Home ଜିଲ୍ଲା ପରିକ୍ରମା ସଚେତନତା ଅଭାବ; ଡିଜିଟାଲ ସର୍ଭେକୁ ମିଳୁନି ସହଯୋଗ

ସଚେତନତା ଅଭାବ; ଡିଜିଟାଲ ସର୍ଭେକୁ ମିଳୁନି ସହଯୋଗ

76

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏବେ ଭଦ୍ରକ ପୌରାଞ୍ଚଳରେ ଚାଲିଛି ଡିଜିଟାଲ ସର୍ଭେ । ଏହି ସର୍ଭେ ସମୟରେ ପୌରାଞ୍ଚଳର ସମସ୍ତ ଘର ଓ ରାସ୍ତାକୁ ଡିଜିଟାଇନେସନ୍ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏ ପ୍ରକାର ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୩ ମାସ ପୂର୍ବେ ନିଆଯାଇଥିଲା । ତେବେ ଏବେ ଜଣେ ନୋଡାଲ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ସର୍ଭେ କାର୍ଯ୍ୟ ଭଦ୍ରକ ପୌରାଞ୍ଚଳରେ ଆରମ୍ଭ ହୋଇଛି । କିନ୍ତୁ ଉକ୍ତ ସର୍ଭେ ଦ୍ୱାରା ପୌରବାସୀ କିଭଳି ଭାବରେ ଉପକୃତ ହେବେ ସେ ସଂପର୍କରେ ସ୍ପଷ୍ଟ ହୋଇନାହିଁ । ତଥାପି ୩ ମାସ ପୂର୍ବେ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଏହି ଡିଜିଟାଇନେସନ୍ ପ୍ରକ୍ରିୟା ଦ୍ୱାରା ପୌରବାସୀଙ୍କ ସମସ୍ୟା ସମାଧାନ ତ୍ୱରାନ୍ୱିତ ହୋଇପାରିବ ବୋଲି କୁହାଯାଇଥିଲା । ସର୍ଭେ ପରେ ସମସ୍ତ ଗୃହକର୍ତ୍ତାଙ୍କ ଏକ ଡାଟାବେସ୍ ପ୍ରସ୍ତୁତ ହେବା ସହ ସେମାନଙ୍କୁ ଏକ ୧୪ ଡିଜିଟ୍ ନମ୍ବର ଦିଆଯିବ । ଏହାବ୍ୟତୀତ ଏକ ହେଲପ୍ ଲାଇନ୍ ନମ୍ବର ମଧ୍ୟ ପ୍ରଦାନ କରାଯିବ । ନିଜର ଅସୁବିଧା ସମୟରେ ଗୃହକର୍ତ୍ତା ଉକ୍ତ ହେଲପ୍‌ଲାଇନ୍ ନମ୍ବରକୁ ଫୋନ୍ କରି ନିଜର ସମସ୍ୟା ଜଣାଇ ପାରିବେ । ଫଳରେ ସଂପୃକ୍ତ ଗୃହକର୍ତ୍ତାଙ୍କ ସମସ୍ୟା ସମାଧାନ ପାଇଁ ପୌର କର୍ତ୍ତୃପକ୍ଷ ତତ୍‌କାଳ ପଦକ୍ଷେପ ନେଇପାରିବେ ।

ଖୁବଶୀଘ୍ର ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା । ସର୍ଭେ ଆରମ୍ଭ ହୋଇଛି । କିନ୍ତୁ ଉକ୍ତ ସର୍ଭେ କାର୍ଯ୍ୟକୁ ଯେପରି ସହଯୋଗ ମିଳିବା କଥା, ସେତକ ଭଦ୍ରକ ପୌରାଞ୍ଚଳରେ ମିଳୁନାହିଁ । କାରଣ ଏପରି ସର୍ଭେ ସଂପର୍କରେ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୌରବାସୀଙ୍କୁ ଅବଗତ କରାଯାଇନାହିଁ କିମ୍ବା ସଚେତନତା ସୃଷ୍ଟି କରାଯାଇନାହିଁ । ସର୍ଭେ କାର୍ଯ୍ୟରେ ନିୟୋଜିତ କେତେକ କର୍ମଚାରୀ (ଏନ୍‌ଜିଓ ସଦସ୍ୟ) ବିଭିନ୍ନ ୱାର୍ଡରେ ପହଞ୍ôଚ ଆବଶ୍ୟକ ତଥ୍ୟ ସଂଗ୍ରହ କରୁଛନ୍ତି । ଗୃହକର୍ତ୍ତାଙ୍କ ନାମ, ମୋବାଇଲ୍ ନମ୍ବର, ଘରର ହୋଲ୍‌ଡିଂ ନମ୍ବର, ଘର ନମ୍ବର, ବିଦ୍ୟୁତ୍ ସଂଯୋଗ ନମ୍ବର, ପାନୀୟ ଜଳ ସଂଯୋଗ ନମ୍ବର, ଟ୍ରେଡ୍ ଲାଇସେନସ୍ ସଂପର୍କରେ ତଥ୍ୟ ମାଗୁଛନ୍ତି । କିନ୍ତୁ ସେମାନଙ୍କୁ ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି । ପ୍ରାୟ ସମସ୍ତ ସ୍ଥାନରେ ଗୃହକର୍ତ୍ତା କିମ୍ବା ତାଙ୍କର ଘରଲୋକ ସର୍ଭେ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ବିଶ୍ୱାସକୁ ନେଇ ପାରୁନାହାଁନ୍ତି । ସେମାନେ କିଏ ଓ କେଉଁ ଆଧାରରେ ଏପରି ତଥ୍ୟ ସଂଗ୍ରହ କରିବାକୁ ଆସିଛନ୍ତି ଏପରି ପ୍ରଶ୍ନର ସମ୍ମୁଖୀନ ହେବାକୁ ସେମାନଙ୍କୁ ପଡୁଛି । ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏପରି ତଥ୍ୟ ଦେବା ପୂର୍ବରୁ ତୁମେ ଆମ ଅଂଚଳର ଟ୍ୟାକ୍ସ କଲେକ୍ଟରଙ୍କୁ ନେଇକି ଆସ ବୋଲି କହୁଛନ୍ତି । ତେଣୁ ନିରୁପାୟ ହୋଇ ନିୟୋଜିତ କର୍ମଚାରୀ କେବଳ ଗୃହକର୍ତ୍ତାଙ୍କ ଘର ଫାଟକରେ ଏକ ନମ୍ବର ଲେଖିବା ସହ ଏକ ସର୍ଭେ ଫର୍ମ ଧରାଇ ପଳାଉଛନ୍ତି । ଏପରି ସମସ୍ୟା ସୃଷ୍ଟି ହେବା ପରେ ଆଜିଠାରୁ ପୌର କର୍ତ୍ତୃପକ୍ଷ କେତେକ ୱାର୍ଡରେ ଡାକବାଜି ଯନ୍ତ୍ର ଯୋଗେ ଏନେଇ ସଚେତନତା ସୃଷ୍ଟିର ଉଦ୍ୟମ ଆରମ୍ଭ କରିଛନ୍ତି । କିନ୍ତୁ ଯେପର୍ଯ୍ୟନ୍ତ ଏହି କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥା ସହ ପୌରପାଳିକାର କର୍ମଚାରୀ ସହଯୋଗ ନକରିଛନ୍ତି, ଏହି ଡିଜିଟାଲ ସର୍ଭେ ପ୍ରହସନରେ ପରିଣତ ହେବା ଏକ ପ୍ରକାର ନିଶ୍ଚିତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.