Home Top News ସମ୍ଭାବ୍ୟ ବାତ୍ୟା ନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ବୈଠକ: ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ...

ସମ୍ଭାବ୍ୟ ବାତ୍ୟା ନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ବୈଠକ: ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ମିଥ୍ୟା ସମ୍ବାଦ ତଥା ଆକଳନ ଉପରେ ଧ୍ୟାନ ନଦେବାକୁ ପରାମର୍ଶ

54

ଭୁବନେଶ୍ୱର, ୧୯ ମଇ (ଓଡ଼ିଆ ପୁଅ) ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି। ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୭୨ ଘଣ୍ଟା ମଧ୍ୟରେ ୨୫ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟାର ରୂପ ନେବାର ପୂର୍ବାନୁମାନ କରାଯାଇଛି। ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେଲେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହି ସମ୍ଭାବନାକୁ ଭିତ୍ତିକରି ପ୍ରାକ୍ ଆକଳନ ସ୍ବରୂପ ସମସ୍ତ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବାକୁ ଏବଂ ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କୁହାଯାଇଛି ଏବଂ ଏ ସମୟରେ ଆଉ କେହି ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ମାଇକ୍ ମାଧ୍ୟମରେ ପ୍ରଚାର କରାଯାଇ ଏ ବିଷୟରେ ଜଣାଇ ଦିଆଯିବ ବୋଲି ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶ୍ରୀ ଜେନା ଏ ସଂପର୍କରେ ଓଡ଼ିଶା ପୋଲିସ, ଏଡିଆର୍‌ଏଫ୍, ଅଗ୍ନିଶମ ସେବା, ଓଡ୍ରାଫ, ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ, ଭାରତୀୟ ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ଏବଂ ଓମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ସହ ଭଟୁଆଲ ବୈଠକରେ ଆଲୋଚନା କରିଛନ୍ତି।

ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ପୁନଶ୍ଚ କହିଛନ୍ତି ଯେ, ଲଘୁଚାପର ତୀବ୍ରତା, ବେଗ, ରୂପ ବାବଦରେ ଏ ପର୍ଯ୍ୟନ୍ତ ସଠିକ୍ ଆକଳନ କରାଯାଇ ନାହିଁ ଏବଂ ଏହା କେଉଁଠାରେ ସ୍ଥଳଭାଗ ସ୍ପର୍ଶ କରିବ ଜଣାପଡ଼ିନାହିଁ। ଏଣୁ କୌଣସି ପ୍ରକାର ମିଥ୍ୟା ସମ୍ବାଦ ତଥା ଆକଳନ ଉପରେ ଧ୍ୟାନ ନଦେବାକୁ ସେ ସତର୍କ କରାଇ ଦେଇଛନ୍ତି।

ରାଜ୍ୟ ସରକାର ଏହି ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପୂର୍ବପ୍ରସ୍ତୁତି କରିବା ନିମନ୍ତେ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି।.

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.