Home ଜିଲ୍ଲା ପରିକ୍ରମା ସଂଗ୍ରାମୀ କପିଳ ଚରଣ ଦାସଙ୍କ କ୍ରାନ୍ତିକାରୀ ଜୀବନାଦର୍ଶ ସର୍ବଦା ସ୍ମରଣୀୟ ଓ ବନ୍ଦନୀୟ

ସଂଗ୍ରାମୀ କପିଳ ଚରଣ ଦାସଙ୍କ କ୍ରାନ୍ତିକାରୀ ଜୀବନାଦର୍ଶ ସର୍ବଦା ସ୍ମରଣୀୟ ଓ ବନ୍ଦନୀୟ

3

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ସଂଗଠକ, ଗାନ୍ଧୀ ବାଳାଶ୍ରମର ପ୍ରାକ୍ତନ ସଂପାଦକ କପିଳ ଚରଣ ଦାସଙ୍କ ୧୫ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା କପିଳ ଚରଣ ଦାସ ସ୍ମୃତି ସମିତି ଓ ଗାନ୍ଧୀ ବାଳାଶ୍ରମ ମିଳିତ ଆନୁକୂଲ୍ୟରେ ଭଦ୍ରକ ସ୍ଥିତ ସଂସ୍କୃତି ଭବନ ଠାରେ ସମାରୋହରେ ପାଳିତ ହୋଇଯାଇଛି । ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିିଥି ଭାବରେ ଭଦ୍ରକର ମାନ୍ୟବର ବିଧାୟକ ସିତାଂଶୁ ଶେଖର ମହାପାତ୍ର, ମୁଖ୍ୟବକ୍ତା ଭାବରେ ବେଦପିୟୂଷର ସମ୍ପାଦକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବରେ ଧାମନଗର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ୱାଧୀନତା ସଂଗ୍ରାମର ଯୋଗଦାନ, ଦେଶପ୍ରେମ, ସମାଜସେବା ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଦାସ ଗାନ୍ଧୀଙ୍କ ଜୀବନ ଦର୍ଶନ, ନୀତି ଆଦର୍ଶକୁ ଗ୍ରହଣ କରି ପିତୃମାତୃହୀନ ଅନାଥ ଶିଶୁଙ୍କୁ କୋଳେଇ ଆଣି ଆଶ୍ରମରେ ପାରିବାରିକ ସ୍ନେହ ଶ୍ରଦ୍ଧା ପରିବେଶରେ ଲାଳନପାଳନ କରି ସେମାନଙ୍କୁ ଯେଉଁଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଥିଲେ ତାହା ଯୁଗଯୁ୍‌ଗକୁ ସ୍ମୃତି ହୋଇରହିବ । ଯଥାର୍ଥରେ ସ୍ୱର୍ଗତ ଦାସ ଥିଲେ ସାର୍ଥକ ରଚନାତ୍ମକ କର୍ମୀ ଓ କିମ୍ବଦନ୍ତୀ ସମାଜସେବୀ । ତାଙ୍କର ବହୁବିଧ ପ୍ରତିଭା ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।

ସଭାପ୍ରାରମ୍ଭରେ ଗାନ୍ଧୀ ବାଳାଶ୍ରମର ବରଷ୍ଠ ସଦସ୍ୟା ଶାନ୍ତିଲତା ନାଗଙ୍କ ବିୟୋଗରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଙ୍ଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କ ତତ୍ୱାବଧାନରେ କଣ୍ଠଶିଳ୍ପୀ ପ୍ରଜ୍ଞା ଦାସ ଓ ବାଳାଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ଆବାହନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶିକ୍ଷାବିତ୍ ବୈକୁଣ୍ଠ ବିଶ୍ୱାଳ ଅତିଥି ମାନଙ୍କୁ ମଂଚ ଆମନ୍ତ୍ରଣ କରିବା ପରେ କବି ମନୋଜ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ, ପ୍ରେମାନନ୍ଦ ଦାସ ଓ ହୃଷିକେଶ ମହାନ୍ତିଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଇଂ ଅଖିଳ କୁମାର ପାଢ଼ୀ, ଡ. ଶଶଧର ଦାସ, ଲଲାଟେନ୍ଦୁ ମହାନ୍ତି, ମୁସ୍ତାକ ଗୌହର, ଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତ, ଜ୍ୟୋତିପ୍ରକାଶ ମହାନ୍ତି, କମଳାକାନ୍ତ ସ୍ୱାଇଁ, ପ୍ରାକ୍ତନ ବିଚାରପତି ବାସୁଦେବ ଦାସ, ଡ. ମନୀନ୍ଦ୍ର ମହାନ୍ତି, ପଦ୍ମନ କୁମାର ରାଏ, ଲକ୍ଷ୍ମୀକାନ୍ତ ବାରିକ ଓ ବୃନ୍ଦାବନ ରାଉଳ ଆଦି ଯୋଗ ଦେଇ କପିଳ ଚରଣ ଦାସଙ୍କ ବହୁବିଧ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ରାଜକିଶୋର ଦାସଙ୍କୁ କପିଳ ଚରଣ ଦାସ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତ୍ୟୁଷରେ ସର୍ବଧର୍ମ, ପ୍ରାର୍ଥନା, ତିଳତର୍ପଣ, ସମାଧୀପୀଠରେ ପୁଷ୍ପମାର୍ଲ୍ୟ ଅର୍ପଣ କରାଯିବା ପରେ ସହିଦ୍ ସ୍ମୃତି ତୀର୍ଥ ସହିଦନଗରକୁ ଗାନ୍ଧୀବାଳାଶ୍ରମ ଓ ତ୍ୟାଗଭୂମି ପକ୍ଷରୁ କ୍ରାନ୍ତିଯାତ୍ରା କରାଯାଇ ଅମର ସହିଦ୍‌ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ସମାଜସେବୀ ସୁଧାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.