ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୋଲିସର ମନମୁଖୀ କାର୍ଯ୍ୟାନୁଷ୍ଠାନ ଓ ଗିରଫ ପ୍ରକ୍ରିୟାରେ ଥିବା ଗୁରୁତର ତ୍ରୁଟିକୁ ନେଇ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ଅଭିଯୁକ୍ତଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେଇ କୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ, ଏହି ମାମଲାକୁ ସଫଳତାର ସହ ପରିଚାଳନା କରି ଧାମନଗର ର ଯୁବ ଆଇନଜୀବୀ ସତ୍ୟନାରାୟଣ ମିଶ୍ର ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାରେ ରୁଜୁ ହୋଇଥିବା ଅପହରଣ ଓ ଦୁଷ୍କର୍ମ ଭଳି ଏକ ସଙ୍ଗୀନ ମାମଲାରେ ପୋଲିସ ଦୁଷ୍ମନ୍ତ ଶବର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ଏହି ଗିରଫ ପ୍ରକ୍ରିୟାରେ ଆଇନର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଆଇନଜୀବୀ ସତ୍ୟନାରାୟଣ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଅଦାଲତରେ ମାମଲାର ଶୁଣାଣି ବେଳେ ସତ୍ୟନାରାୟଣ ମିଶ୍ର ନିଜର ବଳିଷ୍ଠ ଯୁକ୍ତି ରଖିଥିଲେ। ସେ ଦର୍ଶାଇଥିଲେ ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୨(୧) ଏବଂ ବିନଏସଏସ ର ଧାରା ୪୭ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସମୟରେ ତାର କାରଣ ଲିଖିତ ଭାବେ ଜଣାଇବା ବାଧ୍ୟତାମୂଳକ, ଯାହା ପୋଲିସ କରିନଥିଲା। ଗିରଫ ମେମୋରେ ଅଭିଯୁକ୍ତଙ୍କ ସ୍ୱାକ୍ଷରରେ ଅସଙ୍ଗତି ଥିବା ବେଳେ ତଦନ୍ତକାରୀ ଅଧିକାରୀଙ୍କ ସ୍ୱାକ୍ଷର ମଧ୍ୟ ନଥିଲା। ଶ୍ରୀ ମିଶ୍ରଙ୍କ ଏହି ତୀକ୍ଷ୍ଣ ଆଇନଗତ ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟ ଅଭିଯୁକ୍ତଙ୍କୁ ୨୫,୦୦୦ ଟଙ୍କାର ବେଲ ବଣ୍ଡରେ ଜାମିନ ମଞ୍ଜୁର କରିଛନ୍ତି। ଏହି ସଫଳତା ପରେ ଧାମନଗର ମାଟିର ପୁଅ ଆଇନିଯିବି ସତ୍ୟନାରାୟଣ ଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଜଣେ ଆଇନଜୀବୀ ଭାବେ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟରେ ପୋଲିସର ବେଆଇନ କାର୍ଯ୍ୟାନୁଷ୍ଠାନ ବିରୋଧରେ ଲଢ଼ି ଜୟଯୁକ୍ତ ହେବା ତାଙ୍କର ଦକ୍ଷତା ଓ ନିଷ୍ଠାର ପରିଚୟ ଦେଇଛି। ଗିରଫ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରିବା ପୋଲିସର ଦାୟିତ୍ୱ। ଏହି ରାୟ କେବଳ ଜଣେ ବ୍ୟକ୍ତିଙ୍କ ଜାମିନ ନୁହେଁ, ବରଂ ବ୍ୟକ୍ତିଗତ ସ୍ୱାଧୀନତାର ବିଜୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।








