Home ଜିଲ୍ଲା ପରିକ୍ରମା ଶ୍ରୀରାମ ନବମୀ ମହୋତ୍ସବ – ୨୦୨୨, ଉତ୍ସାହ ଉଦ୍ଦୀପନାରେ ପାଳନ ହେଲା ଗୋ ମାତା ଓ...

ଶ୍ରୀରାମ ନବମୀ ମହୋତ୍ସବ – ୨୦୨୨, ଉତ୍ସାହ ଉଦ୍ଦୀପନାରେ ପାଳନ ହେଲା ଗୋ ମାତା ଓ ସାଧୁସନ୍ଥ ପୂଜନ

62

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଭଦ୍ରକ ବ୍ଳକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ଅସୁରା ଗ୍ରାମ ହନୁମାନ ମନ୍ଦିର ପଡିଆରେ ଗୋ ମାତା ଓ ସାଧୁ ସନ୍ଥ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ମଠ ମନ୍ଦିରରୁ ଆଗତ ୫୦ରୁ ଉର୍ଦ୍ଧ୍ୱ ପୂଜ୍ୟ ସାଧୁ ସନ୍ଥ ସନ୍ୟାସୀ ଏବଂ ୨୫ରୁ ଉର୍ଦ୍ଧ୍ୱ ଗୋ ମାତାଙ୍କର ପୂଜନ କରାଯାଇଥିଲା। ପୂର୍ବାହ୍ନରେ ଗାନ୍ଧି ପଡ଼ିଆଠାରେ ଭୂମି ପୂଜନ ସରିବା ପରେ ସାଧୁ ସନ୍ଥଙ୍କୁ ସ୍ୱାଗତ କରି ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ପୂଜନ ସ୍ଥଳୀକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ସମ୍ବର୍ଦ୍ଧିତ କରାଯାଇଥିଲା। ସାଧୁ ସନ୍ଥମାନଙ୍କ ଦ୍ୱାରା ଗୋ ମାତାଙ୍କୁ ପୂଜନ କରାଯିବା ସହିତ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ କରାଯାଇଥିଲା। ଉତ୍କୃଷ୍ଟ ଗୋ ମାତାଙ୍କୁ ଚିହ୍ନଟ କରାଯାଇ ଏହାର ପାଳକଙ୍କୁ ସମ୍ମାନିତ କରାଯିବ ବୋଲି ସମିତି ପକ୍ଷରୁ ନିଷ୍ପତି ନିଆଯାଇଛି। ସାଧୁ ସନ୍ଥମାନେ ଅସୁରା ଗାଁରେ ପହଞ୍ଚିବା ପରେ ମହିଳାମାନେ ଫୁଲ, ଚନ୍ଦନ ଦେଇ ଶଙ୍ଖ ହୁଳହୁଳି ପକାଇ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସନ୍ଥମାନେ ସଭାରେ ଉପସ୍ଥିତ ରହି ଆର୍ଶିବଚନ ପ୍ରଦାନ କରିବା ସହ ଗୌରବମୟ ଭାରତୀୟ ସଂସ୍କୃତି, ପରମ୍ପରା ଓ ଗୋ-ମାତାଙ୍କ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ସନ୍ଥମାନଙ୍କ ମଧ୍ୟରେ ରାମାନନ୍ଦୀ ପୁରୀ ମହାରାଜ, ମହନ୍ତ ଜଗନ୍ନାଥଜୀ ମହାରାଜ, ପ୍ରିୟଦର୍ଶନ ଦଣ୍ଡଧାରୀ ଦାସ, ରାମକୃଷ୍ଣ ମିଶନର ସ୍ୱାମୀ ଆଶ୍ରୟାନନ୍ଦ ସରସ୍ୱତୀ ପ୍ରମୁଖ ଉପସ୍ଥିତ ରହି ହିନ୍ଦୁ ସମାଜ, ହିନ୍ଦୁତ୍ୱ, ଗୋ ମାହାତ୍ମ୍ୟ, ଗୋସେବା ଆଦି ସମ୍ପର୍କରେ ସେମାନଙ୍କ ବିଚାରଧାରା ପ୍ରକାଶ କରିଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ସମିତିର ବରିଷ୍ଠ ଉପଦେଷ୍ଟା ମନମୋହନ ସାମଲ, ସଭାପତି ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ଉପସଭାପତି ଅମ୍ବିକା ଦାସ, ଯୁଗ୍ମ ସମ୍ପାଦକ ତପନ ମହାନ୍ତି, କୋଷାଧ୍ୟକ୍ଷ ଭଗବାନ ପଣ୍ଡା, ସହକୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ରାମଚନ୍ଦ୍ର ପଣ୍ଡା, ରଘୁନାଥ ସାହୁ, ଅନ୍ୟତମ ଉପଦେଷ୍ଟା ଅଭିମନ୍ୟୁ ସେଠୀ, ବଦ୍ରିନାରାୟଣ ଧଳ, କାହ୍ନୁ ସିଂ, ବିଜୟ ସିନ୍‌ହା, ରଞ୍ଜିତା ସ୍ୱାଇଁ, କଳ୍ପନା ଜେନା ପ୍ରମୁଖ ଗୋମାତା ଓ ସନ୍ଥ ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ବେଳେ ତୁଷାର ଦାସ, ସ୍ୱାଧୀନ ସୁନ୍ଦର ଦାସ, ସ୍ୱରୂପାନନ୍ଦ ମହାପାତ୍ର, ସୂର୍ଯ୍ୟବଂଶୀ ସୂରଜ, ସରୋଜ ରାଉତ, ଦେବାଂଶୁ ରାଉତ, ସୁଧୀର ଦ୍ୱିବେଦୀ, ତଥାଗତ ସାମଲ, ପ୍ରକାଶଜ୍ୟୋତି ମହାକୁଡ଼, ମୁକେଶ ବାରିକ, ହେମନ୍ତ ମହାପାତ୍ର, ଦେବୁ ବିଶ୍ୱାଳ, ସତ୍ୟ ପ୍ରଧାନ, ସରୋଜ ପରିଡ଼ା, ବସନ୍ତ ରାଉତ, ଜ୍ୟୋତି ସାହୁ ପ୍ରମୁଖ ମୋଟରସାଇକେଲ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜଗନ୍ନାଥ ମହାନ୍ତି, ମନୋଜ ବଳ, ସୋଲ୍‌ଜର ମାନସ ମହାନ୍ତି, ଯତିକାନ୍ତ ନାୟକ, ଦୀପକ ଦାସ, ଚନ୍ଦନ ନାୟକ ଅଭିଜିତ୍ ଲେଙ୍କା, ସୌମେନ୍ଦ୍ର ମୀର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.