ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଜାନୁୟାରୀ ୧ ରୁ ୭ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଅତିରିକ୍ତ ଏସ୍.ପି. ଅରୂପ ଅଭିଷେକ ବେହେରା, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା କାର୍ଯ୍ୟାନ୍ୱୟନ ର ପ୍ରତିଟି ଦିଗକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ଆଗାମୀ ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ଜାନୁୟାରୀ ୧ ତାରିଖରେ ମାନ୍ୟବର ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସଡ଼କ ସୁରକ୍ଷା ସଚେତନତା ଏଲଇଡ଼ି ରଥ ପରିକ୍ରମାର ଶୁଭାରମ୍ଭ କରାଯିବ। ସେହିଦିନ ବସ୍ ସିଣ୍ଡିକେଟ୍, ବସ୍ଷ୍ଟାଣ୍ଡ, ବନ୍ତଛକ ଠାରେ ଗାଡ଼ିଚାଳକ ମାନଙ୍କର ନିଃଶୁଳ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା, “ସଡ଼କ ସୁରକ୍ଷା ପରିବାର ରକ୍ଷା” ଶୀର୍ଷକ ନେଇ ଜିଲ୍ଲା ସ୍କୁଲରେ ୬ଷ୍ଠ ୭ମ ଓ ୮ମ ରୁ ୧୦ ମ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ତିହିଡ଼ି ଡିଗ୍ରୀ କଲେଜ ଓ ସରକାରୀ ପଲିଟେକ୍ନିକ୍ କଲେଜ, ଆଗରପଡ଼ା କଲେଜ, ଭଦ୍ରକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨ ତାରିଖରେ ପଦଯାତ୍ରା, ବିଭିନ୍ନ ସ୍ଥାନରେ ଆର.ଟି.ଓ. ଓ ପୋଲିସ୍ ଙ୍କ ଦ୍ୱାରା ସଡ଼କ ସଚେତନତା ଓ ଧରପଗଡ଼ କାର୍ଯ୍ୟକ୍ରମ, ସ୍ଲୋଗାନ ପ୍ରତିଯୋଗିତା, ବେଦାନ୍ତ ଫେକରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
୩ ତାରିଖରେ ଧାମରା ବନ୍ଦର, ବେଦାନ୍ତ ଫେକର ର ଡ୍ରାଇଭର ମାନଙ୍କ ଉଦ୍ଦେଶ୍ୟରେ ସଡ଼କ ସୁରକ୍ଷା ସଚେତନତା, ବିଭିନ୍ନ ସ୍ଥାନରେ ଧରପଗଡ଼ ସହ ରାଣୀତାଲ ବଜାରରେ ଏଲଇଡ଼ି ଜରିଆରେ ସଡ଼କ ସୁରକ୍ଷା ଦୃଶ୍ୟାବଳୀ ପରିବେଷଣ କରାଯିବ। ୪ ତାରିଖରେ ଭଦ୍ରକ ପୌରପାଳିକାର ଦୃଶ୍ୟ ଫଳକ ଜରିଆରେ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ, ଭଦ୍ରକ, ବନ୍ତ, ଧାମନଗର, ଭଣ୍ଡାରିପୋଖରୀ ଅଂଚଳରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ, ରେଳଷ୍ଟେସନ ଚରମ୍ପାରେ ଏଇଇଡ଼ିରେ ସଡ଼କ ସୁରକ୍ଷା ପ୍ରଦର୍ଶନ, ୫ ତାରିଖରେ ବାସୁଦେବପୁର, ଚାନ୍ଦବାଲି, ତିହିଡ଼ିରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ, ଏଲ୍.ଇ.ଡ଼ି ରଥ ଜରିଆରେ ତିହିଡ଼ିରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ, ୬ ରେ ବିଭିନ୍ନ ସ୍ଥାନରେ ଧରପଗଡ଼ ସହ ସଚେତନତା ସମ୍ବଳିତ ବାର୍ତା ପ୍ରଦର୍ଶନ ଓ ୭ରେ ଉଦ୍ଯାପନୀ ଉତ୍ସବ, ପୁରସ୍କାର ବିତରଣ ସହ ବିଭିନ୍ନ ସ୍ଥାନରେ ଧରପଗଡ଼ ଓ ସଚେତନତା କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବା ନେଇ କାର୍ଯ୍ୟସୂଚୀ ବୈଠକରେ ଅନୁମୋଦିତ ହୋଇଥିଲା। ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ସଡ଼କ ସୁରକ୍ଷା କମିଟି ବୈଠକରେ ନିର୍ଦ୍ଧାରିତ ସମସ୍ୟା ସବୁର ସମାଧାନ ନେଇ ସମୀକ୍ଷା କରାଯାଇଥିଲା। ବେଆଇନ୍ ପାର୍କିଂ, ହମ୍ପସ୍ ଉଠାଇବା, ସୂଚନା ଫଳକ ଲାଗିବା, ଜାତୀୟ ରାଜପଥରେ ଆଲୋକ ନ ଜଳିବା, ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ନ ସରିବା ଆଦି ସମ୍ବନ୍ଧରେ ଟିକିନିଖି ସମୀକ୍ଷା କରାଯାଇ ବାକିଥିବା କାମକୁ ସମ୍ପାଦନା ପାଇଁ ପରିଚାଳନା କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଏକ ସ୍ଥାୟୀ ସବ୍ କମିଟି ବୈଠକ ଗଠନ କରାଯାଇଥିଲା। ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ବରିଷ୍ଠ ଏମ୍.ଭି.ଆଇ., ସଡ଼କ ସୁରକ୍ଷା ଅଧିକାରୀ ଓ କମିଟିର ସଦସ୍ୟ ଅତିସ୍ କୁମାର ବେହେରା, ଶ୍ରୀନିବାସ ପତି ଓ ରବିନାରାୟଣ ଖିଲାରଙ୍କୁ ନେଇ ଏହି କମିଟି ଗଠନ କରାଯାଇଥିଲା ଏବଂ ବୈଠକରେ ସମାପ୍ତି ପରେ ଉକ୍ତ ସବ୍ କମିଟି ସମସ୍ୟା ଯୁକ୍ତ ସଡ଼କ ପଥର କ୍ଷେତ୍ର ପରିଦର୍ଶନରେ ଗସ୍ତ କରିଥିଲେ। ଦୁର୍ଘଟଣା ହ୍ରାସ ପାଇଁ ସଡ଼କ ପଥରେ ନିରାପଦ ଯାତାୟତ ଜରୁରୀ ଏବଂ ଏଥିନିମନ୍ତେ ସଚେତନତା, ଧରପଗଡ଼, ସଠିକ୍ ରାସ୍ତା ନିର୍ମାଣ, ସୂଚନା ଫଳକ ସଂଲଗ୍ନ ଆଦି ଉପରେ ଯଥେଷ୍ଟ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବରିଷ୍ଠ ଏମ୍.ଭି.ଆଇ ବାମଦେବ ସାହୁ ବୈଠକରେ ଗତ ବୈଠକ ର ବିବରଣୀ ଓ ଚଳିତ ବୈଠକ ପାଇଁ କାର୍ଯ୍ୟସୂଚୀ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ। ଆଂଚଳିକ ପରିବହନ କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ଏହି ବୈଠକ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ।