Home ଜିଲ୍ଲା ପରିକ୍ରମା ସରକାରୀ ନିୟମାନୁସାରେ ନିଯୁକ୍ତି, କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଭିତ୍ତିହୀନ

ସରକାରୀ ନିୟମାନୁସାରେ ନିଯୁକ୍ତି, କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଭିତ୍ତିହୀନ

55

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅର୍ନ୍ତଗତ ଗୋପିନାଥପୁର ପଂଚାୟତ ଅଧିନ ତାଜିପୁର ଅଙ୍ଗନୱାଡି କେନ୍ଦ୍ରରେ ଗତ କିଛି ଦିନ ତଳେ କର୍ମୀ ନିଯୁକ୍ତିରେ ଅନିୟମିତତାକୁ ନେଇ କିଛି ଗ୍ରାମବାସୀ ଉପଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ;୨୦୨୧ଡ଼ିସେମ୍ବର ମାସରେ ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ କୌଣସି କାରଣରୁ ତାଙ୍କ ପଦରୁ ଇସ୍ତଫା ଦେବା ପରେ ବିଭାଗ ତରଫରୁ ଉକ୍ତ କେନ୍ଦ୍ରରେ କାର୍ଯ୍ୟରତ ସହାୟିକାଙ୍କୁ କର୍ମୀ ପଦବୀରେ ଅବସ୍ଥାପିତ କରାଯାଇ ସହାୟିକା ପଦବୀ ପାଇଁ ଗତ ଜୁନ୍ ୨୭ ତାରିଖରେ ଆବେଦନ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ଜାଣିବାପରେ ଗ୍ରାମବାସୀମାନେ କେଉଁ ଆଧାରରେ ସହାୟିକାଙ୍କୁ କର୍ମୀ ପଦବୀରେ ଅବସ୍ଥାପିତ କରାଗଲା ସେ ନେଇ ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଅପର ପକ୍ଷରେ ଅଭିଯୋଗକୁ ନେଇ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ ସମସ୍ତ ସରକାରୀ ନିୟମାନୁସାରେ କର୍ମୀ ନିଯୁକ୍ତି ହୋଇଥିବାର କହିବା ସହ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରକାଶ କରିଥିଲେ। ତାଙ୍କ କହିବାନୁୟାୟୀ;ସରକାରଙ୍କ ନିମାନୁସାରେ ଯଦି କୌଣସି ଅଙ୍ଗନୱାଡି କେନ୍ଦ୍ରରେ ଜଣେ ସହାୟିକା ଶିକ୍ଷାଗତ ଯୋଗ୍ୟତା ଥାଇ ୫ବର୍ଷରୁ ଉର୍ଦ୍ଧ ସମୟ କାର୍ଯ୍ୟକରିବା ସହ କୌଣସି ଏସସି ଓ ଏସଟି ଶ୍ରେଣୀର ହୋଇନଥିବେ ତେବେ ସେ କର୍ମୀ ଭାବେ ପଦୋନ୍ନତି ପାଇପାରିବେ। ତେଣୁ ଉକ୍ତ କେନ୍ଦ୍ରର ସହାୟିକାଙ୍କ କ୍ଷେତ୍ରରେ ସରକାରଙ୍କ ପ୍ରଦତ୍ତ ସମସ୍ତ ନିୟମ ଲାଗୁ ହେଉଥିବାରୁ ତାଙ୍କୁ କର୍ମୀ ପଦବୀରେ ଅବସ୍ଥାପିତ କରାଯାଇଛି। ଏବଂ କାର୍ଯ୍ୟରତ କର୍ମୀ କୌଣସି କାରଣରୁ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଗତ ଜୁନ ମାସ ୧୭ ତାରିଖରେ ଉପଜିଲ୍ଲାପାଳ, ଭଦ୍ରକ ସହାୟିକାଙ୍କୁ କର୍ମୀ ପଦବୀରେ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତି ମୁହୁର୍ତ୍ତରେ ଗତ ଜୁନ ମାସ ୨୪ ତାରିଖରେ ବନ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ପ୍ରକୋଷ୍ଠରେ ନିଯୁକ୍ତି ସମିତି ସଦସ୍ୟ ଉପଜିଲ୍ଲାପାଳ ଭଦ୍ରକଙ୍କ ଅଧ୍ୟକ୍ଷତାରେ ବ୍ଲକ ଉନ୍ନୟନ ଅଧିକାରୀ ବନ୍ତ, ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ବିଏସଏସଓ, ବନ୍ତ ଏବଂ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇ ସହାୟିକାଙ୍କୁୁ କର୍ମୀ ରୂପେ ଚୟନ କରାଯାଇଥିଲା। ତେଣୁ ଉକ୍ତ ସହାୟିକାଙ୍କୁ କର୍ମୀ ରୂପେ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ଅଭିଯୋଗ ଭିତ୍ତି ହୀନ ବୋଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.