Home କେନ୍ଦ୍ରାପଡ଼ା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

34

କେନ୍ଦ୍ରାପଡ଼ା, ୨ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଆସନ୍ତା ୩ ତାରିଖଠାରୁ ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ପ୍ରଭାବ କେନ୍ଦ୍ରାପଡା ଜିଲ୍ଲାରେ ଅନୁଭବ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ୪ ଓ ୫ ତାରିଖରେ ବର୍ଷାର ପରିମାଣ ମଧ୍ୟମରୁ ପ୍ରବଳ ଧରଣର ହେବବୋଲି ସୂଚନା ମିଳିଛି। ଗୁରୁବାର ଅପରାହ୍ଣରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ମୁକାବିଲା କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାତ୍ୟାର ମୁକାବିଲା କରିବାପାଇଁ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଧାନ ଓ ଅନ୍ୟାନ୍ୟ ଫସଲର ଅମଳ ଋତୁ ଥିବାରୁ ବାତ୍ୟା ପୂର୍ବରୁ ଚାଷୀମାନେ ସେଗୁଡିକୁ ଅମଳ କରିବା ସହିତ ଉତ୍ପାଦିତ ସାମଗ୍ରୀକୁ ସୁରକ୍ଷିତ ରଖିବା ପାଇଁ କୃଷି ଅଧିକାରୀ ପ୍ରଚାର ଓ ପ୍ରସାର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ବିଭାଗ ପକ୍ଷରୁ ନିୟନ୍ତ୍ରଣ କକ୍ଷ ଖୋଲିବା ଏବଂ କେଉଁଠାରେ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡି ରାସ୍ତା ଅବରୋଧ ହେଲେ ତାହାକୁ ତୁରନ୍ତ ଅପସାରଣ ପାଇଁ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବା, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଆବଶ୍ୟକସ୍ଥଳେ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରିବା, ତାଲିକାଭୁକ୍ତ ୨୪୬ ଗର୍ଭବତୀ ମହିଳାଙ୍କର ମାତୃତ୍ୱପାଇଁ ସୁବ୍ୟବସ୍ଥା କରିବା ସହିତ ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂସ୍ଥା, ଆଶାକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଶ୍ରୀ ଋତୁରାଜ ପରାମର୍ଶ ଦେଇଥିଲେ। ବାତ୍ୟା ଆଶ୍ରୟୀସ୍ଥଳୀ ଗୁଡିକରେ ଜିଲ୍ଲାର ୯ଟି ବ୍ଲକରେ କାର୍ଯ୍ୟକ୍ଷମଥିବା ୧୬୫ଟି ଆସ୍କାଲାଇଟକୁ ମହଜୁଦ କରି ରଖାଯାଇଛି। ପାନୀୟ ଜଳର ସୁବିଧା ପାଇଁ ଟ୍ୟାଙ୍କର ବ୍ୟବସ୍ଥା କରିବାକୁ ଜିଲାପାଳ ଜନସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତା ଅବରୋଧ ଓ ଜରୁରୀ ସେବା ଯୋଗାଇବା ପାଇଁ ଗୋଟିଏ ଓ.ଡି.ଆର.ଏଫ. ଓ ଗୋଟିଏ ଏନ.ଡି.ଆର.ଏଫ. ଦଳକୁ ଆଜି ଜିଲ୍ଲା ସଦର ମହକୁମାରେ ପହଞ୍ଚିବା ପାଇଁ ଅନୁରୋଧ କରାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା, ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଡକର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡାଙ୍କ ସମେତ ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ବିଡିଓ ଏବଂ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.