Home ଓଡ଼ିଶା ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଓ ଜୀବିକା ଯୋଗାଇ ଦିଅ – ସିପିଆଇ

ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଓ ଜୀବିକା ଯୋଗାଇ ଦିଅ – ସିପିଆଇ

113

ଭୁବନେଶ୍ୱର, ୧୭/୦୭- (ଓଡ଼ିଆ ପୁଅ) କରୋନା ମହାମାରୀ ମୁକାବିଲା କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍ଡାଉନ/ସଟ୍ଡାଉନର ସୁଯୋଗରେ ସରକାର ବିଭିନ୍ନ ଜନବିରୋଧୀ ଅଧ୍ୟାଦେଶ, ନୀତି ଓ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ସାଧାରଣ ଲୋକଙ୍କର ଜୀବିକା ବିପନ୍ନ। ଏହା ହିଁ ସବୁଠାରୁ ଦୁର୍ଭାଗ୍ୟଜନକ ବୋଲି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଓ ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ ରାମକୃଷ୍ଣ ପଣ୍ଡା କହିଛନ୍ତି।

କରୋନା ମହାମାରୀ ପରିଚାଳନାରେ ସରକାରଙ୍କ ବିଫଳତା ବିରୋଧରେ ଏବଂ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ରାଜ୍ୟରେ ପ୍ରତିବାଦ ଆନ୍ଦୋଳନ ଉପରେ ସରକାର କଟକଣା ଲାଗୁ କରିଛନ୍ତି। ସାଧାରଣ ଲୋକଙ୍କର ଗଣତାନ୍ତ୍ରିକ ଅଧିକାରକୁ ସରକାର ଖର୍ବ କରୁଛନ୍ତି ଓ ଜୀବନ ଜୀବିକା ପାଇଁ ପ୍ରତିବାଦ କଲେ ସେମାନଙ୍କ ନାମରେ ମକଦ୍ଦମା କରାଯାଉଛି। ସ୍ୱୟଂ ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୮ ତାରିଖରେ ପ୍ରତିଦିନ ୧୫ ହଜାର ଟେଷ୍ଟିଂ କରିବାର ଘୋଷଣା କରିଥିଲେ ମଧ୍ୟ ଏବେ ଦିନକୁ ୩ହଜାର ଟେଷ୍ଟିଂ ମଧ୍ୟ ହୋଇପାରୁନି। କୋଭିଡ୍୧୯ ଆଳରେ ରାଜ୍ୟର ଅଧିକାଂଶ ସରକାରୀ ଡାକ୍ତରଖାନାର ଆଉଟ୍ଡୋରକୁ ସରକାର ବନ୍ଦ କରିଦେବା ଫଳରେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହଜାର ହଜାର ରୋଗୀ ଚିକିତ୍ସା ନ ପାଇ ମୃତ୍ୟୁବରଣ କରିବା ସହିତ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗଞ୍ଜାମରୁ ପ୍ରତିନିଧିତ୍ୱ କରୁଥିଲାବେଳେ ଗଞ୍ଜାମ ଜିଲ୍ଲାର ଅବସ୍ଥା ସଂଗୀନ। ଗଞ୍ଜାମ ଜନସାଧାରଣଙ୍କୁ ସରକାରୀ ହସ୍ପିଟାଲ ଚିକିତ୍ସା ଯୋଗାଇବା ବଦଳରେ ଅଛୁଆଁ ଓ ଅପରାଧି ଭଳି ବ୍ୟବହାର କରୁଛନ୍ତି। ସରକାରଙ୍କ ନିରବତା ଏହାକୁ ଅଧିକ ସହାୟକ ହେଉଛି। ରାଜ୍ୟର ଅବସ୍ଥାକୁ ସୁଧାରିବା ପାଇଁ କେବଳ ଅମଲାତନ୍ତ୍ର ଉପରେ ନିର୍ଭର କରିବା ବଦଳରେ ସରକାର ସମସ୍ତ ରାଜନୈତିକ ଦଳ ବିଶେଷଜ୍ଞ ଓ ସାମାଜିକ କର୍ମୀମାନଙ୍କୁ ଆସ୍ଥାକୁ ନେଇ ଭବିଷ୍ୟତର ନକ୍ସା ପ୍ରସ୍ତୁତ କରନ୍ତୁ। ସରକାରଙ୍କଠାରୁ ବିଭିନ୍ନ ପ୍ରକାର ସୁଯୋଗ ସୁବିଧା ନେଇ ରାଜ୍ୟରେ ଗଢ଼ିଉଠିଥିବା ଘରୋଇ ଡାକ୍ତରଖାନାମାନେ ଏହି କରୋନା ସମୟରେ ଅନେକ ଫାଇଦା ଉଠାଇ ଚାଲିଛନ୍ତି। କରୋନା ଟେଷ୍ଟ ପାଇଁ ଘରୋଇ ଡାକ୍ତରଖାନାରେ ୪, ୫୦୦ ଟଙ୍କା ଖର୍ଚ୍ଚ ଲାଗୁଛି। ଅନ୍ୟାନ୍ୟ ରୋଗରେ ପୀଡ଼ିତ ରୋଗୀଙ୍କୁ ବାରମ୍ବାର କରୋନା ଟେଷ୍ଟ କରାଇ ଖର୍ଚ୍ଚାନ୍ତ ମଧ୍ୟ କରାଯାଉଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତି ବିଶେଷଙ୍କୁ ସରକାରୀ ନିୟମ ଥିଲେ ମଧ୍ୟ ଘରୋଇ ଡାକ୍ତରଖାନାରେ କୌଣସି ସୁଯୋଗ ସୁବିଧା ମିଳିପାରୁ ନାହିଁ। ସରକାର ସରକାରୀ ଡାକ୍ତରଖାନାର ଆଉଟ୍ଡୋରକୁ ବନ୍ଦ କରି ଘରୋଇ ଡାକ୍ତରଖାନାକୁ ପ୍ରୋତ୍ସାହନ ଦେଉଛନ୍ତି। ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ।

ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟ ସେବାକୁ ସଠିକ୍ କରିବା; ମନରେଗା ଯୋଜନାରେ ପ୍ରତ୍ୟେକ ଶ୍ରମିକଙ୍କୁ ୨୦୦ ଦିନର କାମ ଯୋଗାଇଦେବା; ପ୍ରତ୍ୟେକ ପରିବାରକୁ ୭, ୫୦୦ଟଙ୍କା ୬ ମାସ ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରିବା; ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ୧୦ କିଲୋ ରାସନ ସାମଗ୍ରୀ ଯୋଗାଇ ଦେବା; ପେଟ୍ରୋଲ, ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି କମାଇଦେବା; ଆସନ୍ତା ଫସଲ ପାଇଁ ଚାଷୀକୁ ମାଗଣାରେ ସାର, ବିହନ, ଔଷଧ ଯୋଗାଇ ଦେବା; ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେଇଥିବା ମାଇକ୍ରୋଫାଇନାନ୍ସର ଋଣ ଆଦାୟର ଜୁଲମ ବନ୍ଦ କରି ସେମାନଙ୍କର ଋଣ ଛାଡ଼ କରିବା; ରାଜ୍ୟ ବାହାରୁ ଓଡ଼ିଶା ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଯୋଗାଇଦେବା; ସମସ୍ତ କୃଷି ଋଣ ଛାଡ଼ କରିବା ପ୍ରଭୃତି ଦାବିରେ ଜୁଲାଇ ୨୦ରୁ ୨୪ ତାରିଖ ଓ ଅଗଷ୍ଟ ମାସ ତମାମ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉପରୋକ୍ତ ଦାବି ଉପରେ ୫ଲକ୍ଷ ପୋଷ୍ଟକାର୍ଡ ଦରଖାସ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.