ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାଳନ୍ଦୀ ବାଇପାସ ସ୍ଥିତ ସୋସାଇତି ଫର ୱିକର କମ୍ୟୁନିଟି “ଆସିଆନା’ ଶକ୍ତି ସଦନପ୍ରକଳ୍ପ ଦ୍ୱାରା ସାଳନ୍ଦୀ ବାଇପାସ ସ୍ଥିତ ଆସିଆନା କନଫରେନ୍ସ ହଲରେ ମାନବ ଚଲାଣ ଓ ନାବାଳିକା ବିବାହ ନିରୋଧ ଆଇନ ଉପରେ ଏକ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇ ଯାଇଛି। ସଭ୍ୟ ସମାଜରେ ମାନବ ଚାଲାଣ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ଦଲାଲ ମାନେ ଦାରିଦ୍ର୍ୟତା, ସ୍ୱଳ୍ପ ଶିକ୍ଷା ଓ ବେରୋଜଗାରର ଫାଇଦା ନେଇ ମାନବ ଚାଲାଣରେ ସକ୍ରିୟ ଅଛନ୍ତି। ବିଶେଷତଃ ନାବାଳିକା ଓ ମହିଳା ମାନଙ୍କୁ ରାଜ୍ୟ ତଥା ଦେଶ ବାହାରକୁ ଚାଳାଣ କରି ସେମାନଙ୍କୁ ଅନୈତିକ କାମ, ଯୌନ ଶୋଷଣ, ଅଙ୍ଗ ତସ୍କରୀ ଆଦି, ଭିକ୍ଷା ବୃତି ଆଦି କାମରେ ଲଗାଇ ଥାନ୍ତି। ମହିଳାମାନେ ଏ ଦିଗରେ ସଚେତନ ହେବା ଉଚିତ ବୋଲି ବକ୍ତା ମାନେ ମତ ରଖିଛନ୍ତି। ଏହି ସଚେତନତା ଶିବରକୁ ଯମୁନାଲାଲ ବାଜାଜ ଶାନ୍ତି ପୁରସ୍କାର ପ୍ରାପ୍ତ ସମାଜସେବୀ ତଥା ଆସିୟାନାର ନିର୍ଦ୍ଦେଶିକା ସୋଫିଆ ସେକ ଉଦଘାଟନ କରିବା ସହ ପ୍ରଆରମ୍ଭିକ ସୂଚନା ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବରେ ସମାଜସେବୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର, ବରିଷ୍ଠ ଅଧିବକ୍ତା ଗଦାଧର ବଳ, ଗ୍ରାମାଂଚଳ ଥାନା ସହକାରୀ ଥାନା ଅଧିକାରୀ ଇନ୍ସପେକ୍ଟର ସଂଘମିତ୍ରା ମହାନ୍ତି ଯୋଗ ଦେଇ ଆଲୋଚିତ ବିଷୟ ଉପରେ ନିଜ ମତ ରଖିଥିଲେ। ଆସିଆନାର ସଂଯୋଜକ ରିଆଜ଼ ଅହମ୍ମଦଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ସାମାଜିକ କର୍ମୀ ଭାଗ୍ୟଶ୍ରୀ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଆସିଆନାର ଅନ୍ତେବାସୀ ଓ ନୂଆ ଓଡିଶା ଟେକ୍ନୋ ଇଣ୍ଡିଆ ଟ୍ରେନିମାନେ ଯୋଗ ଦେଇ ଆଲୋଚିତ ବିଷୟ ଉପରେ ବିଭିନ୍ନ ପ୍ରଶ୍ନ ପଚାରି ଆଇନଗତ ଦିଗ ଉପରେ ସଚେତନ ହୋଇଥିଲେ।