Home ଓଡ଼ିଶା ସମସ୍ତ ଗରିବ ପରିବାରକୁ ମାସିକ ୭୫୦୦ଟଙ୍କା ଦେବା ପାଇଁ କଂଗ୍ରେସର ଦାବି

ସମସ୍ତ ଗରିବ ପରିବାରକୁ ମାସିକ ୭୫୦୦ଟଙ୍କା ଦେବା ପାଇଁ କଂଗ୍ରେସର ଦାବି

272

ଭୁବନେଶ୍ୱର ୨୮/୫ (ଓଡ଼ିଆ ପୁଅ) – ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିଷ୍ପତିକ୍ରମେ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସାରା ଭାରତବର୍ଷରେ “ସ୍ପିକ୍ ଅପ୍ ଇଣ୍ଡିଆ” କାର୍ଯ୍ୟକ୍ରମ ମାଧ୍ୟମରେ ଅଗଣିତ କଂଗ୍ରେସ କର୍ମୀ, ପ୍ରେମୀ, ଶୁଭେଚ୍ଛୁ ଓ କର୍ମକର୍ତାମାନେ ଭାଗ ନେଇ ଭାରତବର୍ଷରେ କୋଭିଡ୍ – ୧୯ ପରିସ୍ଥିତିକୁ ନେଇ ଗଭୀର ଭାବେ ଚିନ୍ତନ କରିବା ସହ ଏହି ଦୁର୍ଦ୍ଦିନ ସମୟରେ ତଳେ ପଡିଥିବା ମଣିଷର କଥା ବୁଝିବା ପାଇଁ ଶ୍ରୀମତୀ ଗାନ୍ଧୀଙ୍କ ଆହ୍ୱାନକୁ କାର୍ଯ୍ୟକାରୀ କରି ସାମାଜିକ ଗଣମାଧ୍ୟମ ଜରିଆରେ ସରକାରଙ୍କ ଉପରେ ଯେଉଁ ଚାପ ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମଟି ହାତକୁ ନିଆଯାଇଥିଲା ତାହା ଓଡିଶାରେ ସାମଗ୍ରୀକ ଭାବେ ସଫଳ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତିରେ କହିଛନ୍ତି।

କଂଗ୍ରେସର ପ୍ରତ୍ୟେକ କାର୍ଯ୍ୟକର୍ତା ଆଜି ଭାରତବର୍ଷର ଅଗଣିତ ଗରିବ ଜନତାଙ୍କ ଉଦ୍ଦେଶ୍ୟରେ ନିଜର ଭାବ ଓ ଭାଷା ପ୍ରକଟ କରିଥିବାରୁ ଡ. ଜ୍ଞାନେନ୍ଦ୍ର ଓଡିଶାର ସମସ୍ତ କଂଗ୍ରେସ କର୍ମୀ, ପ୍ରେମୀ, ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ନାମରେ ଯେଉଁ ପ୍ରଚାର ସର୍ବସ୍ୱ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ତାହାକୁ ଡ. ଜ୍ଞାନେନ୍ଦ୍ର ସମାଲୋଚନା କରିବା ସହ ଏ ଦୁର୍ଦ୍ଦିନ ସମୟରେ ସାଧାରଣ ଗରିବ ଲୋକକୁ ସିଧା ଆର୍ଥିକ ସହାୟତା ସ୍ୱରୂପ ମାସକୁ ୭୫୦୦ ଟଙ୍କା କରି ୬ ମାସ ପାଇଁ ଏହା ଦେବା ସହ ତୁରନ୍ତ ୧୦ ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ଓ ପ୍ରବାସୀ ଶ୍ରମିକମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହ ସେମାନଙ୍କ ଯାତ୍ରା ସମୟର ଖାଦ୍ୟ, ପାନୀୟ ବ୍ୟବସ୍ଥା କରି ସେମାନଙ୍କୁ ଘରେ ପହଂଚାଇବା ପାଇଁ କଂଗ୍ରେସ ଦଳ ଦାବି ରଖିଛି।

ଡ. ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ ବିଶେଷ ଭାବରେ କୃଷକ ଓ ମଧ୍ୟବିତ ପରିବାରର ମେରୁଦଣ୍ଡ ଭାଙ୍ଗି ଗଲାଣି। ଏଣୁ ଖଣିଫ୍ ଫସଲ ପାଇଁ ସରକାର ତୁରନ୍ତ ବିହନ, କୀଟନାଶକ ଓ ଶ୍ରମିକମାନଙ୍କୁ ମଜୁରୀ ଯୋଗାଇ ଦେବା ପାଇଁ କଂଗ୍ରେସ ଦଳ ଦାବି କରିଛି। ଏଥିସହ ଯାତ୍ରା କଳାକାର, ପାଲା କଳାକାର, ସଂକୀର୍ତନ କଳାକାର ଓ ଗ୍ରାମାଂଚଳରେ ଲୋକକଳାରେ ସଂପୃକ୍ତ ଥିବା ପରିବାରଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଡ. ଜ୍ଞାନେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.