Home ଓଡ଼ିଶା ସରକାରଙ୍କ ଯୋଜନା କାହା ପାଇଁ, ଭଙ୍ଗା କୁଡିଆରେ ବିତୁଛି ବାପ ପୁଅଙ୍କ ଜୀବନ

ସରକାରଙ୍କ ଯୋଜନା କାହା ପାଇଁ, ଭଙ୍ଗା କୁଡିଆରେ ବିତୁଛି ବାପ ପୁଅଙ୍କ ଜୀବନ

137

ହରିଚନ୍ଦନପୁର, ତା ୧୯ ଜୁଲାଇ, (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଓ ହରିଜନ ଶ୍ରେଣୀର ଲୋକମାନଙ୍କ ପାଇଁ ବାର୍ଷିକ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି। ଉକ୍ତ ଯୋଜନା ଗୁଡ଼ିକ ଠିକ୍ ଭାବରେ ରୂପାୟନ ପାଇଁ ବିଭିନ୍ନ ସଂସ୍ଥାକୁ ଦିଆଯାଉଛି। ଉକ୍ତ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଖାମଖିଆଲି ମନୋଭାବକୁ ନେଇ ଯୋଜନା ଗୁଡିକ କାଗଜ କଲମ ମଧ୍ୟରେ ସୀମିତ ହୋଇରହିଯାଉଛି। ଯାହା ଫଳରେ ଆଦିବାସୀ ଶ୍ରେଣୀର ଲୋକମାନଙ୍କ ପାଇଁ ସରକାରଙ୍କ ସବୁ ଯୋଜନା ସାତସପନ ପାଲଟୁଛି। କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକରେ ଅନେକ ଆଦିବାସୀ ଶ୍ରେଣୀର ଲୋକଙ୍କ ଜୀବନ ପାଲ ଓ ଭଙ୍ଗା ଛପର ତଳେ ବିତୁଥିବାର ନଜରି ରହିଛି। ଏବେ ସାମ୍ନାକୁ ଆସିଛି ସୁନାପେଣ୍ଠ ଗ୍ରାମପଞ୍ଚାୟତ ମହୁଲଗୋଡା ଗ୍ରାମର ଧିବର ସାହିରେ ଭଙ୍ଗା କୁଡିଆରେ ବିତୁଛି ବାପ ପୁଅଙ୍କ ଜୀବନ। ଘର ଖଣ୍ଡେ ନଥିବାରୁ ବାପ ପାଣ୍ଡୁ ଧିବର(୬୦) ଓ ଅଷ୍ଟମ ଶ୍ରେଣୀର ପୁଅ ଦିଲୁ ଧିବର(୧୬) କେତେ ଖଣ୍ଡ କାଠ ସଂଗ୍ରହ କରି ଏକ ପାଲ ଦ୍ବାରା ଚାଳ ଘର ନିର୍ମାଣ କରି ସେଠାରେ ବର୍ଷ ବର୍ଷ ଧରି ଜୀବନ ବିତାଉଥିଲେ। ଘର ଖଣ୍ଡେ ପାଇଁ ସରକାରଙ୍କ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ କେତେଥର ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓଙ୍କୁ ଗୁହାରି ଜଣାଇ ପ୍ରତିଶୃତି ଉପରେ ପ୍ରତିଶୃତି ପାଇଥିଲେ। ଶେଷରେ ଯୋଜନାକୁ ଚାହିଁ ଚାହିଁ ପାଣ୍ଡୁ ଦିନ ମଜୁରୀଆ ଭାବେ କାମ କରି କିଛି ଟଙ୍କା ସଂଗ୍ରହରେ ପାଲ ବଦଳରେ କେତୋଟି ଆଜବେଷ୍ଟସରେ ଛପର କରିଥିଲେ। ହେଲେ ଟଙ୍କା ଅଭାବ ଯୋଗୁଁ ଘରର ଚତୃପାର୍ଶ୍ବ କାନ୍ଥ ଦେବା ପାଇଁ ସକ୍ଷମ ହୋଇନଥିଲେ। କରୋନା ମହାମାରୀକୁ ନେଇ ଲକ୍ ଡାଉନ୍ କରାଣରୁ ସମସ୍ତ କାମଧନ୍ଦା ବନ୍ଦ। ଯାହାଫଳରେ ଖାଇବା ପିଇବା ସହ ପୁଅର ପାଠ ପଢ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ପାଣ୍ଡୁଙ୍କ ପାଇଁ ବଡ଼ କଷ୍ଟକର ହୋଇପଡିଛି। ବଡ଼ ଦୁଃଖର ଖବର, ଘର ନଥିବା କାରଣରୁ ଆଜକୁ ୧୨ବର୍ଷ ହେବ ପାଣ୍ଡୁଙ୍କ ପତ୍ନୀ କାହା ସହିତ କେଉଁ ଆଡ଼େ ଚାଲିଯାଇଛନ୍ତି, ତାଙ୍କର ପତା ନାହିଁ। ସେପଟେ ପତ୍ନୀଙ୍କ ଚିନ୍ତା ଥିବା ବେଳେ ଏପଟେ ବର୍ଷା ସହ ସରିସୃପ, ବନ୍ୟାଯନ୍ତୁଙ୍କ ଠାରୁ ନିଜ ଓ ପୁଅକୁ ରକ୍ଷା କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନାରୁ ମିଳିଥିବା ପାଇଖାନା ଘରେ ନିଜର ଗଚ୍ଛିତ ଖାଦ୍ୟ ସାମଗ୍ରୀକୁ ସୁରକ୍ଷିତ ଭାବରେ ରଖୁଛନ୍ତି। ପାଣ୍ଡୁଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ଜଙ୍ଗଲ ଜମି ପଟ୍ଟା, ଆବାସ, ଭତ୍ତା ଓ ସୋୖଭାଗ୍ୟ ଯୋତି ଯୋଜନାରେ ସାମିଲ କରାଯାଇନାହିଁ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ପାଣ୍ଡୁଙ୍କୁ ସମସ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ପାଇଁ ଗ୍ରାମବାସୀଙ୍କ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.