Home ଜିଲ୍ଲା ପରିକ୍ରମା ସମିତିରୁ ମିଲରମାନେ ନିୟମିତ ଉଠାଉନାହାନ୍ତି ଧାନ, ପଡ଼ି ରହିଛି ହଜାର ହଜାର ବସ୍ତା, ଧାନ ଦେଇ...

ସମିତିରୁ ମିଲରମାନେ ନିୟମିତ ଉଠାଉନାହାନ୍ତି ଧାନ, ପଡ଼ି ରହିଛି ହଜାର ହଜାର ବସ୍ତା, ଧାନ ଦେଇ ଚାଷୀ ବି ଠିକ୍ ସମୟରେ ପାଇ ପାରୁନି ଟଙ୍କା

0

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନରେ ଥିବା ସମବାୟ ସମିତି ଓ ମହିଳା ଗୋଷ୍ଠୀମାନେ ଧାନ କିଣିବାକୁ ଅନୁମତି ପାଇଛନ୍ତି। ଚାଷୀଙ୍କ ଠାରୁ ସମିତି ଓ ମହିଳା ଗୋଷ୍ଠୀ ଧାନ କିଣି ଚାଲିଛନ୍ତି। ମାତ୍ର ମିଲରମାନେ ସମିତିରୁ ନିୟମିତ ଗାଡ଼ି ପଠାଇ ଧାନ ନଉଠାଇବାରୁ ସମିତିମାନଙ୍କରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ସମିତି ବାହାରେ ଧାନ ପଡ଼ି ଖରା ବର୍ଷା ଖାଉଥିବା ବେଳେ ଷଣ୍ଢ, ଗୋରୁ ଗାଇ, ଛେଳି ମଧ୍ୟ ଧାନ ଖାଇ ନଷ୍ଟ କରୁଛନ୍ତି। ଚାଷୀ ଧାନ ଦେଇ ଉଚିତ ସମୟରେ ଟଙ୍କା ପାଇ ପାରୁନାହିଁ। ଯାହାଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମିଲରମାନଙ୍କର ଏପରି ଖାମଖିଆଲି ଓ ଅସହଯୋଗ ମନୋଭାବ ପାଇଁ ଚାଷୀଙ୍କ ସହିତ ସମିତି ସମ୍ପାଦକମାନେ ହଇରାଣ ହେଉଛନ୍ତି। ସମିତି ସମ୍ପାଦକମାନେ ଧାନ କେଉଁଠି ରଖିବେ ସେଥିପାଇଁ ଚିନ୍ତିତ ହୋଇ ପଡ଼ିଛନ୍ତି। ଦିନ ଦିନ ଧରି ଚାଷୀ ଗାଡ଼ିରେ ଧାନ ବୋଝେଇ କରି ସମିତି ଆଗରେ ଅପେକ୍ଷା କରୁଛି। ଠିକ୍ ସମୟରେ ସମିତିରୁ ମିଲରମାନେ ଧାନ ଉଠାଇ ନେଲେ ଏପ୍ରକାର ଅସୁବିଧା ପରିସ୍ଥ୍‌ିତି ସୃଷ୍ଟି ହୁଅନ୍ତାନାହିଁ। ଜିଲାପାଳ ଏ ଦିଗରେ ବାରମ୍ବାର ମିଲରମାନଙ୍କୁ ତାଗିଦ କରିବା ସହିତ ବାହାର ମିଲର ମଧ୍ୟ ଧାନ ଉଠାଇବା ପାଇଁ ନିଯୁକ୍ତି କରିଛନ୍ତି। ତଥାପି ସମସ୍ୟା ସୁଧୁରୁ ନାହିଁ। ଭାଟପଡ଼ା ସମିତିରେ ୪ହଜାର କୁଇଂଟାଲରୁ ଅଧିକ, ପାଳିଆବିନ୍ଧା ସମିତିରେ ୨ହଜାର କୁଇଂଟାଲ, ବାମନବିନ୍ଧା ସମିତିରେ ୫ହଜାର କୁଇଂଟାଲରୁ ଅଧିକ, ମଙ୍ଗଳପୁର ସମିତିରେ ୨ହଜାର କୁଇଂଟାଲରୁ ଅଧିକ, ବାରସର ସମିତିରେ ୫ହଜାର କୁଇଂଟାଲରୁ ଅଧିକ, ଅଣ୍ଡରାଇ ସମିତିରେ ୨ହଜାର କୁଇଂଟାଲରୁ ଅଧିକ, ଚାରିତରଫ ସମିତିରେ ୨୫୦୦ କୁଇଂଟାଲରୁ ଅଧିକ, ବିଲଣା ସମିତିରେ ୧ହଜାରରୁ ଅଧିକ କୁଇଂଟାଲ, ଗାନ୍ଧିନଗର ସମିତିରେ ୨୭୦୦ କୁଇଂଟାଲରୁ ଅଧିକ, ଅରସା ସମିତିରେ ୫ହଜାର କୁଇଂଟାଲରୁ ଅଧିକ, ନିଶ୍ଚନ୍ତପୁର ସମିତିରେ ୧ହଜର କୁଇଂଟାଲରୁ ଅଧିକ ଧାନ ପଡ଼ି ରହିଛି। ଚାଷୀ ଟୋକନ ପାଇ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଧାନ ଦେଇ ପାରୁନାହାନ୍ତି, ଯାହାଫଳରେ ଟୋକନର ମିଆଦ ସରିବାକୁ ବସିଲାଣି। ଟୋକନର ମିଆଦ ସରିଗଲେ ଚାଷୀ ଆଉ ଧାନ ଦେଇ ପାରିବ ନାହିଁ। ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.