Home ଜିଲ୍ଲା ପରିକ୍ରମା ଶ୍ରୀହନୁମାନ ଜୟନ୍ତୀ ଓ ମହାବିଷୁବ ସଙ୍କ୍ରାନ୍ତି ପାଳିତ

ଶ୍ରୀହନୁମାନ ଜୟନ୍ତୀ ଓ ମହାବିଷୁବ ସଙ୍କ୍ରାନ୍ତି ପାଳିତ

40

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାବିଷୁବ ସଙ୍କ୍ରାନ୍ତି ପର୍ବ ଆଜି ପାଳିତ ହୋଇଯାଇଛି। ଏହାକୁ ମଧ୍ୟ ମହାବିଷୁବ ସଂକ୍ରାନ୍ତି ଓ ‘ଓଡ଼ିଆ ନବବର୍ଷ’ ଭାବେ ଆଜି ପାଳନ କରାଯାଇଛି। ଏହି ଅବସରରେ ଦେବାଦେବୀ ମନ୍ଦିରରେ ଯଅ, ଛତୁଆ, ନଡ଼ିଆ, କଦଳୀ, ଗୁଡ଼, କର୍ପୁର ମିଶ୍ରିତ ପଣା ଓ ଆମ୍ବ ଭୋଗ ଭୋଗଲାଗି କରାଯାଇଛି। ଚଉରା ଉପରେ ରୋପିତ ହୋଇଥିବା ପବିତ୍ର ତୁଳସୀ ଗଛ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ବର, ଅଶ୍ୱସ୍ତ ଆଦି ବୃକ୍ଷମାନଙ୍କୁ ରୌଦ୍ରତାପରୁ ରକ୍ଷାକରିବା ପାଇଁ ଛିଦ୍ରଯୁକ୍ତ ମାଟି ଠେକି ବନ୍ଧାଯାଇ ଜଳଅର୍ପଣ କରାଯାଇଛି। ବହୁ ସ୍ଥାନରେ ପଥିକମାନଙ୍କ ତୃଷା ନିବାରଣ ସକାଶେ ଜଳଛତ୍ର କେନ୍ଦ୍ରମାନ ସ୍ଥାପିତ ହୋଇଛି। ପ୍ରତ୍ୟେକ ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ, ଭଣ୍ଡାରିପୋଖରୀ ବଜାରରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି। ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଅନ୍ୟାନ୍ୟ ସ୍ଥାନରେ ଜଳଦାନ କେନ୍ଦ୍ର ସ୍ଥାପିତ ହୋଇ ତୃଷାର୍ତ୍ତ ପଥିକମାନଙ୍କୁ ଜଳଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଭକ୍ତକୂଳତିଳକ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଛି। ସଦା ସେବକ ରୂପେ ଆଖ୍ୟାୟୀତ ଶ୍ରୀରାମଦୂତ ହନୁମାନଙ୍କୁ ଆଜି ପ୍ରତ୍ୟୁଷରୁ ପୂଜାର୍ଚ୍ଚର୍ନା କରାଯାଇଛି। ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନକାରୀ ଓ ଅସାମାନ୍ୟ ବିଭୁପ୍ରୀତିର ଆଦର୍ଶ ଏହି ଠାକୁରଙ୍କ ପ୍ରତି ଭକ୍ତମାନେ ନିଜକୁ ସମର୍ପର୍ଣ କରିଛନ୍ତି। ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ କଳସ ଶୋଭାଯାତ୍ରା ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଢ଼ାପଦା ପ୍ରସିଦ୍ଧ ମହାବୀର ମନ୍ଦିର, ଛତାବର, ମଞ୍ଜୁରୀରୋଡ, ନାଆମୀ, ଥଇଳା, ରାଢୋ, ରହଣିଆ, ସରସଦା, କୁଲଣା, ବାରିକପୁର, ପାଟୁଳି, ଛତାବର, ଭଣ୍ଡାରିପୋଖରୀବଜାର, ରେବୋ, ମଣିନାଥପୁର, ନଗୁଆଁ, ସମେତ ବିଭିନ୍ନ ସ୍ଥାନରେ ଥିବା ହନୁମାନ ମୂର୍ତ୍ତି ଓ ଗ୍ରାମଦେବାଦେବୀକୁ ପୂଜାର୍ଚ୍ଚନା କରାଯାଇଛି। ନାମସଙ୍କିର୍ତ୍ତନ, ହୋମଯଜ୍ଞ, ପ୍ରବଚନ, ଶ୍ରୀରାମଚରୀତ ମାନସ ପାରାୟଣ ସହ ପ୍ରସାଦ ସେବନର ଆୟୋଜନ କରାଯାଇଛି। ବିଭିନ୍ନ ଗ୍ରାମଦେବତୀ ପୀଠ ସମେତ ଥଇଳା, ଚେକାସାଆନ୍ତାଣୀ, ମଞ୍ଜୁରୀରୋଡ ମା’ ତାରେଣୀ ପୀଠରେ ବିଶେଷ ପୂଜାର୍ଚ୍ଚନା କରାଯାଇ ମେଳାର ଆୟୋଜନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.