Home ଓଡ଼ିଶା ସଡକ ପଥରେ ପରିବହନ ଦାବି ନେଇ ଜିନ୍ଦଲ କମ୍ପାନୀ ଫାଟକ ସମ୍ମୁଖରେ ଟ୍ରକ ମାଲିକଙ୍କ ବିକ୍ଷୋଭ

ସଡକ ପଥରେ ପରିବହନ ଦାବି ନେଇ ଜିନ୍ଦଲ କମ୍ପାନୀ ଫାଟକ ସମ୍ମୁଖରେ ଟ୍ରକ ମାଲିକଙ୍କ ବିକ୍ଷୋଭ

48

ଯୋଡା, ୨୭ା୭ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଲୁହାପଥର ଓ ପିଲେଟ (ଲୁହାପଥର ଗୁଲି) ରପ୍ତାନୀରେ କେନ୍ଦ୍ର ସରକାର ଯଥାକ୍ରମେ ୫୦ ପ୍ରତିଶତ ଓ ୪୫ ପ୍ରତିଶତ ରପ୍ତାନୀକର ବୃଦ୍ଧି କରିବାପରେ ବାହାରକୁ ଏହାର ପରିବହନ ଏକ ପ୍ରକାର ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି। କେବଳ ନିଜସ୍ୱ କାରଖାନକୁ ଲୁହାପଥର ଗୁଣ୍ଡ ଓ ପିଲେଟ ପରିବହନ ହେଉଥିବାବେଳେ ଖଣି ଅଞ୍ଚଳର ଟ୍ରକ ମାଲିକମାନେ ଅନେକାଂଶରେ ଏବେ କାମଧନ୍ଦା ହରାଇ ବସିଛନ୍ତି। ଦେଓଝର ରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ତାଙ୍କର ପିଲେଟ କାରଖାନାରୁ ଅନୁଗୁଳସ୍ଥିତ ନିଜସ୍ୱ ଲୁହାକାରାଖାନାକୁ ପିଲେଟ ପରିବହନ କରିଥାନ୍ତି। ଏଥିରେ ଯୋଡା ଟ୍ରକମାଲିକ ସଂଘ (ଜାଟୋଆ) ଓ ଆଞ୍ଚଳିକ ଟ୍ରକ ମାଲିକ (ଆଟୋଆ)ରେ ପଞ୍ଜିକୃତ ଟ୍ରକ ଗୁଡିକ ପରିବହନର ସୁବିଧା ପାଇଥାନ୍ତି। ତେବେ ଜିନ୍ଦଲ କମ୍ପାନୀର କେତେକ ଅଧିକାରୀ ଚଞ୍ଚକତା ପୂର୍ବକ ରାତି ଅଧିଆ ବାହାର ରାଜ୍ୟର ଟ୍ରଲର ଆଣି କାରଖାନା ଭିତରେ ପୁରାଇ ଲୁହା ପିଲେଟ ପରିବହନ ନିମନ୍ତେ ବୋଝେଇ କରୁଥିବା ସମୟରେ ଯୋଡା ଟ୍ରକ ମାଲିକ ସଂଘ ଏବଂ ଆଞ୍ଚଳିକ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାମାନେ ଗତ ୦୪.୦୬.୨୦୨୨ରେ ଏହାକୁ ବିରୋଧ କରିଥିଲେ। ଫଳରେ ୨୨ ଚକିଆ ୭ଟି ଟ୍ରଲରରେ ଅନୁଗୁଳ ପରିବହନ ନିମନ୍ତେ ବୋଝେଇ ହୋଇଥିବା ଲୁହା ଗୁଲିକୁ କାରଖାନା ଭିତରେ ଖଲାସ କରିବାକୁ କମ୍ପାନୀ ବାଧ୍ୟ ହୋଇଥିଲେ। ଏହା ପରଠାରୁ କମ୍ପାନୀ ସଡକ ପଥରେ ଲୁହା ପିଲେଟ ପରିବହନ ନକରି କାରଖାନା ଭିତରୁ ରେଳ ଡବା ମାଧ୍ୟମରେ ପରିବହନ କରିଆସୁଥିବା ବେଳେ ସ୍ଥାନୀୟ ଟ୍ରକ ମାଲିକମାନେ ଏବେ ପରିବହନ କାର୍ଯ୍ୟ ନପାଇ ହାତ ବାନ୍ଧି ବସିଛନ୍ତି। ଫଳରେ ଋଣ କରି ଟ୍ରକ କିଣିଥିବା ବେକାର ଯୁବକମାନେ ଏବେ ଦେବାଳିଆ ଅବସ୍ଥାକୁ ଆସିଗଲେଣି। ତେଣୁ ସମ୍ପୂର୍ଣ୍ଣ ପିଲେଟକୁ ରେଳ ପଥରେ ପରିବହନ ନକରି ଅନ୍ତତଃ ୪୦ ପ୍ରତିଶତ ପିଲେଟ ସଡକ ପଥରେ ପରିବହନ କରିବାକୁ ଜାଟୋଆ ଓ ଆଟୋଆର କର୍ମକର୍ତ୍ତାମାନେ ଦାବି କରିଛନ୍ତି। ସେମାନେ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଏକ ଚରମପତ୍ର ଦେବା ସହ ବୁଧବାର ଜିନ୍ଦଲ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ନାରାବାଜୀ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ପ୍ରାୟ ଏକ ମାସ ହେଲା ଏହି କାରଖାନାକୁ ଟ୍ରକ ଯୋଗେ ଲୁହା ପିଲେଟ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ କାମଧନ୍ଦା ହରାଇ ଟ୍ରକ ମାଲିକମାନେ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଏଥିରେ ଶହ ଶହ ସଂଖ୍ୟାରେ ଟ୍ରକ ମାଲିକ ଯୋଗଦେଇ କମ୍ପାନୀର ଏହି ଏକଚାଟିଆ ଲାଭଖୋର ମନବୃତ୍ତିକୁ ସେମାନେ ବିରୋଧ କରିଛନ୍ତି। ଟ୍ରକ ମାଲିକଙ୍କ ଦାବିକୁ ଦୃଷ୍ଟିରେ ରଖି କମ୍ପାନୀର ମାନବ ସମ୍ବଳ ଅଧିକାରୀ ଶଶାଙ୍କ ସେଖର ପଟ୍ଟନାୟକ ଟ୍ରକ ମାଲିକ ମାନଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ଏ ନେଇ କମ୍ପାନୀ ନିଷ୍ପତ୍ତି ଗ୍ରହଣ କରିବ ବୋଲି ସେ ଟ୍ରକ ମାଲିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ଏଥିରେ ଟ୍ରକ ମାଲିକଙ୍କ ସହିତ ଦେଓଝର ସରପଞ୍ଚ ଧୃବଚରଣ ନାଏକ, ବିରିକଳା ସରପଞ୍ଚ ସୁନା ନାଏକ, କଣ୍ଡରା ସରପଞ୍ଚ ରୀନା ନାଏକ, ଚମକପୁର ସରପଞ୍ଚ ସକୁନ୍ତଳା ନାଏକ, ୨୮ନଂ ଜୋନ ଜିଲା ପରିଷଦ ସଦସ୍ୟ ଡମ୍ବରୁଧର କୁଦାଦାଃ, ସମସ୍ତ ପିଏସ୍ ମେମ୍ବର ସହମତି ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ସେମାନେ କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧିକ୍ଷକ, ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ, ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ, ବିଲେଇପଦା ଫାଣ୍ଡି ଅଧିକାରୀ, ଚମ୍ପୁଆ ବିଧାୟିକା, ଜିନ୍ଦଲ କମ୍ପାନୀର ପରିବହନ ମୁଖ୍ୟ ପ୍ରମୁଖଙ୍କୁ ଅବଗତ କରାଇଥିବା ଜଣାପଡିଛି। ତେବେ ୩୦ ତାରିଖ ଦିନ ଟ୍ରକ ମାଲିକଙ୍କ ଦାବି ମୁକାବକ କମ୍ପାନୀ ସଡକ ପଥରେ ପରିବହନ ନିମନ୍ତେ ଅନୁମତି ପ୍ରଦାନ ନକଲେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.