Home ଓଡ଼ିଶା ସମ୍ବଲପୁରରୁ ପ୍ରିପେଡ଼ ସ୍ମାର୍ଟ ବିଦ୍ୟୁତ ମିଟର ଆରମ୍ଭକୁ ସ୍ଥାନୀୟ ବିଜେପି ବିଧାୟକଙ୍କ ବିରୋଧ

ସମ୍ବଲପୁରରୁ ପ୍ରିପେଡ଼ ସ୍ମାର୍ଟ ବିଦ୍ୟୁତ ମିଟର ଆରମ୍ଭକୁ ସ୍ଥାନୀୟ ବିଜେପି ବିଧାୟକଙ୍କ ବିରୋଧ

292

ସମ୍ବଲପୁର, ୨୫/୮ – (ଓଡ଼ିଆ ପୁଅ) ପ୍ରିପେଡ଼ ବିଦ୍ୟୁତ ସ୍ମାର୍ଟ ମିଟର ଭଳି ଏକ ସଂସ୍କାରମୂଳକ ପଦକ୍ଷେପକୁ ଏକ ସଙ୍ଗରେ ସାରା ଓଡ଼ିଶାରେ ଲାଗୁ କରାନଯାଇ ସମ୍ବଲପୁର ଓ ରାଉରକେଲାରେ ଏହାକୁ ଆରମ୍ଭ କରିବା ତଥା ବିଦ୍ୟୁତ ଚୋରି ରୋକିବାକୁ ଏପରି କରାଯାଉଛି ବୋଲି କହି ସମ୍ବଲପୁରବାସୀଙ୍କୁ ଚୋର ବୋଲି ପ୍ରମାଣିତ କରିବାର ଯେଉଁ ଅପସଂସ୍କାରମୂଳକ କାର୍ଯ୍ୟ ହେଲା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଲେ ଯେ, ହୀରାକୁଦ ନଦୀବନ୍ଧ ପାଇଁ ଅଞ୍ଚଳବାସୀ ଭିଟାମାଟି ହରାଇ ଉଦ୍ ବାସ୍ତୁ ହୋଇ ଯଥାର୍ଥ କ୍ଷତିପୂରଣ ନ ପାଇ ଦହଗଞ୍ଜ ହେଲେ। ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ଯାହା କୁହାଯାଇଥିଲା ତାହା ତ ହେଲା ନାହିଁ ବରଂ ତୁହାକୁ ତୁହା ବିଦ୍ୟୁତ କାଟ୍ ଏବଂ ବିଭ୍ରାଟର କୁପରିଚାଳନା ମଧ୍ୟରେ ସୁଦ୍ଧା ଲୋକଙ୍କୁ ଅତି ବର୍ଦ୍ଧିତ ହାରରେ ବିଦ୍ୟୁତ ଶୁଳ୍କ ଦେବାକୁ ପଡ଼ୁଛି। ସରକାର ପ୍ରତ୍ୟେକ ବିକାଶମୂଳକ ଯୋଜନାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରାରମ୍ଭ କରୁଥିବା ବେଳେ ପ୍ରିପେଡ଼ ବିଦ୍ୟୁତ ମିଟର ବ୍ୟବସ୍ଥା କ୍ଷେତ୍ରରେ ସମ୍ବଲପୁର ଓ ରାଉରକେଲାକୁ ପ୍ରଥମେ କାହିଁକି ଚୟନ କଲେ ତାହା ହେଉଛି ପ୍ରଶ୍ନ। ସରକାର ସ୍ମାର୍ଟ ସହରଗୁଡ଼ିକରୁ ଯଦି ଏହାକୁ ଆରମ୍ଭ କରିଥାନ୍ତେ ତେବେ ୁବୁଝା ପଡ଼ିଥାନ୍ତା। ମାତ୍ର ବିଜୁଳୀ ଚୋରୀ ରୋକିବା ପାଇଁ ସମ୍ବଲପୁର, ରାଉରକେଲାରୁ ଆରମ୍ଭ କରିବୁ ବୋଲି କହିବାର ତାତ୍ପର୍ଯ୍ୟ କ’ଣ? ସରକାର ଏକ ସଙ୍ଗରେ ୩୦ଟି ଯାକ ଜିଲ୍ଲାରେ ଏହାକୁ ଲାଗୁ କରନ୍ତୁ ତଥା ବିଦ୍ୟୁତ ଶୁଳ୍କ ହାରର ସମୀକ୍ଷା କରି ଦରହ୍ରାସ କରନ୍ତୁ ବୋଲି ସେ ଦାବି ଜଣାଇଛନ୍ତି। ସେ ଆହୁରି କହିଲେ ଯେ, ଦୀର୍ଘ ବର୍ଷର ଶାସନ ମଧ୍ୟରେ ରାଜ୍ୟ ସରକାର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାରେ ସୁଧାର ଆଣିପାରିଲେ ନାହିଁ। ବିଭିନ୍ନ କାରଖାନା ଉପରେ ପ୍ରଭୂତ ପରିମାଣର ଦେୟ ବାକି ରହିଛି। ସରକାର ଛାଡ଼ ମଧ୍ୟ କରୁଛନ୍ତି। ଅଥଚ ଲୋକଙ୍କୁ ୨୪ ଘଣ୍ଟା ନିରବିଚ୍ଛିନ୍ନ ଭାବରେ ବିଦ୍ୟୁତ ଶକ୍ତି ଯୋଗାଇ ପାରୁନାହାନ୍ତି। ବିଦ୍ୟୁତ ଉତ୍ପାଦନରେ ବଳକା ଓଡ଼ିଶା ଏବେ ନିଅଣ୍ଟିଆ ସମସ୍ୟାରେ ପଡ଼ିଲାଣି।

ରେଙ୍ଗାଲି ବିଧାୟକ ନାଉରୀ ନାଏକ ଏହି ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ, କେନ୍ଦ୍ର ସରକାରଙ୍କ ଶହ ଶହ କୋଟି ଟଙ୍କାର ଅନୁଦାନ ପାଇ ମଧ୍ୟ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଶକ୍ତି ବିଭାଗକୁ ନେଇ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହରେ ବ୍ୟତିକ୍ରମ ଯୋଗୁଁ ଛାତ୍ରଛାତ୍ରୀ ଅଧ୍ୟୟନରେ, ଚାଷୀ ଚାଷ କାର୍ଯ୍ୟରେ ଏବଂ ଅନ୍ୟମାନେ ମଧ୍ୟ ବିବିଧ ପ୍ରକାରେ ଅସୁବିଧାରେ ପଡ଼ୁଛନ୍ତି। ସରକାର ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣରେ ବିଫଳ ହୋଇଛନ୍ତି। ଭିତ୍ତିଭୂମିକୁ ସଜାଡ଼ିବା ଦିଗରେ ପ୍ରଯତ୍ନ କରୁନାହାନ୍ତି। ଏହି ପ୍ରସଙ୍ଗକୁ ନେଇ ସେ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବେ ଏବଂ ଏଥିରୁ କିଛି ନିଷ୍କର୍ଷ ନ ବାହାରିଲେ ଭାଜପା ସମ୍ବଲପୁରରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଉପସଭାପତି ସମୀର ରଞ୍ଜନ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.