Home ଜିଲ୍ଲା ପରିକ୍ରମା ସରକାରୀ ରାସ୍ତାରୁ ଜବର ଦଖଲ ଉଚ୍ଛେଦ

ସରକାରୀ ରାସ୍ତାରୁ ଜବର ଦଖଲ ଉଚ୍ଛେଦ

39

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ନନ୍ଦପୁର ଗ୍ରାମରେ ସରକାରୀ ରାସ୍ତାରେ ଜଣେ ବ୍ୟକ୍ତି ବାସଗୃହ ନିର୍ମାଣ କରିଥିଲେ । ଯାହାଫଳରେ ସେହି ରାସ୍ତା ପାଶ୍ୱର୍କୁ ଲାଗି ରହିଥିବା ୬ଟି ପରିବାର ଘରୁ ବାହାରି ନପାରି ବନ୍ଦୀ ଭଳି ହୋଇ ରହିଥିଲେ । କିଛି ବର୍ଷ ପୂର୍ବେ ତତ୍କାଳୀନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ରାସ୍ତାରୁ ଜବର ଦଖଲ ଉଚ୍ଛେଦ କରିବାକୁ ଯାଇଥିଲେ । ମାତ୍ର ଏହି ଜମି ଉପରେ ମକଦ୍ଦମା ଚାଲୁଥିବାରୁ ତତ୍କାଳୀନ ତହସିଲଦାର ଶ୍ରୀ ପଣ୍ଡା ଜବର ଦଖଲ ଉଚ୍ଛେଦ କରିପାରି ନଥିଲେ । ତେବେ ଗୁରୁବାର ତିହିଡ଼ି ତହସିଲଦାର ପ୍ରତୀକ କୁମାର ସାହୁ, ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ, ତିହିଡ଼ି ଥାନା ଅଧିକାରୀ ଏମଡି ହାଫିଜ୍‌ଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ମୁତୟନ କରାଯାଇ ଜବର ଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନ ସୂଚନା ମୁତାବକ ଜଣାପଡ଼ିଛି ଯେ, ନନ୍ଦପୁର ଗ୍ରାମର ପୀତାମ୍ବର ଭଞ୍ଜ ନାମକ ଜଣେ ବ୍ୟକ୍ତି ଖାତା ନଂ ୧୦୫୯, ପ୍ଲଟ ନଂ ୪୫୨ରେ ଥିବା ସରକାରୀ ରାସ୍ତାରେ ଏକ ବାସ ଗୃହ ନିର୍ମାଣ କରିଥିଲେ । ଏହି ରାସ୍ତା ପାଶ୍ୱର୍କୁ ଲାଗି ରବିନ୍ଦ୍ର ଭଞ୍ଜ, ଗୋପବନ୍ଧୁ ଭଞ୍ଜ, ଦୀନବନ୍ଧୁ ଭଞ୍ଜ, ଜଗବନ୍ଧୁ ଭଞ୍ଜ, ବିନୋଦ ଭଞ୍ଜ, କାଳନ୍ଦୀ ଭଞ୍ଜ ପ୍ରମୁଖ ୬ ପରିବାର ଘର କରି ରହି ଆସୁଥିଲେ । ମାତ୍ର ପୀତାମ୍ବର ରାସ୍ତାରେ ଘର କରି ଦେବାରୁ ଭଞ୍ଜ ୬ ପରିବାର ଘରୁ ବାହାରକୁ ବାହାରି ପାରୁନଥିଲେ । ଏ ସମ୍ପର୍କରେ ସେମାନେ ଦୀର୍ଘଦିନ ହେବ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ । ମାତ୍ର ଜମି ଉପରେ ପୀତାମ୍ବର ଭଞ୍ଜ ଏକ ମକଦ୍ଦମା କରିଥିବାରୁ ପ୍ରଶାସନ କୌଣସି ପଦକ୍ଷେପ ନେଇ ପାରୁନଥିଲେ । ତେବେ ମାନ୍ୟବର ହାଇକୋର୍ଟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଛି । ଏହି ଉଚ୍ଛେଦ ସମୟରେ ସରପଞ୍ଚ ପ୍ରତିନିଧି ଗଣେଶ ପ୍ରସାଦ ବିଶ୍ୱାଳ, ସମିତିସଭ୍ୟାଙ୍କ ପ୍ରତିନିଧି ସୂର୍ଯ୍ୟନାରାୟଣ ଭୋଇ ପ୍ରମୁଖଙ୍କ ସହିତ କିଛି ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.