Home ଓଡ଼ିଶା ସରକାରୀ ନିଯୁକ୍ତି ବୟସସୀମା ବୃଦ୍ଧି ଦାବିରେ ଯୁବ କଂଗ୍ରେସ ଅଭିନବ ପ୍ରତିବାଦ: ୨୦୦ ମିଟର ବ୍ୟାନର...

ସରକାରୀ ନିଯୁକ୍ତି ବୟସସୀମା ବୃଦ୍ଧି ଦାବିରେ ଯୁବ କଂଗ୍ରେସ ଅଭିନବ ପ୍ରତିବାଦ: ୨୦୦ ମିଟର ବ୍ୟାନର ଧରି ରାଜଭବନ ଅଭିମୁଖେ ପଦଯାତ୍ରା ଓ ଦାବିପତ୍ର ପ୍ରଦାନ

51

ଭୁବନେଶ୍ୱର ୩୦.୯ (ଓଡ଼ିଆ ପୁଅ) – ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଂଟିନ ଛକଠାରୁ ୨୦୦ ମିଟର ବ୍ୟାନର ଧରି ଶହ ଶହ ଯୁବ କଂଗ୍ରେସ କର୍ମୀମାନେ ସରକାରୀ ନିଯୁକ୍ତିରେ ସାଧାରଣ ବର୍ଗଙ୍କ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷ ବୃଦ୍ଧି ଦାବି କରି ରାଜଭବନ ଅଭିମୁଖେ ପଦଯାତ୍ରା କରିଥିଲେ ଏବଂ ମହାମହୀମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା ସରକାରୀ ନିଯୁକ୍ତି ବୟସସୀମା ୪୨ ବର୍ଷ ଧାର୍ଯ୍ୟ କରାଯାଉ ବୋଲି ଦାବି କରିଛନ୍ତି। ରାଜ୍ୟରେ ଦୀର୍ଘ ୨୧ ବର୍ଷର ନିରଙ୍କୁଶ ଶାସନପରେ ମଧ୍ୟ ରାଜ୍ୟର ପୁଞ୍ଜି ଯୁବପିଢ଼ି ନିଯୁକ୍ତି ନ ପାଇ ଦିଗହରା ହେବା ସହ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଯଦିଓ ସେମାନଙ୍କ ହାତକୁ କାମଧନ୍ଦା ଯୋଗାଇବା ସରକାରଙ୍କ ଦାୟିତ୍ୱ ତତ୍ ସହିତ ନିଯୁକ୍ତି ବିଜ୍ଞପ୍ତି ପ୍ରତ୍ୟେକ ବର୍ଷ ବାହାରକରି ମେଧାବୀ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଢ଼ିବାର ସୁଯୋଗ ଦେବା ମଧ୍ୟ ସରକାରଙ୍କ ମୌଳିକ ଦାୟିତ୍ୱ। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଙଚଝଉ), ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକସନ କମିଶନ (ଙଝଝଝଉ), ଓଡ଼ିଶା ଷ୍ଟାଫ ସିଲେକସନ କମିଶନ (ଙଝଝଉ), ଷ୍ଟେଟ ସିଲେକସନ ବୋର୍ଡ଼ (ଝଝଈ) ଆଦି ବୋର୍ଡ ଦ୍ୱାରା ପରିଚାଳିତ ବିଭିନ୍ନ ଚାକିରୀରେ ଖାଲିଥିବା ପଦବୀ ଗୁଡ଼ିକ ନିୟମାନୁସାରେ ପ୍ରତ୍ୟେକ ବର୍ଷ ପୂରଣ ହେବା କଥା। ମାତ୍ର ତାହା ଠିକ୍ ସମୟରେ ପୂରଣ ନହେବା କାରଣରୁ ବହୁ ଆଶାୟୀ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉଜ୍ଜଳ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି। ଓଡ଼ିଶା ସରକାର ସରକାରୀ ଚାକିରୀ ପାଇଁ ଆଶାୟିଙ୍କ ବୟସସୀମା ୩୨ ବର୍ଷରେ ସୀମିତ ରଖିଥିବା କାରଣରୁ ବହୁ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରୀ ପାଇବାରୁ ବଂଚିତ ହେଉଛନ୍ତି। ବର୍ତମାନ ବିଭିନ୍ନ ସାମାଜିକ, ଅର୍ଥନୈତିକ ଅବସାଦ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଚାକିରୀ ଉପଯୋଗୀ ପାଠ୍ୟକ୍ରମ ସାରିବା ବେଳକୁ ନିଯୁକ୍ତି ବୟସ ଅତିକ୍ରାନ୍ତ ହୋଇଯାଉଛି। ସରକାରୀ ନିଯୁକ୍ତି ବିଜ୍ଞାପନ ଅବଧି ମଧ୍ୟ ୫ ବର୍ଷରୁ ଅଧିକ ରହୁଥିବାରୁ ବହୁ ମେଧବୀ ଛାତ୍ରଛାତ୍ରୀ ସୁଯୋଗ ପାଉନାହାନ୍ତି, ତେଣୁ ନିର୍ଦ୍ଦିଷ୍ଟ ବିଭାଗର ଶିକ୍ଷା ଓ ତାଲିମ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଚାକିରୀ ଦିଆଯାଉନଥିବାରୁ ସେମାନେ ବେକାର ହୋଇରହିବା ସାର ହେଉଛି। ପ୍ରକାଶ ଯୋଗ୍ୟକି ବର୍ତମାନ ସରକାରୀ ଚାକିରୀରେ ରାଜ୍ୟର ସାଧାରଣ ବର୍ଗଙ୍କ ବୟସସୀମା ୩୨ ବର୍ଷ ଥିବାବେଳେ ଗୋଆରେ ୪୫, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨, ଉତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୪୦ ବର୍ଷ ରହିଛି। ଓଡ଼ିଶାରେ ବୟସସୀମାରେ ଏମିତି ତାରତମ୍ୟ ଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ମାନେ ଉଚ୍ଚତର ଶିକ୍ଷା ହାସଲ ପରେ ମଧ୍ୟ ସରକାରୀ ଚାକିରୀର ଆବେଦନ ପାଇଁ ବିଶେଷ ସୁଯୋଗ ପାଇପାରୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା। ଅନ୍ୟପଟେ ଗତ ଦୁଇବର୍ଷ ଧରି କରୋନା ମହାମାରୀ କାରଣରୁ ବହୁ ସଂଖ୍ୟାରେ ମେଧାବୀ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ବିଭିନ୍ନ ଅବସାଦ ଯୋଗୁଁ ଦୁର୍ବଳ ହୋଇପଡ଼ୁଛନ୍ତି। ପ୍ରଥମରୁ ଯୁବ କଂଗ୍ରେସ ଜିଲ୍ଲା ସ୍ତରରୁ ଆନ୍ଦୋଳନ କରି ମାନ୍ୟବର ଜିଲ୍ଲାପାଳ ମାନଙ୍କୁ ଦାବି ପତ୍ର ପ୍ରଦାନ କରିଛି, ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଛି କିନ୍ତୁ କୌଣସି ସୁଫଳ ମିଳିନାହିଁ। ତେଣୁ, ଓଡ଼ିଶା ପ୍ରଦଶେ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ଦାବି ପତ୍ର ମାଧ୍ୟମରେ ମହାମହୀମ ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରି ରାଜ୍ୟର ପୁଞ୍ଜି ଯୁବପୀଢ଼ିଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସହାୟକ ହେବା ପାଇଁ ଅନୁରୋଧ କରିଛନ୍ତି।

ଉପରୋକ୍ତ ଦାବିକୁ ନେଇ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାମହୀମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖପାତ୍ର ନଳିନୀକାନ୍ତ ନାୟକ, ଜ୍ଞାନ ରଞ୍ଜନ ରାଉତ, କୃଷ୍ଣ ଚନ୍ଦ୍ର ମହାନ୍ତି, ବିଶ୍ୱରଞ୍ଜନ ଦାସ, ସ୍ମୃତି ରଞ୍ଜନ ମନ୍ତ୍ରୀ, ଆଶୁତୋଷ ଲେଙ୍କା, ରିତୁଲ ମହାରଣା, ଶିବ ପ୍ରସାଦ ସ୍ୱାଇଁ, ମହେଶ ପ୍ରସାଦ, ସୋନୁ ସ୍ୱାଇଁ, ସୁବାଷ ଭୋଇ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.