ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ୫ଟି ଅର୍ନ୍ତଭୁକ୍ତ କରିବା ସହ ଏହି ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅନ୍ୟ କୌଣସି ବେସରକାରୀ ବିଦ୍ୟାଳୟ ସହପାଠୀଙ୍କ ତୁଳନାରେ ନିଜକୁ ହେୟ ମନେ ନକରନ୍ତୁ ଏହାହିଁ ଥିଲା ମୁଖ୍ୟ ସ୍ରୋତ । ମାତ୍ର ଆଜି ଭଳି ଦିନରେ ସମସ୍ତ ବିଦ୍ୟାଳୟ ଚକମକ ଭାବେ ଝଲସୁ ଥିବା ବେଳେ କେଉଁଠି ଶ୍ରେଣୀ ଗୃହ ଥିବା ବେଳେ ଶିକ୍ଷକଙ୍କ ଅଭାବ ତ ଆଉ କେଉଁଠି ବିଦ୍ୟାଳୟକୁ ଯାତାୟତ କରିବା ପାଇଁ ରାସ୍ତାର ଅଭାବ ତ ଆଉ କେଉଁଠି ଛାତ୍ରଛାତ୍ରୀ ମାନଙ୍କ ପାଇଁ ପିଇବା ପାଣିର ଅଭାବ ପରିଲକ୍ଷିତ ହେଉଛି । ଏହି ସମସ୍ତ ଅଭିଯୋଗ ୫ଟି ଶଚିବଙ୍କ ପାଖରେ ହୋଇଥିଲେ ମଧ୍ୟ ତାହାର ସୁସମାଧାନ ଦୀର୍ଘ ଦିନ ହେବ ହୋଇ ପାରୁ ନଥିବା ବେଳେ ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଆଉ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିବାକୁ ସୁରକ୍ଷା ମଣୁ ନାହାନ୍ତି । ପ୍ରାପ୍ତ ଖବର ଅନୁଯାୟୀ କୁଆମରା କ୍ଲଷ୍ଟର ଅଧିନ ଉତରସାହି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନ ରତ ୧୮୦ଛାତ୍ରଛାତ୍ରୀ ଆଜି ଭଳି ଦିନରେ ପିଇବା ପାଣି ଟିକକ ପାଇଁ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଥିବା ବେଳେ ଅଂଚଳର ଉନ୍ନତି ପାଇଁ ବଦ୍ଧ ପରିକର ଆଦାନୀ କର୍ତୁପକ୍ଷ ମୋ ସ୍କୁଲ ଅଭିଯାନ ପାଇଁ ୨ଲକ୍ଷ ୪୯ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ବିଦ୍ୟାଳୟ ପରିସରରେ ଏକ ଶୌଚାଳୟ ସ୍ଥାପନ କରିଥିଲେ । ମାତ୍ର ଶୌଚାଳୟ ନିକଟରେ ନଳକୂପ ସ୍ଥାପନ କଥା ସଂପୃକ୍ତ ଅଧିକାରୀ ଭୁଲି ଯାଇଛନ୍ତି ବୋଲି ଅଂଚଳବାସୀ ଅଭିଯୋଗ ଆଣିଛନ୍ତି ।ଏଠାରେ ଉଲ୍ଲେଖଯୋଗ୍ୟ ଏହି ବିଦ୍ୟାଳୟ ପରିସରରେ ଥିବା ନଳକୂପଟି ଦୀର୍ଘ ୫ବର୍ଷ ହେବ ଖରାପ ହୋଇ ପଡିଥିବା ବେଳେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ପାଣି ଟିକକ ପିଇବା ପାଇଁ ପାଇ ପାରୁ ନଥିବା ବେଳେ ଶୌଚ ହେବା କଥା ନ କହିବା ଭଳ କାରଣ ଏଭଳି ପରିସ୍ଥିତିରେ ଶୌଚ ହେବା ପାଇଁ ଛାତ୍ରଛାତ୍ରୀ ରାସ୍ତା ପାଶ୍ୱର୍କୁ ଯାଉଥିବା ବେଳେ ବହୁ ସମୟରେ କାଦୁଅ ରେ ପଶି ବିଦ୍ୟାଳୟ ନିକଟରେ ଥିବା ଧାନ କିଆରୀକୁ ମଧ୍ୟ ଯାଉଥିବା ଦୃଷ୍ଟି ଗୋଚର ହୁଏ । ଏଭଳି ପରିସ୍ଥିତିରେ ୫ଟିର ଅର୍ଥ କଣ ସାଧାରଣରେ ପ୍ରଶ୍ନବାଚୀ ହୋଇ ପଡିଛି ।ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ନଳକୂପ କୁ ମରାମତି କରିବା ପାଇଁ ଚାନ୍ଦବାଲି ଠାରେ ଥିବା ବ୍ଲକ ଶିକ୍ଷାଧିକାରୀ,ବିଡିଓ,ଆର ଡବ୍ଲୁଏସ ଏସ ର ଏସଡିଓ,ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଦୀର୍ଘ ୩ବର୍ଷ ପରେ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳି ପାରୁ ନାହିଁ । ସଂପୃକ୍ତ ବିଦ୍ୟାଳୟ ମଧ୍ୟରେ ନୂତନ ନଳକୂପ ସ୍ଥାପନ କରିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସ୍ଥାନୀୟ ଅଧିବାସୀ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଅନୁନୟ ବିନୟ ହୋଇଥିଲେ ମଧ୍ୟ ବର୍ତମାନ ନଳକୂପ ବସାଇବା ସମ୍ଭବ ନୁହେଁ ବୋଲି ବିଭାଗୀୟ ଅଧିକାରୀ ରୋକଠୋକ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ମନା କରି ଦେଇଛନ୍ତି ।
ଫଳରେ ଆଜି ଭଳି ଦିନରେ ସ୍ଥାନୀୟ ଲୋକେ ଭାର କରି ପାଣି ଆଣି ଦେଲେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ବେଳେ ଛାତ୍ରଛାତ୍ରୀ ମାନେ ଖାଦ୍ୟ ଖାଇବା ପରେ ନିକଟସ୍ଥ ନାଳରେ ମଧ୍ୟ ନିଜର ଥାଳି ଧୋଉଥିବା ଜଣାଯାଇଛି । ବର୍ଷା ଦିନରେ ବିଶୁଦ୍ଧ ପାଣି ପାଇପାରୁ ନଥିବାରୁ କେଉଁ ମୁହୁର୍ତରେ ଝାଡା ଜ୍ୱରର ପ୍ରକୋପ ସହ ଅନ୍ୟ ରୋଗରେ ଏହି ଛାତ୍ରଛାତ୍ରୀ ମାନେ ଶିକାର ହେବେ ତାହା ମଧ୍ୟ ପ୍ରଶ୍ମବାଚୀ ହୋଇ ପଡିଛି । ତୁରନ୍ତ ଏହି ବିଦ୍ୟାଳୟରେ ନୂତନ ନଳକୂପ ସ୍ଥାପନ କରିବାକୁ ଅଂଚଳବାସୀ ଭଦ୍ରକ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ନଚେତ ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ ପିଇବା ପାଣି ଏବଂ ଶୌଚାଳୟ ର ବ୍ୟବସ୍ଥା ନଥିବାରୁ ସେହି ବିଦ୍ୟାଳୟକୁ ସେମାନଙ୍କ ପରିବାର ଆଉ ଛାଡିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ତୁରନ୍ତ ଏବଂ ଯୁଦ୍ଧକାଳୀନ ଭିତିରେ ଏହି ବିଦ୍ୟାଳୟ ପରିସରରେ ନୂତନ ନଳକୂପ ସ୍ଥାପନା କରିବାକୁ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବେ ବୋଲି ଅଂଚଳବାସୀ ଆଶାବାଦୀ । ଏହି ବିଷୟରେ ଚାନ୍ଦବାଲି ବିଡିଓ , ଆରଡ୍ବଲୁଏସଏସ ଏସଡିଓଙ୍କ ସଙ୍ଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା ।







