Home ଜିଲ୍ଲା ପରିକ୍ରମା ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ପିଲା ପଢ଼ୁଛନ୍ତି ପାଠ, ୩ଟି ଗୃହରେ ୮ ଶ୍ରେଣୀର ୨୨୪ ଛାତ୍ରଛାତ୍ରୀ,...

ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ପିଲା ପଢ଼ୁଛନ୍ତି ପାଠ, ୩ଟି ଗୃହରେ ୮ ଶ୍ରେଣୀର ୨୨୪ ଛାତ୍ରଛାତ୍ରୀ, ବିପଦସଙ୍କୁଳ ଅବସ୍ଥାରେ ୨ଟି ଶ୍ରେଣୀଗୃହ

10

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା କରୁଛନ୍ତି । ପ୍ରାଥମିକ ଶିକ୍ଷାର ବିକାଶ ହେଲେ ସମାଜର ଉନ୍ନତି ସାଧିତ ହୋଇପାରିବ । ସେଥିପାଇଁ ସରକାର ପ୍ରାଥମିକ ଶିକ୍ଷାର ଅଗ୍ରଗତି ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି । ମାତ୍ର ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନ ଶ୍ୟାମସୁନ୍ଦରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ଟି ଶ୍ରେଣୀର ୨୨୪ ଛାତ୍ରଛାତ୍ରୀ ୩ଟି ଗୃହରେ ପାଠ ପଢ଼ୁଛନ୍ତି । ଶ୍ରେଣୀଗୃହର ଅଭାବ ଦୃଷ୍ଟିରୁ ପିଲାମାନେ ସ୍କୁଲ ବାରଣ୍ଡାରେ ପାଠ ପଢ଼ିବାକୁ ବାଧ୍ୟ ହୋଇଛନ୍ତି । ଏହା ସରକାରଙ୍କର ଲକ୍ଷ୍ୟକୁ ପୂରଣ କରିବାରେ ବିଫଳ ହୋଇଥିବା ଜଣାଯାଇଛି । ତେବେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ତତ୍କାଳୀନ ବ୍ଲକ ଶିକ୍ଷାଧିକାରୀ(ବିଇଓ) ସ୍କୁଲକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ପରେ ମଧ୍ୟ ଅଦ୍ୟାବଧି ଶ୍ରେଣୀଗୃ ନିର୍ମାଣ ହୋଇ ପାରିନାହିଁ । ଯାହକୁ ନେଇ ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି(ଏସଏମସି) ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ୟାମସୁନ୍ଦରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ଟି ଶ୍ରେଣୀରେ ୨୨୪ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି । ସ୍କୁଲ ଗୃହ ପକ୍କା ହୋଇଥିବା ବେଳେ କାର୍ଯ୍ୟାଳୟ ବାଦ ୫ଟି ଶ୍ରେଣୀଗୃହ ରହିଛି । ତନ୍ମଧ୍ୟରୁ ୨ଟି ଶ୍ରେଣୀଗୃହ ଭାଙ୍ଗିରୁଜି ବିପଦସଙ୍କୁଳ ହୋଇପଡିଛି । ଯେଉଁ ଗୃହରେ ଶିକ୍ଷାଦାନ ଆଦୌ ସମ୍ଭବ ନୁହେଁ । ବିଗତ ୨ବର୍ଷ ହେଲା ଏପରି ପରିସ୍ଥିତି ଉପୁଜିଥିବାରୁ ସ୍କୁଲରେ ଶିକ୍ଷାଦାନ ନେଇ ଜଟିଳ ପରିସ୍ଥିତି ଉପୁଜିଛି । ୮ଟି ଶ୍ରେଣୀର ଏତେ ସଂଖ୍ୟକ ପିଲାଙ୍କୁ ୩ଟି ଶ୍ରେଣୀଗୃହରେ ଶିକ୍ଷାଦାନ କରିବା ସମ୍ଭବପର ହେଉନାହିଁ । ଯାହାଫଳରେ ପ୍ରଥମରୁ ୩ୟଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ବସାଇ ଶିକ୍ଷାଦାନ କରାଯାଉଛି । ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା କେତେଦୂର ସହଜସାଧ୍ୟ ହୋଇପାରିବ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ଷାଦିନରେ ବାରଣ୍ଡାରେ ବସି ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସମ୍ଭବ ହୋଇପାରୁନାହିଁ । ଛାତ୍ରଛାତ୍ରୀମାନେ ବହୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ତେବେ ଶ୍ରେଣୀଗୃହ ଅଭାବ ସମ୍ପର୍କରେ ଅବିଭାବକ ଓ ଏସଏମସିର କର୍ମକର୍ତାମାନେ କିଛିମାସ ପୂର୍ବେ ଜିଲାପାଳ ଓ ବିଇଓଙ୍କୁ ଅଭିଯୋଗ କରିଥିଲେ । ତତକାଳୀନ ବିଇଓ ମଧୁସୂଦନ ସେଣ୍ଡ ସ୍କୁଲକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ମାତ୍ର ଅଦ୍ୟାବଧି ବିପଦସଙ୍କୁଳ ଗୃହକୁ ମରାମତି କିମ୍ବା ନୂତନ ଗୃହ ନିର୍ମାଣ ହୋଇ ନଥିବାରୁ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ପାଠ ପଢ଼ୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ବହୁ କଷ୍ଟରେ ପାଠ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି । ଏ କ୍ଷେତ୍ରରେ ‘ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ’ ସରକାରଙ୍କର ସ୍ଲୋଗାନର କାର୍ଯ୍ୟକାରୀତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ତେବେ ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି ହୋଇଛି । ଶ୍ରେଣୀଗୃହ ଅଭାବ ଥିବାରୁ ଆମ୍ଭେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇ ବାରଣ୍ଡାରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବାକୁ ବାଧ୍ୟ ହେଉଛୁ ବୋଲି ସହକାରୀ ଶିକ୍ଷକ ବିଷ୍ଣୁମୋହନ ଦାସ କହିଛନ୍ତି । ଏ ସମ୍ପର୍କରେ ଏବିଇଓ ରତ୍ନାକର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଶ୍ରେଣୀଗୃହ ଅଭାବ ସମ୍ପର୍କରେ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇ ତୁରନ୍ତ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.