Home ଓଡ଼ିଶା ସଙ୍ଗରୋଧରୁ ୬ଦିନ ହେଲା ଡିସଚାର୍ଜ ହେଲେଣି ନାବାଳକ, ଘରକୁ ଯିବାକୁ ଟଙ୍କା ନାହିଁ

ସଙ୍ଗରୋଧରୁ ୬ଦିନ ହେଲା ଡିସଚାର୍ଜ ହେଲେଣି ନାବାଳକ, ଘରକୁ ଯିବାକୁ ଟଙ୍କା ନାହିଁ

177

ବାଲିଗୁଡା, ୪/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସରକାରୀ ବାଳିକା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ନାବାଳକଙ୍କ ୨୧ର ଦିନ ଅବଧି ସାରିବା ପରେ ମଧ୍ୟ ସେ ନିଜ ଘରକୁ ଯାଇପାରୁ ନାହାଁନ୍ତି। ସଙ୍ଗରୋଧ କେନ୍ଦ୍ରରୁ ତାଙ୍କୁ ଡିସଚାର୍ଜ ପ୍ରମାଣପତ୍ର ମଧ୍ୟ ଦିଆସରିଲାଣି। ହେଲେ ସରକାରଙ୍କ ଘୋଷଣା ମୁତାବକ ୨ ହଜାର ଟଙ୍କା ତାଙ୍କୁ ଦିଆଯାଉନାହିଁ। ନିଜ ଅଞ୍ଚଳକୁ ଗଲେ ସେଠାରେ ଦିଆଯିବ ବୋଲି କୁହାଯାଇଛି। ତାଙ୍କ ପାଖରେ ଟଙ୍କାଟିଏ ନଥିବାରୁ ସେ ଘରୁକୁ ଯାଇପାରୁନାହାଁନ୍ତି। ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ମାର୍କାପାଲ୍ଲୀ ଗ୍ରାମର ସନାଦାର ଭୁଟ୍ଟେ (୧୭)କେରଳ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିଲେ। କରୋନା ଯୋଗୁଁ ସେଠାରେ କମ୍ପାନୀ ଗୁଡ଼ିକ ବନ୍ଦହେବା ପରେ ଜୁଲାଇ ୭ ତାରିଖରେ ବ୍ରହ୍ମପୁରରେ ପହଞ୍ଚିଥିଲେ। ଦାରିଙ୍ଗବାଡ଼ିରେ ପରଦିନ ପହଞ୍ଚିବା ପରେ ପ୍ରଶାସନ ତରଫରୁ ସେମାନଙ୍କୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ୨୧ ଦିନ ରହିବାକୁ କୁହାଯାଇଥିଲା। ୨୮ତାରିଖରେ ଅବଧି ସରିବାପରେ ସମସ୍ତଙ୍କୁ ଡିସଚାର୍ଜ କରାଯାଇଥିଲା। ସନାଦାରଙ୍କ ବ୍ୟତୀତ ଅନ୍ୟସମସ୍ତେ ନିଜନିଜ ଘରକୁ ଚାଲିଯାଇଥିବାବେଳେ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ଘରକୁ ଫେରିନପାରି ପରିବାରକୁ ଝୁରୁଛନ୍ତି। ଅନ୍ୟପକ୍ଷରେ ଡିସଚାର୍ଜ ପରେ ୨ହଜାର ଟଙ୍କା ମଧ୍ୟ ତାଙ୍କୁ ଦିଆଯାଇନଥିବା ସେ କହିଥିବାବେଳେ ସୋମବାର ସଙ୍ଗରୋଧରୁ ବାହାରି ମାଲକାନଗିରିକୁ ଚାଲିଚାଲି ଯିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଶାସନ ତରଫରୁ କିଛି ସହାୟତା କରାଯାଉନଥିବା ବେଳେ ଲକ୍ଡାଉନ ଓ ସଟ୍ଡାଉନ ଚାଲିଛି କହି ଦିନ ଗଡ଼ାଇ ଚାଲିଛନ୍ତି ବୋଲି ସେ କହିଛନ୍ତି। ତାଙ୍କୁ ତୁରନ୍ତ ନିଜ ଜିଲ୍ଲାକୁ ପଠାଇବାକୁ ବ୍ୟବସ୍ଥା କରିବା ପାଇଁ ସେ ଜିଲ୍ଲାପ୍ରଶାସନ ନିକଟରେ ଅନୁରୋଧ କରିଥିବାବେଳେ ମାଲକାନଗିରି ଜିଲ୍ଲାପ୍ରଶାସନ ମଧ୍ୟ ସାହାଯ୍ୟ କରିବାକୁ ଗୁହାରୀ କରିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବ୍ଲକର ଭାରପ୍ରାପ୍ତ ବିଡିଓ ହଳଧର ନାୟକଙ୍କୁ ପଚାରିବାରୁ ସେ ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି, ଜିଲ୍ଲାପ୍ରଶାସନ ତରଫରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏହାସହ ୨ହଜାର ଟଙ୍କା ସେ ନିଜ ବ୍ଲକରୁ ପାଇ ପାରିବେ ବୋଲି ବିଡିଓ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.