Home ଜିଲ୍ଲା ପରିକ୍ରମା ସରିଆସୁଛି ଟୋକନ ଅବଧି , ମିଲର ନିୟମିତ ଉଠାଉ ନାହାଁନ୍ତି ଧାନ, ଜମାହୋଇ ରହିଛି ମଣ୍ଡିରେ...

ସରିଆସୁଛି ଟୋକନ ଅବଧି , ମିଲର ନିୟମିତ ଉଠାଉ ନାହାଁନ୍ତି ଧାନ, ଜମାହୋଇ ରହିଛି ମଣ୍ଡିରେ ଲକ୍ଷାଧିକ କୁଇଂଟାଲ ଧାନ , ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଚାଷୀ

2

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ସରକାରୀ ମଣ୍ଡିମାନଙ୍କରେ ଲକ୍ଷାଧିକ କୁଇଂଟାଲ ଧାନ ଜମା ହୋଇଛି।ମିଲର ମାନେ ମଣ୍ଡିରୁ ନିୟମିତ ଧାନ ଉଠାଉ ନାହାଁନ୍ତି।ଯେଉଁଥି ପାଇଁ ମଣ୍ଡିରେ ଲକ୍ଷାଧିକ ବସ୍ତା ପଡିରହି ସମସ୍ୟା ସୃଷ୍ଟି କରୁଛି।ମିଲରମାନେ ମଣ୍ଡିରୁ ନିୟମିତ ଧାନ ଉଠାଉ ନଥିବାରୁ ପରିସ୍ଥିତି ଅଣାୟତ ହୋଇପଡୁଛି। ଫଳରେ ସମବାୟ ସମିତି ସମ୍ପାଦକ ଆକ୍ରୋଶର ଶିକାର ହେଉଛନ୍ତି।ଚାଷୀଙ୍କ ଟୋକନ ଅବଧି ସରିଯାଉଥିବାରୁ ସେମାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଯାହାଫଳରେ ସେମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି। ତେବେ ଅଦ୍ୟାବଧି ବ୍ଲକରୁ ଧାର୍ଯ୍ୟ ଲକ୍ଷର ବହୁ କମ ମାତ୍ର ୩୦ପ୍ରତିଶତ ଧାନ କିଣା ହୋଇନଥିବାରୁ ଲକ୍ଷ୍ୟ ପୂରଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ମାସ ୫ତାରିଖ ଠାରୁ ବ୍ଲକର ବିଭିନ୍ନ ସମିତି ଏବଂ ସ୍ୱୟଂ ସହାୟକ ଗୋଷ୍ଠି(ଏସଏଚଜି)ରେ ମଣ୍ଡି ଖୋଲିଥିଲା । ଚଳିତ ଖରିଫ ଋତୁରେ ବ୍ଲକରେ ୧୪ ଟି ସମିତି ଏବଂ ୬ଟି ଏସଏଚଜି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଉଛି ।ବ୍ଲକରୁ ୧ଲକ୍ଷ ୯୪ହଜାର ୫୮୧କୁଇଂଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ଜଣାଯାଇଛି କ୍ଷ ଧାନ ସଂଗ୍ରହ ପାଇଁ ପ୍ରତ୍ୟେକ ମଣ୍ଡି ସହ ୨ରୁ ଅଧିକ ରାଇସମିଲକୁ ଟ୍ୟାଗ କରାଯାଇଛି କ୍ଷ ତେବେ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେବା ପରଠୁଁ ମିଲରମାନେ ସହଯୋଗ କରୁନଥିବା ମଣ୍ଡି ସମ୍ପାଦକ ଅଭିଯୋଗ କରିଛନ୍ତି । ବ୍ଲକ ଅଧୀନ ବିଭିନ୍ନ ମଣ୍ଡିରୁ ମିଲରମାନେ ମନ୍ଥର ଗତିରେ ଧାନ ଉଠାଉଛନ୍ତି।ଫଳରେ ମଣ୍ଡିରେ ଲକ୍ଷାଧିକ କୁଇଂଟାଲ ଧାନ ଗଦା ହୋଇଥିବା ଜଣାଯାଇଛି । ପ୍ରତ୍ୟେକ ମଣ୍ଡି ସାମ୍ନାରେ ୫ ହଜାରରୁ ଉର୍ଦ୍ଧ୍ୱ ଧାନ ବସ୍ତା ଖରା, କାକରରେ ପଡ଼ି ରହିଛି । ଅଧିକାଂଶ ସମିତିରେ ଗୋଦାମ ଗୃହ ନଥିବାରୁ ପଦାରେ ଧାନ ପଡି ନଷ୍ଟ ହେଉଥିବା ଜଣାପଡିଛି । ଯେଉଁସବୁ ସମିତିରେ ଗୋଦାମ ଗୃହ ଅଛି ତାହା ମଧ୍ୟ ଧାନରେ ପରିପୂର୍ଣ୍ଣ ହୋଇଯିବାରୁ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ସମିତି ମଧ୍ୟ ଅନିଚ୍ଛା ପ୍ରକାଶ କରୁଥିବା ଜଣାଯାଇଛି । ଚାଷୀମାନଙ୍କ ଆଖି ସ୍କାନ କରି ସମିତି କର୍ତୃପକ୍ଷ କେବଳ ଧାନ ସଂଗ୍ରହ କରି ନେଉଛନ୍ତି ।ଚାଷୀଙ୍କୁ କେବେ ପ୍ରାପ୍ୟ ମିଳିବ ତାହାର କୌଣସି ସଠିକତା ନରହିବାରୁ ଚାଷୀମାନେ ଆଶଙ୍କାରେ ରହୁଛନ୍ତି।ସମିତି କର୍ତୃପକ୍ଷ ମିଲରଙ୍କୁ ଫୋନ କରିକରି ନୟାନ୍ତ ହେଉଥିଲେ ମଧ୍ୟ ସେମାନେ ଧାନ ଉଠାଇବାର ନାଁ ଧରୁ ନାହାଁନ୍ତି ବୋଲି କେତେକ ସମିତି ସମ୍ପାଦକ ପ୍ରକାଶ କରିଛନ୍ତି । କେତେକ ଚାଷୀଙ୍କ ଟୋକାନ ଅବଧି ଇତିମଧ୍ୟର ଶେଷ ହେବାକୁ ଥିବାରୁ ସେମାନେ ମଣ୍ଡିକୁ ଧାନ ଦେଇପାରିବେ କି ନାହିଁ ସେନେଇ କୌଣସି ନିଶ୍ଚିତତା ନଥିବାରୁ ଏହା ସେହି ଚାଷୀମାନଙ୍କ ପାଇଁ ଦୁଶ୍ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ଧାନ ଅମଳ ଭଲ ହୋଇଥିବା ବେଳେ ଚାଷୀମାନେ ଉଚିତ ପ୍ରାପ୍ୟ ପାଇବା ନେଇ ଆଶାବାଦୀ ଥିଲେ । ମାତ୍ର ଏହା ସମ୍ଭବ ହେଉ ନଥିବାରୁ ସେମାନଙ୍କ ଭିତରେ ହତାସ ଭାବ ଦେଖାଦେଇଛି । ଏପରିସ୍ଥଳେ ମିଲରମାନେ ମଣ୍ଡିରୁ ଧାନ ଉଠାଇବା ଦିଗରେ ସରକାର ଓ ପ୍ରଶାସନ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଛନ୍ତି । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ମଣ୍ଡିରୁ ଧାନ ଉଠୁଛି। ଆହୁରି ପଡିଥିବା ଧାନ ଉଠାଯିବା ଦିଗରେ ପଦକ୍ଷେପ ନିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.