Home Top News ସମ୍ଭାବ୍ୟ ବନ୍ୟା ଆଶଙ୍କା ନେଇ ପୁରୀ ଜିଲାପାଳଙ୍କ କଣାସ ବ୍ଲକ ପରିଦର୍ଶନ

ସମ୍ଭାବ୍ୟ ବନ୍ୟା ଆଶଙ୍କା ନେଇ ପୁରୀ ଜିଲାପାଳଙ୍କ କଣାସ ବ୍ଲକ ପରିଦର୍ଶନ

58

ପୁରୀ ୧୬-୮ (ଓଡ଼ିଆ ପୁଅ) ସମ୍ଭାବ୍ୟ ବନ୍ୟା ଆଶଙ୍କା ନେଇ ପୁରୀ ଜିଲାପାଳ କଣାସ ବ୍ଲକ ପରିଦର୍ଶନ କରିଛନ୍ତି। ଏହା ସହ ବନ୍ୟା ପରିସ୍ଥିତିକୁ ସମୀକ୍ଷା କରି ନଦୀବନ୍ଧ ଉପରେ ଦୃଷ୍ଟି ରଖିବା ପାଇଁ ତହସିଲଦାରଙ୍କୁ ସତର୍କ କରିଛନ୍ତି। ହୀରାକୁଦ ବନ୍ୟାଜଳ ଦୟା ଓ ଭାର୍ଗବୀ, ରାଜୁଆ, ମଲାଗୁଣି, କୁଶଭଦ୍ରା, ଦେବୀ ଆଦି ନଦୀରେ ପ୍ରଭାବିତ ହୋଇ ବିଭିନ୍ନ ବ୍ଲକରେ ପ୍ରଭାବ ବିସ୍ତାର କରିଥାଏ। ସୋମବାର ମଧ୍ୟ ରାତ୍ର ସୁଦ୍ଧା ବିଭିନ୍ନ ନଦୀରେ ମୁଣ୍ଡଳିରୁ ଆସୁଥିବା ବନ୍ୟା ଜଳ ଆସି ପହଞ୍ଚିବ ବୋଲି ଅନୁମାନ କରାଯାଉଥିବା ବେଳେ ତଳୁଆ ଅଞ୍ଚଳ ଏଥିରେ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି। କଣାସ, ଗୋପ ଓ ଅସ୍ତରଙ୍ଗ, ପିପିଲି, ସତ୍ୟବାଦୀ, ନିମାପଡ଼ାର କେତେକ ତଳୁଆ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଆସି ପାରେ। ଏହାକୁ ଦୃଷ୍ଟି ରେ ରଖି ଆଜି ପୁରୀ ଜିଲ୍ଲାପାଳ କଣାସ ଗସ୍ତ କରି ବ୍ଲକର ଦୋକନ୍ଦା, ବଡାସ ଆଦି ପଞ୍ଚାୟତ ପରିଦର୍ଶନ କରି ବନ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି। ବିଶେଷ କରି ବନ୍ୟା ନିୟନ୍ତ୍ରଣ ପାଇଁ ପୂର୍ବ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିଲା ବେଳେ ତଳିଆ ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଡ଼ିଓ ଓ ତହସିଲଦାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ହୀରାକୁଦରୁ ନିଷ୍କାସିତ ବନ୍ୟା ପାଣି ଏ ପର୍ଯ୍ୟନ୍ତ କଣାସ ର କୌଣସି ନଦୀରେ ପହଁଚି ନଥିଲେ ମଧ୍ୟ ଦୟାର ଉଚ୍ଛୁଲା ଜଳ କଣାସ ବ୍ଲକର ବଡ଼ାସ ଅଞ୍ଚଳରେ ଥିବା ମେଳଣ ପଡ଼ିଆରେ ଲହରୀ ଭାଙ୍ଗୁଥିବା ବେଳେ ଦୋକନ୍ଦା, ବଡାସ ର କିଛି ଗାଁ ବାଡ଼ିକୁ ପାଣି ମାଡ଼ିଲାଣି। ସେପଟେ ପିପିଲି ଉତ୍ତରା ନିକଟସ୍ଥ ପୁବାଶାସନ ପଂଚାୟତ ଭାର୍ଗବୀ ନଦୀ କୂଳରେ ବସବାସ କରୁଥିବା ଶବର ସାହି ରେ ବନ୍ୟା ଜଳ ପଶି ଥିବାରୁ ଉକ୍ତ ଅଞ୍ଚଳରେ ଥିବା ୧୦ ପରିବାର ଲୋକେ ଭାର୍ଗବୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଜଳସ୍ତର ବୃଦ୍ଧି ପାଇଲେ ଲୋକ ଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି। ପରିସ୍ଥିତି ମୁକାବିଲା ପାଇଁ ଓଡ୍ରାଫ୍ ଟିମ୍, ଏନ୍‌ଡିଆର୍‌ଏଫ୍ ଟିମ୍, ଅଗ୍ନିଶମ ବାହିନୀ କୁ ସଜାଗ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.