟନକରି ସମାଜର ପ୍ରତିଷ୍ଠିତ ସାମାଜିକ କର୍ମୀ, ବିଶେଷଜ୍ଞ ଏବଂ ବିଭିନ୍ନ ରାଜନୈତିକ ଦଳର ଅଭିଜ୍ଞ ସଂପନ୍ନ ନେତୃବୃନ୍ଦ ମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଡାକନ୍ତୁ। ସମସ୍ତଙ୍କ ସହିତ ପୁଂଖାନୁପୁଂଖ ଆଲୋଚନା କରି ମହାମାରୀକୁ କିଭଳି ଭାବରେ ପ୍ରତିହିତ କରାଯାଇ ପାରିବ ସେଥିପାଇଁ ଏକ ସ୍ୱତନ୍ତ୍ର ସମୟ ଉପଯୋଗୀ ଏବଂ ବୈଜ୍ଞାନିକ ନୀତିନୀୟମ ଅନୁସାରେ ଏକ ଖସଡ଼ା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। କୋଭିଡ ମହାମାରୀ ରାଜ୍ୟରେ ଗ୍ରାମାଂଚଳ ଠାରୁ ଆରମ୍ଭ କରି ଅପହଂଚ ଅଂଚଳରେ ପଂହଚି ସାରିଛି। ପ୍ରତିଦିନ କେହିନାକେହି ତାର ପରିବାରବର୍ଗ ଆତ୍ମୀୟସ୍ୱଜନକୁ ହରାଉଛନ୍ତି। ଏହି ସମୟରେ ରାଜନୈତିକ ବାଦାନୁବାଦକୁ ପଛରେ ପକାଇ ମାନବ ଜୀବନର ମୂଲ୍ୟବୋଧକୁ ରକ୍ଷାକରି ଆମ ସମସ୍ତଙ୍କୁ ଏକ କାମ କରିବାର ସମୟ। ମୁଁ ଏହି ସମୟରେ ଆପଣଙ୍କ ସହିତ ମୋର ପାରୁ ପର୍ଯ୍ୟନ୍ତ କାର୍ଯ୍ୟ କରିବି। ଏ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ମୁଁ ମୋର ଦଳ ତଥା ଆମ ଦ୍ୱାରା ଯାହାକିଛି ଆର୍ଥିକ ସହାୟତା କରିବାପାଇଁ ପସ୍ତୁତ ଅଛୁ। ଏହି ସମୟ ପ୍ରଂଶସା ସାଉଁଟିବା ବା ନିନ୍ଦା ବା ଅପବାଦ କରିବାର ସମୟ ନୁହେଁ। କିଭଳି ଆମେ ଆମ ଲୋକମାନଙ୍କୁ ଅଧିକ ଟୀକାକରଣ କରିପାରିବୁ ଏବଂ ଜନସାଧାରଣଙ୍କୁ ମୃତ୍ୟୁମୁଖରୁ ରକ୍ଷାକରିପାରିବୁ ତାହାହିଁ ଏ ସମୟର ବଡ଼ ଆହ୍ୱାନ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଶାରଖିଛନ୍ତି ଅତିଶୀଘ୍ର ଚିଠିର ଉତର ପାଇବେ ବୋଲି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.