Home Top News ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ପ୍ରକଳ୍ପ ଖନନ କାର୍ଯ୍ୟକୁ ନେଇ ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ

ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ପ୍ରକଳ୍ପ ଖନନ କାର୍ଯ୍ୟକୁ ନେଇ ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ

117

ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ଆଜି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ, ନୂଆଦିଲ୍ଲୀ ତରଫରୁ ଶ୍ରୀ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ଵରେ ନିୟମ ଉଲଙ୍ଘନ କରି ଯେଉଁ ଖନନ କାର୍ଯ୍ୟ ଚାଲିଛି ତାହାର ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଦିଲ୍ଲୀ ତଥା ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରର ଜଗନ୍ନାଥ ପ୍ରେମୀ ଓଡ଼ିଆ ତଥା ଅଣ ଓଡ଼ିଆ ଭକ୍ତମାନଙ୍କ ସ୍ଵତଃ ସ୍ଫୁର୍ତ୍ତ ଭାଗୀଦାରୀ ସ୍ପଷ୍ଟ ରୂପରେ ବାରି ହୋଇ ପଡୁଥିଲା। ନୂଆଦିଲ୍ଲୀ ସ୍ଥିତ ଯନ୍ତରମନ୍ତର ଠାରେ ପ୍ରଦର୍ଶନକାରୀ ଏକାଠି ହୋଇଥିଲେ। ଅଧିବକ୍ତା ଶ୍ରୀ ଅମୀୟ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ଏଥିରେ ପ୍ରଫେସର ପ୍ରଫୁଲ୍ଲ ମିଶ୍ର, କୁଳାଧିପତି, ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ତାଙ୍କର ବକ୍ତବ୍ୟରେ କହିଲେ ଓଡ଼ିଶାରୁ ଏକ ପ୍ରତିନିଧି ଦଳ ମାନ୍ୟବର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ଏବଂ ଦାବି ପତ୍ର ପ୍ରଦାନ କରିଥିଲେ।

ଶ୍ରୀଜଗନ୍ନାଥଙ୍କ ନିବାସ ଶ୍ରୀମନ୍ଦିର ବହୁ ବର୍ଷର କୀର୍ତ୍ତିରାଜି। ସମୟର ଗତି ସହ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଠି ରହିଛି ଯଦିଓ ଏହା ପ୍ରକୃତିର ସମସ୍ତ ପରିବର୍ତ୍ତନକୁ ସାମନା କରୁଛି। ଏହା ପ୍ରତ୍ୟେକ ଓଡ଼ିଆଙ୍କ ଆସ୍ଥା, ଆଧ୍ୟାତ୍ମ, ଧର୍ମ, ସଂସ୍କୃତି, କଳା ଓ ଭାବର କେନ୍ଦ୍ରସ୍ଥଳୀ। ଭାରତର ତଥା ବିଶ୍ଵର ଅନ୍ୟତମ ପ୍ରମୁଖ ତୀର୍ଥକ୍ଷେତ୍ର ଏବଂ ଐତିହ୍ୟ, ସବୁ ଓଡ଼ିଆଙ୍କ ପରିଚୟ।

ଏବେ ସେହି ପରିଚୟ ପ୍ରତି ବିପଦର ସଙ୍କେତ ଆସିଛି, ମନ୍ଦିରର ଚତୁଃପାର୍ଶ୍ଵରେ ୩୦ଫୁଟ ପର୍ଯ୍ୟନ୍ତ ବଡ ବଡ ଡ୍ରିଲିଂ ମେସିନର ବ୍ୟବହାରରେ ଗର୍ତ୍ତଖୋଳା ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ନିୟମ ଅନୁଯାୟୀ ମନ୍ଦିରର ୧୦୦ ମିଟର ପରିସରରେ ଯେକୌଣସି ନିର୍ମାଣ କାର୍ଯ୍ୟ ପ୍ରତିବନ୍ଧିତ। କିନ୍ତୁ ସବୁ ନିୟମକୁ ବେଖାତିର୍ କରି ନିର୍ମାଣ କାର୍ଯ୍ୟ ଚାଲିଛି।

ଏହାର ବୈଜ୍ଞାନିକ ଏବଂ ପୁରାତାତ୍ତ୍ୱିକ ବିଧି ବ୍ୟବସ୍ଥା ଗ୍ରହଣ ପୂର୍ବକ ଆବଶ୍ୟକ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ ହେବା ଉଚିତ୍ ବୋଲି ପ୍ରବାସୀ ଓଡ଼ିଆ ବିକାଶ ସମିତିର ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ମିଶ୍ର ମତବ୍ୟକ୍ତ କରିଥିଲେ।

ନିଜ ପରିଚୟ ବଞ୍ଚେଇ ରଖିବା ନିମିତ, ଆସ୍ଥାର ପ୍ରାଣକେନ୍ଦ୍ରକୁ ଜୀବନ୍ତ ଦେଖିବା ନିମିତ୍ତ, ଧର୍ମସଂସ୍କୃତିର ମର୍ଯ୍ୟାଦା ନିମିତ୍ତ, ପୁରୁଷୋତ୍ତମଙ୍କ କ୍ଷେତ୍ର ଅକ୍ଷୁର୍ଣ୍ଣ ରଖିବା ନିମିତ୍ତ ଭାରତର ରାଜଧାନୀରେ ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତଗଣ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆମର ଆବେଗକୁ ବ୍ୟକ୍ତ କରିଥିବାରୁ, ଶ୍ରୀ ତାପସ ପରିଡା, ରାଷ୍ଟ୍ରୀୟ ବୌଦ୍ଧିକ ମଞ୍ଚର ସମ୍ପାଦକ ତଥା RSS ଓଡ଼ିଆ ଭାଷା ସମୂହର ଦିଲ୍ଲୀ ପ୍ରମୁଖ ମତ ରଖିଥିଲେ। ତାଙ୍କ ଆବାହକତ୍ବରେ ଏହି ଅଭିଯାନ ତ୍ୱରାନ୍ୱିତ ହୋଇଥିଲା।

ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ପଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଆବଶ୍ୟକ ପଦକ୍ଷେପ ନେବା ଉଚିତ ହେବ ବୋଲି ବିଶିଷ୍ଟ ଅଧିବକ୍ତା ତଥା ପ୍ରବାସୀ ଓଡିଆ ବିକାଶ ସମିତିର ଉପସଭାପତି ଶ୍ରୀ ସନ୍ଦୀପ ମହାପାତ୍ର ଦୃଢ଼ ମତପୋଷଣ କରିଥିଲେ।

ରାଜେଶ ଶର୍ମା ତୁରନ୍ତ ବିଶେଷଜ୍ଞ କମିଟି ଗଠନ କରାଯାଇ ତାହାର ସୁପାରିଶ ଅନୁସାରେ କାର୍ଯ୍ୟ କରାଯାଉ ବୋଲି ମତବ୍ୟକ୍ତ କରିଥିଲେ।

ପ୍ରମୋଦ ଭୋଳ ସୁନ୍ଦର ପରିକ୍ରମା କରିବାକୁ ସ୍ଵାଗତ କରିଥିଲେ କିନ୍ତୁ ମନ୍ଦିର ଏବଂ ଭକ୍ତଙ୍କୁ ପ୍ରାଥମିକତା ଦିଆଯାଉ ଉପରେ ଗୁରୁତ୍ଵ ଆରୋପ କରିଥିଲେ।

ପ୍ରଫେସର ସତ୍ୟଭୂଷଣ ଦାଶ, ଉପସଭାପତି, ପିଓଭିଏସ୍ କହିଥିଲେ ଯେ ଜଗନ୍ନାଥ ହେଉଛନ୍ତି ଜାତିର ଅଭିଭାବକ, ତେଣୁ ତାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଅତ୍ୟନ୍ତ ସମ୍ବେଦନଶୀଳ, ଏଣୁ ଏହି ପ୍ରସଙ୍ଗରେ କର୍ତ୍ତୃପକ୍ଷ ବିସ୍ତାର ଭାବରେ ତଥ୍ୟ ଉପସ୍ଥାପନ କରନ୍ତୁ, ଯଦ୍ୱାରା ଜନସାଧାରଣ ଆଶ୍ୱସ୍ତି ଲାଭ କରିବେ।

ଶ୍ରୀ ପ୍ରଣବ ଦାଶ, ଦିଲ୍ଲୀ ଧର୍ମ ପ୍ରସାର ପ୍ରମୁଖ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ଵ ଉନ୍ନତି ନାମରେ ଜଗନ୍ନାଥ ସଂସ୍କୃତିର ପରମ୍ପରା ଐତିହ୍ଯ ସମ୍ପର୍ଣ୍ଣ ମଠ ମନ୍ଦିର ମାନଙ୍କ ଧ୍ୱଂସକୁ ଭର୍ତ୍ସନା କରିଥିଲେ।

ବୈଜ୍ଞାନିକ ଶ୍ରୀ ଶଙ୍କର ଜେନା ଭକ୍ତଙ୍କ ଭାବାବେଗ ସହ ନ ଖେଳି ପୁରୀକୁ ଆଧ୍ୟାତ୍ମିକତାର ଶ୍ରେଷ୍ଠ କ୍ଷେତ୍ର ରୂପେ ପରିଚିତ କରିବା ଲାଗି ସମସ୍ତ ପ୍ରଚେଷ୍ଟା କରନ୍ତୁ ବୋଲି ଆହ୍ଵାନ ଦେଇଥିଲେ।

ଶ୍ରୀ ମୀନକେତନ ମିଶ୍ର ଏତେ ଶୀଘ୍ର ଏତେ ଭକ୍ତ ଏକାଠି ହୋଇ ଥିବାରୁ ନିଶ୍ଚିତ ଭାବେ ଏହା ଉପଯୁକ୍ତ ବ୍ୟକ୍ତିଙ୍କ ଦ୍ଵାରା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ, ଜଗନ୍ନାଥଙ୍କ ସ୍ତୋତ୍ର ପଠନ କରିଥିଲେ।

ଅମିୟ ନାୟକ ଏହାର ଆଇନଗତ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ।

ସଞ୍ଜୟ ମିଶ୍ର ତାଙ୍କର ବକ୍ତବ୍ୟ ମାଧ୍ୟମରେ ଜନଜାଗୃତିରେ ଲିପ୍ତ ରହି ସାମୁହିକ ଭାବେ ଏହି କାର୍ଯ୍ୟରେ ଲାଗି ଯିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି କହିଥିଲେ।

ଶ୍ରୀମନ୍ଦିର ସୁରକ୍ଷା ନିମିତ୍ତ ଅଭିଯାନରେ ବହୁ କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ମଳୟ ପ୍ରଧାନ, ରୋହିତ ସିଂହ, ପ୍ରକାଶ ରାୟ, ଅକ୍ଷୟ ଲେଙ୍କା, ସୁଧାଂଶୁ ନାୟକ, ସଞ୍ଜୟ ମିଶ୍ର, ଶ୍ରୀମତୀ ରୀତା ପାତ୍ର, ହରିଓମ୍, ଡାଃ ଶୈଳେନ୍ଦ୍ର ସ୍ଵାଇଁ, ପ୍ରମୋଦ ଭୋଲ, ଦିଲ୍ଲୀପ ବେହୁରା, କମଲେନ୍ଦୁ ନାୟକ, ରଞ୍ଜନ ପାଣି, ସୁବ୍ରତ ମହାପାତ୍ର, ମନ୍ମଥ ଓଝା, ପ୍ରଭାକର ପତି, ନୃସିଂହ ପଣ୍ଡା, ଦୀପକ ପାତ୍ର, ପ୍ରମୂଖ ଯୋଗ ଦେଇଥିଲେ।

ଶ୍ରୀ ବିଶ୍ୱଜିତ୍ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.