ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିକଟରେ ଅନୁଷ୍ଠିତ ହୋଇଯାଇଥିବା ମଣ୍ଡଳସ୍ତରୀୟ ସିବିଏସ୍ଇ କ୍ରିକେଟ୍ ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ତଥା ଏସ.ବି.ଡ଼ି. ଇଂଟରନ୍ୟାସନାଲ୍ ସ୍କୁଲର +୨ ପ୍ରଥମ ବର୍ଷ ବାଣିଜ୍ୟ ଛାତ୍ର ଶ୍ରେୟାଂଶୁ ଶେଖର ପାତ୍ର ଜାତୀୟ ସ୍ତରୀୟ ସ୍କୁଲ କ୍ରିକେଟ୍ ପାଇଁ ମନୋନୀତ ହୋଇଛନ୍ତି । ସେ ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀଠାରେ ହେବାକୁ ଥିବା ପ୍ରତିଯୋଗିତରେ ଭାଗ ନେବେ । ପୂର୍ବରୁ ସେ ଗତ ୬ ଅଗଷ୍ଟରୁ ଆରମ୍ଭ ହୋଇ ୧୦ ଅଗଷ୍ଟରେ କେ. ଟି. ଗ୍ଲୋବାଲ ସ୍କୁଲ, ଖୋର୍ଦ୍ଧାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶାରିରୀକ କ୍ରିଡ଼ା ଶିକ୍ଷକ ମନୋଜ କୁମାର ସାହୁଙ୍କ ତତ୍ୱାବଧାନରେ ୧୭ବର୍ଷରୁ କମ୍ ବିଭାଗରେ ଅଂଶ ଗ୍ରହଣ କରିଥିଲେ । ଏହି ମଣ୍ଡଳ ସ୍ତରୀୟ ପ୍ରତିଯୋଗିତାରେ ୪ଟି ରାଜ୍ୟର ବିଭିନ୍ନ ସିବିଏସ୍ଇ ସ୍କୁଲରୁ ମୋଟ ୫୬ଗୋଟି ସ୍କୁଲ ଅଂଶ ଗ୍ରହଣ କରିଥିଲେ । ପଶ୍ଚିମବଙ୍ଗ, ଆସାମ, ଛତିଶଗଡ଼ ଏବଂ ଓଡ଼ିଶାର ୮୦୦ରୁ ଉର୍ଦ୍ଧ୍ୱ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାଟି ସିବିଏସ୍ଇ ପ୍ରଥମଥର ଏସ୍.ଜି.ଏଫ.ଆଇ ସହିତ ଅନୁବନ୍ଧିତ କରି ଆରମ୍ଭ କରିଅଛି । ଏହି ପ୍ରତିଯୋଗିତାରେ ଉନ୍ନତ ଖେଳ ପ୍ରର୍ଦଶନ କରିଥିବା ୧୮ଜଣ ଖେଳାଳୀଙ୍କୁ ଗୋଲ୍ଡ ମେଡ଼ାଲ ପ୍ରଦାନ କରାଯିବା ସହିତ ଜାତୀୟ ସ୍ତରକୁ ଚୟନ କରାଯାଇଛି । ଏହି ଜାତୀୟ ସ୍ତରର ପ୍ରତିଯୋଗିତା ସେପ୍ଟେମ୍ବର ମାସ ଦିଲ୍ଳୀସ୍ଥିତ ନୋଏଡ଼ାରେ ଅନୁଷ୍ଠିତ ହେବ । ଶ୍ରେୟାଂଶୁଙ୍କ ଘର ଜଗନ୍ନାଥପୁର, ଭଦ୍ରକ । ତାଙ୍କ ମାତାଙ୍କ ନାମ ସୁମିତ୍ରା ନାଥ ଏବଂ ପିତାଙ୍କ ନାମ ହିମାଂଶୁ ଶେଖର ପାତ୍ର । ସେ ବର୍ତମାନ ଭଦ୍ରକ ଇଲେକ୍ଟ୍ରି ବିଭାଗରେ (ଟି.ପି.ଏନ.ଓ.ଡ଼ି.ଏଲ୍) ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ । ଏହି ସଫଳତା ହାସଲ କଲାପରେ ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ଚେୟାରମ୍ୟାନ୍ ଦେବାଶିଷ ଦୀକ୍ଷିତ୍, ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ୍, ଟ୍ରଷ୍ଟିର ସମସ୍ତ ସଦସ୍ୟ, ବିଦ୍ୟାଳୟର ସମସ୍ତ ଶିକ୍ଷକଗଣ ଏବଂ ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇବା ସହିତ ଶୁଭକାମନା କରିଛନ୍ତି ।








