ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ତହସିଲ କର୍ତୃପକ୍ଷଙ୍କ ବାରମ୍ବାର ତାଗିବ ସତ୍ୱେ ଜନୈକ ବ୍ୟକ୍ତି ପ୍ରାୟ ୭୦ଡେସମିଲ ଭଳି ମୂଲ୍ୟବାନ ସରକାରୀ ଜମିକୁ ବଳପୂର୍ବକ ଦଖଲ କରୁଥିଲେ । ଉକ୍ତ ଜମିରେ ବାଲି, ପଥର ଓ ଇଟା ଗଚ୍ଛିତ କରି ତହିଁରେ ଏକ ଇଟା ଫ୍ୟାକ୍ଟ୍ରି କରିବାକୁ ଯୋଜନା କରୁଥିଲେ। ତେବେ ଭଦ୍ରକ ତହସିଲ ପକ୍ଷରୁ ଉକ୍ତ ଜମିକୁ ସରକାରଙ୍କ ପ୍ରୋଟେକ୍ସନ୍ ଅପ୍ ଗର୍ଭମେଂଟ ଲ୍ୟାଣ୍ଡରେ ସିମେଂଟ ଖୁଂଟ ଓ ତାର ଦେଇ ଆବଦ୍ଧ କରିବାକୁ ଚୂଡ଼ାନ୍ତ ହୋଇଥିଲା । ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ରେଭିନ୍ୟୁ ସୁପରଭାଇଜର ଜ୍ୟୋତିରଞ୍ଜନ ପଣ୍ଡା, ସାତଭଉଣୀ ଆରଆଇ ସୁଦର୍ଶନ ପତି, ଭଦ୍ରକ ସଦର ଆରଆଇ ଶରତ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଂଚି ଉକ୍ତ ସରକାରୀ ଜମିକୁ ଅବରୋଧମୁକ୍ତ କରିଛନ୍ତି । ଏଥିସହ ଏକ ଜେସିବି ଲଗାଇ ଉକ୍ତ ସରକାରୀ ଜମିରେ ଜବରଦଖଲକାରୀ ବ୍ୟକ୍ତି ଗଚ୍ଛିତ କରିଥିବା ମାଟି, ବାଲି ଓ ପଥରକୁ ଉଠାଇନେଇ ସମତଳ ନଥିବା ସରକାରୀ ଜମିରେ ପକାଇ ଥିଲେ। ସୂଚନାଯୋଗ୍ୟ, ଭଦ୍ରକ ତହସିଲ ଅଧୀନ ସାତଭଉଣୀ ରାଜସ୍ତ୍ର ସର୍କଲ ଅଧୀନସ୍ଥ ବିଲବାଡି ମୌଜାରେ ସରକାରଙ୍କ ଉନ୍ନୟନ ଯୋଜନା ଯୋଗ୍ୟ କିସମ ମୂଲ୍ୟବାନ ପ୍ରାୟ ୭୦ ଡିସିମିଲ୍ ଭଳି ଭଦ୍ରକ-ଆରଡି ରାଜ୍ୟ ରାଜପଥକୁ ଲାଗିଥିବା ଜମିକୁ ଜନୈକ ବ୍ୟକ୍ତି ବଳପୂର୍ବକ ଅକ୍ତିଆର କରିଥିଲେ।