Home ଜିଲ୍ଲା ପରିକ୍ରମା ସମାଜସେବୀ ଅଜୟ ନାୟକ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭ୍ୟ ମନୋନୀତ, ହାଇଦ୍ରାବାଦରେ ଚିକିତ୍ସାଧୀନ...

ସମାଜସେବୀ ଅଜୟ ନାୟକ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭ୍ୟ ମନୋନୀତ, ହାଇଦ୍ରାବାଦରେ ଚିକିତ୍ସାଧୀନ ଥାଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

30

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ସଂଖ୍ୟା ୧୧୧୬/ ତା ୧୧.୦୨.୨୦୨୧ ଆଧାରରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ନୂତନ ସଭ୍ୟ ଭାବେ ବିଶିଷ୍ଟ ସମାଜସେବୀ ଅଜୟ ନାୟକ ମନୋନୀତ ହୋଇଛନ୍ତି । ଶ୍ରୀ ନାୟକ ଅଧୁନା ଅସ୍ତ୍ରୋପଚାର ପାଇଁ ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଗେଷ୍ଟ୍ରୋଲୋଜି ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଏହି ଖବର ପାଇଁ ଖୁସି ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ୨୦୨୦ ଅଗଷ୍ଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜୁ ଜନତାଦଳର ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରିଥିଲେ । ଦୀର୍ଘବର୍ଷ ଧରି ସେ ରାଜ୍ୟ ପରିଷଦ ସଦସ୍ୟ ଭାବେ କାର୍ଯ୍ୟକରିବା ସହିତ ଦଳୀୟ ସଂଗଠନକୁ ମଜବୁତ୍ କରିବା ପାଇଁ ବିଭିନ୍ନ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ କରି ଆସିଛନ୍ତି । ଓଡ଼ିଶା ତାଳଗୁଡ଼ ନିଗମ ଅଧ୍ୟକ୍ଷ, ବିଜୁ ଶ୍ରମିକ ସାମ୍ମୁଖ୍ୟର ଭଦ୍ରକ ଜିଲ୍ଲା ସଭାପତି ଓ ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ଭାବେ ସେ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ସୁନାମ ଅର୍ଜନ କରିଛନ୍ତି ।

ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ସେ ସହ-ପର୍ଯ୍ୟବେକ୍ଷକ ଭାବେ ବାଲେଶ୍ୱର ଜିଲ୍ଲା ଦାୟିତ୍ୱ ଥାଇ ସଫଳ ହୋଇଥିଲେ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସର୍ବାଧିକ ରକ୍ତସଂଗ୍ରହ କରିପାରିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଅଧୁନା ଉତ୍କଳ ସମ୍ମିଳନୀ ଭଦ୍ରକ ଜିଲ୍ଲା ସମ୍ପାଦକ, ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦର ସମ୍ପାଦକ, ଭଦ୍ରକ ପୁସ୍ତମେଳା କମିଟିର ସଭାପତି ଓ ଭଦ୍ରକ ଜିଲ୍ଲା ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଭାବେ ସେ ବହୁ ସାଂସ୍କୃତିକ ଓ ସାମାଜିକ ସଂଗଠନର ଦାୟିତ୍ୱ ତୁଲାଇ ଆସୁଛନ୍ତି । ତାଙ୍କର ଆରୋଗ୍ୟ କାମନା ପୂର୍ବକ ସମାଜ ମଙ୍ଗଳ କାର୍ଯ୍ୟରେ ସେ ପୂର୍ବପରି ସକ୍ରିୟ ରୁହନ୍ତୁ ବୋଲି ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ, ଭଦ୍ରକ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ, ଭଦ୍ରକ ଗାନ୍ଧି ଓଡ଼ିଶା ବାଳାଶ୍ରମ ପ୍ରମୁଖ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ବିଭିନ୍ନ ଦେବୀ ମନ୍ଦିରରେ ତାଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.