ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନରେ ବିଜୁ ଜନତା ଦଳର ପୂର୍ବତନ ଜିଲା ପରିଷଦ ସଭ୍ୟ, ବନ୍ତ ବ୍ଲକ୍ ସେଣ୍ଢତିରା ପଂଚାୟତ ଆଳମଙ୍ଗା ଗ୍ରାମର ପୂର୍ବତନ ବିଜେଡି ବ୍ଲକ୍ ସଭାପତି ସମାଜସେବୀ ସ୍ୱର୍ଗତଃ ବିଦ୍ୟାଧର ଧଳଙ୍କ ଏକାଦଶାହ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାରେ ସାଂସଦ ଅଭିମନ୍ୟୁ ସେଠୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ଡ. ସୁଧାଂଶୁ ଶେଖର ନାୟକ, ଭାରତୀୟ ଜନତା ପାର୍ଟିର ପୂର୍ବତନ ସଂଗଠନ ମହାମନ୍ତ୍ରୀ ପଂଚାନନ ରାଉତ, ଆଇନ୍ଜୀବୀ ବନମାଳୀ ଜେନା, ଶିକ୍ଷାବିତ୍ ରତିକାନ୍ତ ବେହେରା, ବିଜେପି ନେତା କମଳାକାନ୍ତ ସାହୁ, ପୂର୍ବତନ ସରପଂଚ ଆନନ୍ଦ ଚନ୍ଦ୍ର ଓଝା, ରବିନ୍ଦ୍ର କୁମାର ପଣ୍ଡା, ଜିତେନ୍ଦ୍ର ନାୟକ, ବିଦ୍ୟାଧର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଧଳ କିଭଳି ନିଜ ଅଂଚଳବାସୀଙ୍କ ପାଇଁ ନିଜକୁ ଉତ୍ସର୍ଗ କରି ସେବା ଯୋଗାଇ ଆସିଥିବାବେଳେ ସେ ଜଣେ ପରୋପକାରୀ ମଣିଷ ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସ୍ୱର୍ଗତଃ ଧଳ ଶିକ୍ଷକତା କରିବା ମଧ୍ୟରେ ଜୀବନ ବୀମା ନିଗମର ଏଜେଂଟ ଭାବେ କାର୍ଯ୍ୟ କରିବା ସହିତ ସମାଜସେବା କରିଆସୁଥିଲେ । ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭଦ୍ରକ ସାଂସଦ ସ୍ୱର୍ଗତଃ ଅର୍ଜୁନ ଚରଣ ସେଠୀଙ୍କ ଏକାନ୍ତ ଅନୁଗତ ଭାବେ ଲଗାତର ଦୁଇଥର ଜିଲା ପରିଷଦ ସଭ୍ୟ ଏବଂ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବ୍ଲକ୍ ବିଜେଡି ସଭାପତି ଥିଲେ । ଏହି ସ୍ମୃତିଚାରଣ ସଭା ପ୍ରାରମ୍ଭରେ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ସ୍ୱର୍ଗତଃ ଧଳଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ତାଙ୍କର ତିନି ଭ୍ରାତା ଘନଶ୍ୟାମ ଧଳ, ଶିବରାମ ଧଳ ଓ ଗଣେଶ ପ୍ରସାଦ ଧଳ ପ୍ରମୁଖ ଏହି ସ୍ମୃତିସଭାକୁ ପରିଚାଳନା କରିଥିଲେ ।