ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ସରସଦା ସମବାୟ ସମିତିରେ କେତେକ ଲୋକଙ୍କ ଦ୍ୱାରା ଗତ ୨୨ ତାରିଖରେ ପକାଯାଇଥିବା ତାଲାକୁ ପ୍ରଶାସନ ଆଜି ମଧ୍ୟାହ୍ନ ୧୨.୩୦ ରେ ଭାଙ୍ଗିଦେଇଛି। ସ୍ଥାନୀୟ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍ ବିକ୍ରମ କୁମାର ମଲ୍ଲିକ, ଜିଲା ସମବାୟ ନିବନ୍ଧକ ପ୍ରତିନିଧି ବାବାଜୀ ଚରଣ ମଲିକ, ସହକାରୀ ସମବାୟ ନିବନ୍ଧକ ପ୍ରତିନିଧି ଆଲୋକ ବଲ୍ଲଭ ସାହାଣୀ ଓ ସବଇନ୍ସିପେକ୍ଟର ଗଣନାଥ ସେଠୀ, ସହକାରୀ ସବଇନ୍ସିପେକ୍ଟର ସୁଦର୍ଶନ ସେନଙ୍କ ନେତୃତ୍ୱରେ ପୁଲିସ୍ ସୁରକ୍ଷା ବଳୟ କାର୍ଯ୍ୟାଳୟରେ ପକାଯାଇଥିବା ତାଲା ଭାଙ୍ଗିଦେଇଛନ୍ତି। ପ୍ରଶାସନ ପକ୍ଷରୁ ସମିତିର ତାଲା ଭଙ୍ଗାଯିବା ଦ୍ୱିତୀୟ ଘଟଣା। ଏଥିପୂର୍ବରୁ ଗତ ଅଗଷ୍ଟ ମାସ ୨୫ ତାରିଖରେ ସମିତିର ନିଲମ୍ବିତ ଭାରପ୍ରାପ୍ତ ସଂପାଦକ ଅଜୟ କୁମାର ବେହେରା ସମିତି କାର୍ଯ୍ୟାଳୟରେ ତାଲା ପକାଇ ଆଉ ଆସିନଥିଲେ। ଫଳରେ ସମିତିର ପରିଚାଳନା କମିଟି ପକ୍ଷରୁ ଫାଟକରେ ତାଲା ଝୁଲାଇ ଦିଆଯାଇଥିଲା। ନ୍ୟାୟିକ ଆଦେଶ ବଳରେ ଶ୍ରୀ ରାଉତ ଭାରପ୍ରାପ୍ତ ସଂପାଦକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଥିଲା। ଏଥିଯୋଗୁଁ ପ୍ରଶାସନ ତାଲା ଭାଙ୍ଗି ଶ୍ରୀ ରାଉତଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାର ନିଷ୍ପତି ନେଇଥିଲା। ଏଥିପାଇଁ ଜିଲା ସମବାୟ ନିବନ୍ଧକଙ୍କ ଅନୁରୋଧ ଫଳରେ ଉପଜିଲାପାଳ ଗତ ସେପ୍ଟେମ୍ବର ମାସ ୨୬ ତାରିଖ ଆଦେଶ ସଂଖ୍ୟା ୧୭୩୭ ଅନୁଯାୟୀ ସ୍ଥାନୀୟ ତହସିଲଦାରଙ୍କୁ ତାଲା ଭାଙ୍ଗିବାର ଦାୟିତ୍ୱ ଓ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଲାକୁ ଗତ ୧୭ ତାରିଖରେ ପ୍ରଶାସନ ଭାଙ୍ଗି ଦେଇଥିଲା। ସେହି ସମୟରେ ସେଠାରେ କେତେକ ବ୍ୟକ୍ତି ପୁନର୍ବାର ତାଲା ପକାଇବାକୁ ଉଦ୍ୟମ କରିଥିଲେ। ସେଥିଯୋଗୁଁ ଉତେଜନା ପ୍ରକାଶ ପାଇଥିଲା। ଶେଷରେ ପ୍ରଶାସନ ଶ୍ରୀ ରାଉତଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲା। ହେଲେ ଗତ ୨୨ ତାରିଖରେ ସମିତି କାର୍ଯ୍ୟାଳୟରେ ପୁଣି ତାଲା ପକାଇ ଦିଆଯାଇଥିଲା। ଭାରପ୍ରାପ୍ତ ସଂପାଦକ ଶ୍ରୀ ରାଉତଙ୍କ ଅଭିଯୋଗ କ୍ରମେ ୪୮୭/୨୫ ନଂ ମାମଲା ରୁଜୁ ହୋଇ ପ୍ରଶାସନ ପୁନର୍ବାର ଉକ୍ତ ତାଲାକୁ ଆଜି ଭାଙ୍ଗିଛି।








